ଭୁବନେଶ୍ବର ୧୫।୮: ଦେଶ ପାଳୁଛି ୮୦ତମ ସ୍ବାଧୀନତା ଦିବସ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ଦଳୀୟ କାର୍ଯ୍ୟାଳୟରେ ପାଳନ କରାଯାଇଛି ସ୍ବାଧୀନତା ଦିବସ । ରାଜ୍ୟ ବିଜେପିର କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମନମୋହନ । ଯେଉଁ ମହାମନୀଷୀ ମାନେ ନିଷ୍ଠା ଓ ତ୍ୟାଗ ପ୍ରଦାନ କରି ସ୍ୱାଧୀନତା ପ୍ରଦାନ କରିଛନ୍ତି, ସେମାନଙ୍କୁ ଆଜି ମନେ ପକାଇବାର ଦିନ । ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଭଳି ପ୍ରମୁଖ ସଂଗ୍ରାମୀଙ୍କୁ ମନେ ପକାଇବାର ଦିନ । ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ କହିଛନ୍ତି ମନମୋହନ ସାମଲ । କେନ୍ଦ୍ର ଓ ରାଜ୍ୟ ସରକାର ଅସଂଖ୍ୟ ଯୋଜନା ଚାଷୀ, ଯୁବ ଏବଂ ମହିଳାଙ୍କ ପାଇଁ ଆରମ୍ଭ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ  ।

ସେହିଭଳି ଶଙ୍ଖ ଭବନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏଥିରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ପ୍ରଥମେ ଦଳର ନେତା ଓ କର୍ମୀ ବୀରପୁତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ ଦେଶର ଓ ରାଜ୍ୟର ବରପୁତ୍ର ମାନଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନକୁ ସ୍ମରଣ କରାଯିବା ସହ ସେମାନଙ୍କ ବଳିଦାନକୁ ମନେ ପକାଇଥିଲେ ବିଜୁ ଜନତା ଦଳର ନେତା ଓ କର୍ମୀ ।

Also Read:- ବଲାଙ୍ଗିରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ରାଜମହଲ ହୋଟେଲ ମାଲିକ ନିଖୋଜ, ଅପହରଣ ସନ୍ଦେହ

ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । କହିଛନ୍ତି, ଦେଶ ସ୍ୱାଧୀନ ହୋଇଥିଲେ ବି ଆମେ ପରାଜିତ । ବର୍ତ୍ତମାନର ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି । ମହାତ୍ମା ଗାନ୍ଧୀଙ୍କୁ ଆଜିର ସରକାର ନିନ୍ଦିତ କରୁଛି । ମହାତ୍ମା ଗାନ୍ଧୀଙ୍କୁ ବିଭାଜନ ପାଇଁ ଦାୟୀ କରୁଛି । ମହାତ୍ମା ଗାନ୍ଧୀ ଏବଂ ନେହୁରଙ୍କୁ ଖଳନାୟକ ସଜେଇଛନ୍ତି । ଏହି ୧୨ ବର୍ଷ ଭିତରେ ଦେଶର ପତନ ହୋଇଛି ବୋଲି ଭକ୍ତ କହିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Watch Video: