ଭୁବନେଶ୍ୱର: ସଂସଦରେ ଗୃହୀତ ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍, ୨୦୨୬କୁ ନେଇ ଗଭୀର ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି, ଏହି ବିଲ୍ ଓଡ଼ିଶାର ବିତ୍ତୀୟ ସ୍ବାଧୀନତା ଓ ଏହାର ପ୍ରାକୃତିକ ସମ୍ବଳ ଉପରେ ଥିବା ସାମ୍ବିଧାନିକ ଅଧିକାର ପ୍ରତି ଏକ ବଡ଼ ବିପଦ। ଏହି ବିଲ୍ ପ୍ରଭାବରେ ଓଡ଼ିଶାର ବ୍ୟାପକ ରାଜସ୍ବହାନି ହେବ ଯାହା ବିକାଶମୂଳକ କାର୍ଯ୍ୟକୁ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

ରାଜ୍ୟର ସଂଘୀୟ ଅଧିକାର ଓ ଖଣିଜ ରାଜସ୍ବର ସୁରକ୍ଷା ପାଇଁ ମିଳିତ ସହମତି ହାସଲ କରିବା ନିମନ୍ତେ ତୁରନ୍ତ ସର୍ବଦଳୀୟ ବୈଠକ ଡକାଇବା ଓ ବିଲ୍‌କୁ ବିରୋଧ କରିବା ଲାଗି ସର୍ବସମ୍ମତିକ୍ରମେ ସଂକଳ୍ପ ହାସଲ କରିବା ନିମନ୍ତେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ସେ ଦାବି କରିଛନ୍ତି।

କେନ୍ଦ୍ର ସରକାର ରାଜ୍ୟଠାରୁ କ୍ଷମତା ଛଡ଼ାଇନେଲେ ଓଡ଼ିଶାରେ କେବଳ ପ୍ରଦୂଷଣ, ବିସ୍ଥାପନ ଓ ଖଣି ଜନିତ ବୋଝ ରହିଯିବ। ତେଣୁ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜବାବ ରଖିଛି ବିଜେପି। ବିରୋଧୀ କନଫ୍ୟୁଜ ହୁଅନ୍ତୁ ନାହିଁ, ଲୋକଙ୍କୁ କନଫ୍ୟୁଜ କରନ୍ତୁ ନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଏମଏମଡିଆର ଆକ୍ଟ ଦ୍ୱାରା ଓଡିଶାର କୌଣସି ପ୍ରକାର ଆର୍ଥିକ କ୍ଷତି ହେବ ନାହିଁ। ଏହା ଦ୍ୱାରା ଓଡିଶା ସରକାରର ବିକାଶର ଧାରା ତ୍ୱରାନ୍ୱିତ ହେବ। ଖଣି ଖାଦାନରୁ ରୋଜଗାର ଆହୁରି ଚାରିଗୁଣା ବଢିବ ବୋଲି ସେ କହିଛନ୍ତି।

also read- DGP ଭାବେ ୱାଇ.ବି. ଖୁରାନିଆଙ୍କ ଶେଷ ଦିନ : ୨ ବର୍ଷର ସଫଳତାର ଦେଲେ ହିସାବ

ଖଣି ବିଲ ପ୍ରସଙ୍ଗରେ ଦଳ ରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ବିଜେଡି। ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାରୁ ୨୦ ଜଣ ସାଂସଦ ଅଛନ୍ତି। ହେଲେ ଓଡ଼ିଶା ବିରୋଧୀ MMDR ବିଲ୍ କେମିତି ପାସ୍ ହେଲ। ଏବେ ୧ ଲକ୍ଷ ୨୦ ହଜାର କୋଟି ବର୍ଷକୁ କ୍ଷତି ସହିବ ଓଡ଼ିଶା।

ଖଣି ଆଇନ MMDR Act ସଂଶୋଧନକୁ ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ- କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଏମ୍ଏମ୍ଡିଆର୍ ବିଲ୍ ଯୋଗୁଁ ଓଡ଼ିଶା ପ୍ରଚୁର ରାଜସ୍ୱ କ୍ଷତି ସହିବ। ଖଣି କ୍ଷମତାକୁ ରାଜ୍ୟ ହାତରୁ କେନ୍ଦ୍ର ନିଜ ଆଡ଼କୁ ନେଉଛି, ଯାହାଦ୍ୱାରା ଓଡ଼ିଶା ପ୍ରାୟ ୧୫ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ। ଲକ୍ଷ ଲକ୍ଷ କୋଟି ଟଙ୍କାର ବକେୟା ବି ଆଉ ଆଦାୟ ହୋଇପାରିବ ନାହିଁ। ଏହା ସଂଘୀୟ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ। ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ।

Watch Video-