ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ନେଇ ଘୋଷଣା କରିଛି ।

ବିଜେପିର ନୂଆ ଟିମରେ ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଜଣେ ରାଷ୍ଟ୍ରୀୟ ମହାସଚିବ (ସଂଗଠନ), ଦୁଇ ଜଣ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ), ଆଠ ଜଣ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରାଯାଇଛି । ବସୁନ୍ଧରା ରାଜେ ସିନ୍ଧିଆ, ତୀରଥ ସିଂହ ରାୱତ, ରାମ ମାଧବ, ବୈଜୟନ୍ତ ପଣ୍ଡା, ଡି.ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ୍ ନରେନ୍ଦ୍ରଭାଇ ଦୋଶୀ, ଭାରତୀ ପ୍ରବୀଣ ପୱାର, ମନପ୍ରୀତ ସିଂହ ବାଦଲ, ଲାଲ୍ ସିଂହ ଆର୍ଯ୍ୟ, ଏମ୍.ନାଗରାଜା, ତାରିକ୍ ମନସୁର ଏବଂ ମଧୁଚନ୍ଦ୍ର କରଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । 

 

ବିନୋଦ ତାୱଡେ ଓ ସ୍ମୃତି ଇରାନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ପାର୍ଟିର ନୂଆ ଟିମରେ ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ 'ରାଷ୍ଟ୍ରୀୟ ମହାସଚିବ' ଦାୟିତ୍ୱ ଦିଆଯାଇଛି । ଉଭୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ବିଏଲ୍. ସନ୍ତୋଷଙ୍କୁ ରାଷ୍ଟ୍ରୀୟ ମହାସଚିବ (ସଂଗଠନ) ଭାବେ ଦାୟିତ୍ୱ ମିଳିଛି । ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ରାଷ୍ଟ୍ରୀୟ ଉପ-ମହାସଚିବ (ସଂଗଠନ) ଦାୟିତ୍ୱ ଦିଆଯାଇଛି । ସେହିପରି ବିନୋଦ ତାୱଡେ, ସୁନିଲ ବଂଶଲ, ବିପ୍ଲବ କୁମାର ଦେବ, ସ୍ମୃତି ଇରାନୀ, ଡ.ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଓ ସଞ୍ଜୟ ଭାଟିଆଙ୍କୁ ରାଷ୍ଟ୍ରୀୟ ମହାସଚିବ କରାଯାଇଛି । ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି କବିତା ପାଟିଦାର, କେ.ସୁରେନ୍ଦ୍ରନ, ଡ. ଭୋଲା ସିଂହ, ଡ. ପ୍ରଦୀପ ବର୍ମା, ଜଗଦୀଶ ଇଶ୍ୱରଭାଇ ପଟେଲ, ଡ.ସନ୍ଦୀପ ପାଠକ, ଫାଙ୍ଗନୋନ କୋନ୍ୟାକ, ସଙ୍ଗୀତା ଯାଦବ, ଅନିଲ ଆଣ୍ଟୋନି, ଡ.ଏମ୍. ଭେଙ୍କଟେଶନ, ମନୋଜ ଟିଗ୍ଗା, ସିଦ୍ଧାର୍ଥ ଶମ୍ଭୁ, ଡ.ସ୍ୱଦେଶ ସିଂହ, ମୃଗାଙ୍କ ଦେଓ ବର୍ମନ, ରୋହନ ଗୁପ୍ତା, ଜୟ ପ୍ରକାଶଙ୍କୁ ଜାତୀୟ ସଚିବ କରାଯାଇଛି ।

ପୁରୀ ସାଂସଦ ସମ୍ୱିତ୍ ପାତ୍ରଙ୍କୁ ଉତ୍ତର-ପୂର୍ବାଞ୍ଚଳ ସଂଯୋଜକ କରାଯାଇଛି । ସେହିପରି ରାଜୀବ ବବ୍ବରଙ୍କୁ ଉତ୍ତର-ପୂର୍ବାଞ୍ଚଳ ଯୁଗ୍ମ ସଂଯୋଜକ କରାଯାଇଛି । ତେବେ ନୂଆ ଟିମରେ ସବୁଠୁ ବଡ଼ କଥା ହେଉଛି ଦୀର୍ଘ ଦିନ ଧରି ଆଇଟି ସେଲ୍ ମୁଖ୍ୟ ଦାୟିତ୍ୱରେ ଥିବା ଅମିତ୍ ମାଲବ୍ୟଙ୍କୁ ବାଦ ଦିଆଯାଇଛି । ସେ ଦୀର୍ଘ ସମୟ ଧରି ବିଜେପିର ଆଇଟି ସେଲ୍ ମୁଖ୍ୟ ଥିଲେ । ମାଲବ୍ୟଙ୍କ ସ୍ଥାନରେ ଦୀପକ ମହାସ୍କେଙ୍କୁ ସୋସିଆଲ ମିଡିଆ ଦାୟିତ୍ୱରେ ନିଯୁକ୍ତ କରାଯାଇଛି ।

ବିଭିନ୍ନ ମୋର୍ଚ୍ଚାର ଅଧ୍ୟକ୍ଷ

ଯୁବ ମୋର୍ଚ୍ଚା- ଡ.ହେମାଙ୍ଗ ଯୋଶୀ (ଗୁଜରାଟ)

ମହିଳା ମୋର୍ଚ୍ଚା - ରୂପ କୁମାରୀ ଚୌଧୁରୀ (ଛତିଶଗଡ଼)

ଓବିସି ମୋର୍ଚ୍ଚା - ଅମରପାଲ ମୌର୍ଯ୍ୟ (ଉତ୍ତର ପ୍ରଦେଶ)

କିଷାନ ମୋର୍ଚ୍ଚା - ବଂଶୀଲାଲ୍ ଗୁର୍ଜର (ମଧ୍ୟପ୍ରଦେଶ)

ଏସ୍‌ସି ମୋର୍ଚ୍ଚା -ଶିବେଶ କୁମାର ରାମ (ବିହାର)

ଏସ୍‌ଟି ମୋର୍ଚ୍ଚା - ଡ.ମନ୍ନାଲାଲ ରାୱତ (ରାଜସ୍ଥାନ)

ସଂଖ୍ୟାଲଘୁ ମୋର୍ଚ୍ଚା- କୁନୱର ବାସିତ ଅଲି (ଉତ୍ତର ପ୍ରଦେଶ)