ମୁମ୍ବାଇ: ଭାରତର କ୍ରୁଜ୍‌ ପର୍ଯ୍ୟଟନ ଶିଳ୍ପ ପାଇଁ ବଡ଼ ଖବର । କାର୍ଡିଲିଆ କ୍ରୁଜ୍‌ର ଦ୍ବିତୀୟ ବିଶାଳ ଜାହାଜ ‘କାର୍ଡିଲିଆ ସ୍କାଏ’ ମୁମ୍ବାଇ ବନ୍ଦରରେ ପହଞ୍ଚିଛି । ଭାରତୀୟ ପର୍ଯ୍ୟଟକଙ୍କ କ୍ରୁଜ୍‌ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ଲାଗି କମ୍ପାନୀ ଏହି ପଦକ୍ଷେପ ନେଇଛି । ତେବେ ଭାରତରେ କାର୍ଡିଲିଆ କ୍ରୁଜ୍‌ର ଜାହାଜ ସଂଖ୍ୟା ଦ୍ବିଗୁଣିତ ହୋଇଛି ।

​​​​​​​

ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ କର୍ଡିଲିଆ କ୍ରୁଜ୍ ନିଜର ପ୍ରଥମ ଜାହାଜ କାର୍ଡିଲିଆ ଏମ୍ପ୍ରେସ୍ ଭାରତରେ ପହଞ୍ଚିଥିଲା । ବର୍ତ୍ତମାନ ଫ୍ଲିଟରେ ଦ୍ୱିତୀୟ ଜାହାଜ ଯୋଡ଼ି ହୋଇଛି ।  ଫଳରେ କମ୍ପାନୀର ଯାତ୍ରୀ ପରିବହନ କ୍ଷମତା ବୃଦ୍ଧି ପାଇବ । ଯାତ୍ରୀମାନେ ଅଧିକ ନୂଆ ସ୍ଥାନ ବୁଲିବାର ମଜା ନେବେ । ବିଶ୍ୱସ୍ତରରେ ଭାରତର କ୍ରୁଜ୍ ପର୍ଯ୍ୟଟନର ପ୍ରତିଷ୍ଠା ଆହୁରି ବୃଦ୍ଧି ପାଇବ ।

ରହିଛି ଅତ୍ୟାଧୁନିକ ସୁବିଧା


କାର୍ଡିଲିଆ ସ୍କାଏ’ ପୂର୍ବ ଜାହାଜ ତୁଳନାରେ ଆକାରରେ ବଡ଼ । ଏହି ଜାହାଜର ଓଜନ ୭୭,୦୦୦ ଟନରୁ ଅଧିକ । ଏହାର ଲମ୍ବ ପ୍ରାୟ ୨୫୮ ମିଟର ଏବଂ ଜାହାଜ ଭିତରେ ଯାତ୍ରୀମାନଙ୍କ ପାଇଁ ୧,୦୦୦ରୁ ଅଧିକ ଆରାମଦାୟକ କ୍ୟାବିନ୍ ରହିଛି।  

ଏଥିରେ ୧୦ଟି ରେଷ୍ଟୁରାଣ୍ଟ, ୧୧ଟି ବାର୍, ଏକାଧିକ ସୁଇମିଂ ପୁଲ୍, ମନୋରଞ୍ଜନ କେନ୍ଦ୍ର, ୯୩୦ ଆସନ ବିଶିଷ୍ଟ ଏକ ବିଶାଳ ଥିଏଟର ରହିଛି । ଏହା ବ୍ୟତୀତ ଖେଳ ପାଇଁ ସୁବିଧା ସ୍ପା ଏବଂ ଶିଶୁ ଓ କିଶୋରମାନଙ୍କ ପାଇଁ ସ୍ୱତନ୍ତ୍ର ଜୋନ୍ ରଖାଯାଇଛି ।