ନୂଆଦିଲ୍ଲୀ: ଧରନ୍ତୁ ଆପଣଙ୍କର ଚାକିରି ଚାଲିଗଲା, ହଠାତ୍ ଅସୁସ୍ଥ ହୋଇଗଲେ, ଗାଡ଼ି ମରାମତି ପାଇଁ ଅଧିକ ଟଙ୍କା ଦରକାର ପଡ଼ିଲା କିମ୍ବା ଅନ୍ୟ କୌଣସି ଅପ୍ରତ୍ୟାଶିତ ଖର୍ଚ୍ଚ ଆସିଗଲା, ଏଭଳି ସମୟରେ ଆପଣଙ୍କୁ ସାହାଯ୍ୟ କରେ ଏମାର୍ଜେନ୍ସି ବା ଜରୁରୀକାଳୀନ ପାଣ୍ଠି। ତେଣୁ ଏହି ଟଙ୍କାକୁ ଏପରି ସ୍ଥାନରେ ରଖିବା ଦରକାର, ଯେଉଁଠାରୁ ଆବଶ୍ୟକ ସମୟରେ ସହଜରେ ଟଙ୍କା ଉଠାଇ ହେବ।

କାହିଁକି ୨ଟି ବ୍ୟାଙ୍କ ଆକାଉଣ୍ଟ ରଖିବେ?

ସାଧାରଣ ଭାବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଜରୁରୀକାଳୀନ ଟଙ୍କା ରଖିବା ସହଜ। ଟଙ୍କାର ହିସାବ ରଖିବା ମଧ୍ୟ ସହଜ ହୋଇଥାଏ। କିନ୍ତୁ ଭାବନ୍ତୁ, କୌଣସି କାରଣରୁ ସେହି ବ୍ୟାଙ୍କର ଅନଲାଇନ୍ ସେବା ବନ୍ଦ ହୋଇଗଲା କିମ୍ବା ଆପଣଙ୍କ ଆକାଉଣ୍ଟରେ ସାମୟିକ ସମସ୍ୟା ଦେଖାଦେଲା। ଠିକ୍ ସେହି ସମୟରେ ଯଦି ଟଙ୍କା ଦରକାର ପଡ଼େ, ତେବେ ଅସୁବିଧା ହୋଇପାରେ।

ସେଥିପାଇଁ ଦୁଇଟି ଭିନ୍ନ ବ୍ୟାଙ୍କରେ ଦୁଇଟି ଆକାଉଣ୍ଟ ରଖିବା ଏକ ଭଲ ବ୍ୟାକଅପ୍ ହୋଇପାରେ। ଗୋଟିଏ ଆକାଉଣ୍ଟକୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ଏବଂ ଅନ୍ୟଟିକୁ କେବଳ Emergency Fund ପାଇଁ ବ୍ୟବହାର କରିପାରିବେ।

ଦୁଇଟି ବ୍ୟାଙ୍କରେ ଟଙ୍କା ରଖିବାର ଆଉ ଏକ ଫାଇଦା

ଭାରତରେ ଡିପୋଜିଟ ଇନ୍ସୁରାନ୍ସ ଏଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କରପୋରେସନ (DICGC) ନିୟମ ଅନୁସାରେ, ଗୋଟିଏ ବ୍ୟାଙ୍କରେ ପ୍ରତ୍ୟେକ ଜମାକାରୀଙ୍କ ପାଇଁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ବୀମା ରହିଥାଏ। ଏଥିରେ ମୂଳଧନ ସହ ସୁଧ ମଧ୍ୟ ସାମିଲ ରହେ। ଜରୁରୀ କଥା ହେଉଛି ସେହି ବ୍ୟାଙ୍କରେ ନିଜ ନାଁରେ ଦୁଇଟି ଅଲଗା ସେଭିଂସ୍ ଆକାଉଣ୍ଟ ଥିଲେ ମଧ୍ୟ ବୀମା ସୀମା ଅଲଗା ହୁଏ ନାହିଁ। ଦୁଇଟି ଆକାଉଣ୍ଟର ଟଙ୍କାକୁ ମିଶାଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର୍ ମିଳେ। ତେଣୁ ଅଧିକ ଜମା ଥିଲେ ଭିନ୍ନ ବ୍ୟାଙ୍କରେ ଟଙ୍କା ରଖିବା ଅଧିକ ସୁରକ୍ଷିତ ବିକଳ୍ପ ହୋଇପାରେ।

Also Read- ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ! ବୁଲାବୁଲିରେ ମାତ୍ର ୫% ଖର୍ଚ୍ଚ କରୁଛନ୍ତି ଜେନ୍-ଜି

ଏମାର୍ଜେନ୍ସି ପାଇଁ କେଉଁ ଆକାଉଣ୍ଟ ଭଲ?

ଏମାର୍ଜେନ୍ସି ଫଣ୍ଡର ମୁଖ୍ୟ ଉଦ୍ଦେଶ୍ୟ ଅଧିକ ସୁଧ କମାଇବା ନୁହେଁ, ବରଂ ଆବଶ୍ୟକ ସମୟରେ ତୁରନ୍ତ ଟଙ୍କା ପାଇବା। ତେଣୁ କେବଳ ଅଧିକ ସୁଧ ଦେଉଛି ବୋଲି କୌଣସି ଆକାଉଣ୍ଟ ବାଛିବା ଠିକ୍ ନୁହେଁ। ଟଙ୍କା ଉଠାଇବା କେତେ ସହଜ, ଏଟିଏମ୍ ସୁବିଧା କେମିତି, ନେଟ୍ ବ୍ୟାଙ୍କିଂ ଓ ମୋବାଇଲ୍ ବ୍ୟାଙ୍କିଂ ଠିକ୍ ଭାବେ ଚାଲୁଛି କି ନାହିଁ ଏସବୁ ମଧ୍ୟ ଦେଖିବା ଦରକାର।

ଦୁଇଟି ଆକାଉଣ୍ଟ ଥିଲେ ମନେ ରଖନ୍ତୁ…

ଦୁଇଟି ଆକାଉଣ୍ଟ ଖୋଲିଦେଲେ ଯେ କାମ ସରିଯାଏ ତାହା ନୁହେଁ, ଦୁଇଟି ଆକାଉଣ୍ଟକୁ ସକ୍ରିୟ ରଖିବା ସହ ନିୟମିତ ଭାବେ ଯାଞ୍ଚ କରନ୍ତୁ। ଇଣ୍ଟରନେଟ୍ ବ୍ୟାଙ୍କିଂ ସକ୍ରିୟ ରଖନ୍ତୁ ଏବଂ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଅପଡେଟ୍ ରଖନ୍ତୁ।

ସେହିପରି, ଦୈନନ୍ଦିନ ଖର୍ଚ୍ଚର ଟଙ୍କା ଓ ଏମାର୍ଜେନ୍ସି ଫଣ୍ଡକୁ ଅଲଗା ରଖିଲେ ନିଜ ସଞ୍ଚୟର ହିସାବ ରଖିବା ମଧ୍ୟ ସହଜ ହୋଇଥାଏ। ଆପଣଙ୍କ ଆୟ, ଖର୍ଚ୍ଚ ଓ ଆବଶ୍ୟକତା ଅନୁସାରେ ଏମାର୍ଜେନ୍ସିର ପରିମାଣ ବଦଳିପାରେ। କିନ୍ତୁ ଜରୁରୀ ସମୟରେ ଟଙ୍କା ପାଇବାର ସୁବିଧା ଓ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବା ଉଚିତ।