ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ‘ସେଲ୍’ କାଳରେ ଭାରତରେ ଇ-କମର୍ସ କ୍ଷେତ୍ରରେ ଅର୍ଡର ସଂଖ୍ୟା ବାର୍ଷିକ ଆଧାରରେ ୩୧ ପ୍ରତିଶତ ବଢିଛି। ଇ-କମର୍ସ ବ୍ୟବସାୟ କ୍ଷେତ୍ରର ପ୍ରଯୁକ୍ତି କମ୍ପାନୀ ୟୁନିକମର୍ସ ତଥ୍ୟରୁ ଏହି ସୂଚନା ମିଳିଛି। କମ୍ପାନୀର ୟୁନିୱେର ମଞ୍ଚରେ ୬ରୁ ୧୪ ଅଗଷ୍ଟ ମଧ୍ୟରେ ଅର୍ଡର ଡାଟା ଆଧାରରେ ପ୍ରସ୍ତୁତ ରିପୋର୍ଟ ଅନୁସାରେ ଏହି ଅବଧିରେ ମୋଟ ବିକ୍ରି ମୂଲ୍ୟ ୨୦୨୫ର ସମାନ ଅବଧି ତୁଳନାରେ ୩୦% ବୃଦ୍ଧି ହୋଇଛି।

ରିପୋର୍ଟ ଅନୁସାରେ ଫ୍ୟାସନ ଓ ସହାୟକ ଉତ୍ପାଦ ଶ୍ରେଣୀରେ ମୋଟ ଅର୍ଡର ମାତ୍ରାରେ ସବୁଠୁ ଅଧିକ ରହିଛି। ଏଥିରେ ପୋଷାକ ସବୁଠୁ ଅଧିକ ଚାହିଦା ଶ୍ରେଣୀ ଭାବେ ଉଭା ହୋଇଛି। ଏହା ପଛକୁ ସୌନ୍ଧର୍ଯ୍ୟ, ସ୍ୱାସ୍ଥ୍ୟ ଓ ପର୍ସନାଲ କେୟାର ଶ୍ରେଣୀ ରହିଛି। ଏଥିରେ ତ୍ୱଚାର ଯତ୍ନ ଓ ସ୍ୱଚ୍ଛତା ସମ୍ପର୍କିତ ଉତ୍ପାଦରେ ଉପଭୋକ୍ତାଙ୍କ ଋଚି ସବୁଠୁ ଅଧିକ ଦେଖା ଯାଇଚି। ଅର୍ଡର ସଂଖ୍ୟା ଦୃଷ୍ଟିରୁ ଫ୍ୟାସନ ସବୁଠୁ ବଡ଼ ଶ୍ରେଣୀ ହୋଇ ରହିଛି। ସେହିପରି ଦୈନନ୍ଦିନ ଆବଶ୍ୟକରେ ଆସୁଥିବା ଖାଉଟି ସାମଗ୍ରୀ (ଏଫଏମସିଜି) ବିକ୍ରିରେ ସବୁଠୁ ଦ୍ରୁତ ବୃଦ୍ଧି ହୋଇଛି।

ଏହି ଶ୍ରେଣୀରେ ବାର୍ଷିକ ଆଧାରରେ ପାଖାପାଖି ୧୦୦% ବୃଦ୍ଧି ରେକର୍ଡ କରାଯାଇଛି। ଭାରତ, ଦକ୍ଷିଣ-ପୂର୍ବ ଏସିୟା ଓ ପଶ୍ଚିମ ଏସିୟାରେ ୭,୫୦୦ରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଥିବା ୟୁନିକମର୍ସ ଗ୍ରାହକଙ୍କ ମଧ୍ୟରେ ଫ୍ୟାବ ଇଣ୍ଡିଆ, ଲେନ୍ସ କାର୍ଟ, ଟାଇମେକ୍ସ, ମାମାଅର୍ଥ ଓ ବୋଟ ଭଳି ବ୍ରାଣ୍ଡର ସାମଗ୍ରୀ ଅର୍ଡର ଅଧିକ ମିଳିଛି।