ନୂଆଦିଲ୍ଲୀ: କେତେକ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ବିଜେପି ପାର୍ଟିର ଜାତୀୟ ଟିମ୍ ରେ ପରିବର୍ତ୍ତନ କରାଯାଇଛି। ଏଥିରେ ଦୀପକ ମହସ୍କେ ନୂଆ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ମହସ୍କେଙ୍କୁ ସୋସିଆଲ ମିଡିଆ ସହସଂଯୋଜକ ନିଯୁକ୍ତ ପ୍ରୀତି ଗାନ୍ଧି, ଶିବାନନ୍ଦ ଦ୍ୱିବେଦୀ, ଆଲୋକ ଭଟ୍ଟ ଓ ଅଋଣ ଯୋଦବଙ୍କ ସହଯୋଗ ମିଳିବ। ସେହିପରି ପାର୍ଟି ଅନିଲ ବଲୁନୀଙ୍କୁ ମିଡିଆ ସମନ୍ୱୟକ ନିଯୁକ୍ତ କରିଛି। ଯୁଗ୍ମ ସମନ୍ୱୟକ ଆଶିଷ ଉଷା ଅଗ୍ରୱାଲ, ପ୍ରଦୀପ ଭଣ୍ଡାରୀ ଓ ସିଦ୍ଧାର୍ଥ ଯାଦବ ତାଙ୍କୁ ସହଯୋଗ କରିବେ।

ପାର୍ଟିରେ ଏହି ପରିବର୍ତ୍ତନ ଏପରି ସମୟରେ ହୋଇଛି ଯେତେବେଳେ ରାଜନୈତିକ ଦଳ ଭୋଟରଙ୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଓ କାର୍ଯ୍ୟକର୍ତ୍ତାଙ୍କ ସହ ସିଧା ସମ୍ବାଦ ସ୍ଥାପିତ କରିବା ପାଇଁ ସୋସିଆଲ ମିଡିଆ ଓ ଡିଜିଟାଲ ପ୍ଲଟଫର୍ମର ଅଧିକାରୀକ ଉପଯୋଗ କରୁଛି। ବିଜେପିର ନୂଆ ଟିମ୍ ରେ ସଙ୍ଗଠନାତ୍ମକ ଓ ତୃଣମୂଳସ୍ତରର ଅନୁଭବ ରଖୁଥିବା ନେତାଙ୍କ ସହିତ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଯୁବ ପିଢି ମଧ୍ୟ ସାମିଲ ରହିଛି। ଏହି ନୂଆ ସୂଚୀରେ ଏକ ଉଲ୍ଲେଖନୀୟ ନାମ ହଟିଛି। ତାହା ହେଉଛି ଦୀର୍ଘ ସମୟରୁ ବିଜେପିର ସୂଚନା ଓ ପ୍ରଯୁକ୍ତି ବିଭାଗର ପ୍ରଭାରୀ ଥିବା ଅମିତ ମାଲବ୍ୟଙ୍କ ନାମ। ତେବେ ତାଙ୍କ ଏକ୍ସ ପ୍ରୋଫାଇଲରେ ସେ ଏବେବି ବିଜେପି ଜାତୀୟ ସୂଚନା ଓ ପ୍ରଯୁକ୍ତି ବିଭାଗ ପ୍ରଭାରୀ ଭାବେ ଏବେବି ରହିଛି।

ବିଜେପି ସୋସିଆଲ ମିଡିଆ ମେସିନାରୀ ଜନମତକୁ ଆକାର ଦେବା ଓ ପାର୍ଟିର ନୀତି, ଯୋଜନା, ରାଜନୈତିକ ବାର୍ତ୍ତାକୁ ପ୍ରଚାରିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏଣୁ ଆଗାମୀ ରାଜ୍ୟ ନିର୍ବାଚନ ପ୍ରସ୍ତୁତିରେ ପାର୍ଟି ନୂଆ ଟିମ୍ ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ବ୍ୟକ୍ତ କରିଛି। ବିଜେପି ଜାତୀୟ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟ କରି ନବ ନିଯୁକ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ପରିବର୍ତ୍ତନ କେବଳ ପାର୍ଟିର ସୋସିଆଲ ମିଡିଆ ଓ ସଞ୍ଚାର ବିଭାଗ ମଧ୍ୟରେ ସୀମିତ ନାହିଁ। ବରଂ ଅନେକ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠାନାତ୍ମକ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏଥିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାମ ମାଧବ, ପିୟୁଷ ଗୋୟଲ ଓ ବୈଜୟନ୍ତ ପଣ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଛି। ଏଥିରେ ବି.ଏଲ.ସନ୍ତୋଷଙ୍କୁ ଜାତୀୟ ସାଧାରଣ ସମ୍ପାଦକ (ସଙ୍ଗଠନ) ପଦରେ କାୟମ ରଖାଯାଇଛି। ବିଜେପି ରେଖା ବର୍ମା, ବର୍ଷା ବେନ ନରେନ୍ଦ୍ର ଭାଇ ଦୋଷୀ ଓ ଭାରତୀ ପ୍ରବିଣା ପାୱାରଙ୍କ ସମେତ ୧୩ ଜାତୀୟ ଉପାଧ୍ୟକ୍ଷଙ୍କ ନିଯୁକ୍ତି କରିଛି। ନୂଆ ଟିମ୍ ର ଭୌଗଳିକ ବିସ୍ତାର ମଧ୍ୟ ବ୍ୟାପକ, ଯେଉଁଥିରେ ବିଭିନ୍ନ ରାଜନୈତିକ ଓ ସଙ୍ଗଠନାତ୍ମକ ପୃଷ୍ଠଭୂମିର ନେତାଙ୍କୁ ଏକ ସଙ୍ଗରେ ଅଣାଯାଇଛି। ଏହି ସବୁ ନିଯୁକ୍ତି ବିଜେପି ଜାତୀୟ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ପୁନର୍ଗଠନର ସଂକେତ ଦେଉଛି। କାରଣ ବିଜେପି ଆଗାମୀ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛି।