Cancer drug prices may fall: କ୍ୟାନସର ରୋଗୀ ଓ ପୀଡ଼ିତ ପରିବାର ପାଇଁ ଖୁସୀର ଖବର। କିଛି ମହଙ୍ଗା କ୍ୟାନସର ଔଷଧର କାରବାର ମାର୍ଜିନକୁ ୩୦% ପର୍ଯ୍ୟନ୍ତ ସୀମିତ ରଖିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଫଳରେ କିଛି ନିର୍ଦ୍ଦିଷ୍ଟ କ୍ୟାନସର ଔଷଧର ଖୁଚୁରା ଦର ୭୦ ପ୍ରତିଶତ ପର୍ଯ୍ୟନ୍ତ କମିବ। ଏଥିରେ ରୋଗୀ ଖର୍ଚ୍ଚ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଡିପାର୍ଟମେଣ୍ଟ ଅଫ ଫାର୍ମାସୁଟିକଲ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାର ବର୍ତ୍ତମାନ କ୍ୟାନସର ଚିକିତ୍ସାରେ ନିୟମିତ ବ୍ୟବହୃତ ହେଉଥିବା ଦାମୀ ଔଷଧ ଗୁଡ଼ିକର ଚିହ୍ନଟ କରୁଛନ୍ତି। ପ୍ରସ୍ତାବିତ ବ୍ୟବସ୍ଥାରେ, ଏହି ଔଷଧଗୁଡ଼ିକର ଡିଷ୍ଟ୍ରିବ୍ୟୁଟର ଖର୍ଚ୍ଚ ଉପରେ ଟ୍ରେଡ୍‌ ମାର୍ଜିନକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରଖାଯିବ।

ସରକାରଙ୍କର ଗୁରୁତ୍ୱ ବିଶେଷ କରି ସେହି ଔଷଧଗୁଡ଼ିକ ଉପରେ ରହିଛି, ଯେଉଁଗୁଡ଼ିକ ପୂର୍ବରୁ ମହଙ୍ଗା ରହିଛି। ଏଥିରେ କିଛି ପେଟେଣ୍ଟବାଲା ଔଷଧ ବି ରହିଛି। ମହଙ୍ଗା ଔଷଧଗୁଡ଼ିକରେ ଟ୍ରେଡ୍ ମାର୍ଜିନ ଅଧିକ ହେବା କାରଣରୁ ରୋଗୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ନୂଆ ବ୍ୟବସ୍ଥା ଲାଗୁ ହେଲେ ଏହିଭଳି ଔଷଧଦଗୁଡ଼ିକର ଏମଆରପିରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ତେବେ ସବୁଠାରୁ ବଡ଼ କଥା ହେଲା ଏହାର ବାସ୍ତବିକ ଫାଇଦା କେତେ ହେବ, ତାହା ଏହାର ଚୂଡ଼ାନ୍ତ ତାଲିକାରେ ସାମିଲ ହେବାକୁ ଥିବା ଔଷଧ ଲିଷ୍ଟ ଦେଖିଲେ ଜଣାପଡ଼ିବ।

ଔଷଧ ଉପରେ ଟ୍ରେଡ ମାର୍ଜିନ କମାଇବା ନିଷ୍ପତ୍ତି ନୂଆ ନୁହେଁ। ୨୦୧୯ରେ ବି ସରକାର ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ପାଇଲଟ ପ୍ରୋଜେକ୍ଟରେ ୪୨ଟି କ୍ୟାନସର ଔଷଧର ଟ୍ରେଡ୍ ମାର୍ଜିନର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଆଉ ଏବେ ସରକାର ଏହି ବ୍ୟବସ୍ଥାକୁ ଆହୁରି ଆଗକୁ ବଢାଇବାକୁ ଚାହୁଁଛନ୍ତି।

Also Read- India Forex Reserves: ସତର୍କ ହେବାର ସମୟ ! ୧୨ ବିଲିଅନ ଡଲାର ହ୍ରାସ ପାଇଲା ବିଦେଶୀ ମୁଦ୍ରା ଭଣ୍ଡାର, କମୁଛି ଗଚ୍ଛିତ ସୁନା !

ମିଳିଥିବା ସୂଚନା ଅନୁସାରେ, କେଉଁ ଔଷଧଗୁଡ଼ିକର ଦର ନିୟନ୍ତ୍ରଣ କରାଯିବା ତା’ର ଏକ ତାଲିକା ପ୍ରସ୍ତୁତ କରାଯାଉଛି। ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS)ର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ତାଲିକା ପ୍ରସ୍ତୁତ କରୁଛି। ଶୁଣିବାକୁ ମିଳୁଛି ଯେ ପ୍ରସ୍ତାବିତ ବ୍ୟବସ୍ଥା ୧୦ ଦିନ ମଧ୍ୟରେ କାର୍ଯ୍ୟକାରୀ ହୋଇପାରେ। ତେବେ ତାଲିକାରେ ସାମିଲ୍ ହେବାକୁ ଥିବା ଔଷଧଗୁଡ଼ିକ ପାଇଁ କିଛି ମାନଦଣ୍ଡ ରହିଛି। ଯେଉଁ କ୍ୟାନସର ଔଷଧଗୁଡ଼ିକର ଦର ଅଧିକ ହୋଇଥିବ, ଏହାର ବ୍ୟବହାର ନିୟମିତ ହେଉଥିବା ପ୍ରାୟ ସେଗୁଡ଼ିକ ଏଥିରେ ସାମିଲ କରାଯିବ।

ସବୁ ଔଷଧ ଉପରେ ଲାଗିବନି ମାର୍ଜିନ କ୍ୟାପ୍

ସରକାର ସବୁ କ୍ୟାନସର ଔଷଧ ଉପରେ ୩୦% ମାର୍ଜିନ କ୍ୟାପ୍ ଲଗାଇବା ସପକ୍ଷରେ ନାହାନ୍ତି। ଅଧିକାରୀଙ୍କ କହିବା କଥା ହେଲା ଯଦି କମ ମୂଲ୍ୟର ଔଷଧ ଉପରେ ମାର୍ଜିନ ସୀମିତ କରିଦିଆଯାଏ, ତେବେ କମ୍ପାନୀଗୁଡ଼ିକ ପାଇଁ ମାର୍କେଟିଂ ଓ ଡିଷ୍ଟ୍ରିବ୍ୟୁସନ ଖର୍ଚ୍ଚ ବାହାର କରିବା କଷ୍ଟକର ହୋଇପାରେ। ଫଳରେ କମ୍ପାନୀଗୁଡ଼ିକ ବଜାରକୁ ଶସ୍ତା ଔଷଧ ଛାଡ଼ିବାରେ କୁଣ୍ଠାପ୍ରକାଶ କରିପାରନ୍ତି। ଫଳରେ ଏହି ପ୍ରକାରର ଔଷଧଗୁଡ଼ିକର ବଜାର ଉପଲବ୍ଧତା କମିଯାଇପାରେ। ତେଣୁ ସରକାର ସେହି ଔଷଧଗୁଡ଼ିକୁ ଚିହ୍ନଟ କରୁଛନ୍ତି, ଯେଉଁଗୁଡ଼ିକର ଦର ହ୍ରାସ ହେଲେ ରୋଗୀଙ୍କୁ ଅଧିକ ଫାଇଦା ହେବ ଓ ଔଷଧର ସପ୍ଲାଏରେ କୌଣସି ସମସ୍ୟା ହେବ ନାହିଁ।

ଯଦି ପ୍ରସ୍ତାବିତ ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେଲା ତେବେ ଦେଶରେ ମହଙ୍ଗା କ୍ୟାନସର ଥେରାପିର ମୂଲ୍ୟକୁ ନେଇ ବଡ଼ ପରିବର୍ତ୍ତନ ଆସିପାରେ।