ଲଣ୍ଡନ: ଓଡ଼ିଶାରେ ଜନ୍ମିତ ଉଦ୍ୟୋଗୀ ତଥା ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ କ୍ୟାପ୍ଟେନ୍ ଅରୁଣ କରଙ୍କୁ ୨୦୨୬ ପାଇଁ ‘ଟପ୍ ୫୦ ମୋଷ୍ଟ ଆମ୍ବିସିଅସ୍ ବିଜନେସ୍ ଲିଡର୍ସ’ ତାଲିକାରେ ସ୍ଥାନ ମିଳିଛି। ବ୍ରିଟେନଭିତ୍ତିକ ଟେକ୍ନୋଲୋଜି କମ୍ପାନୀ ଏକ୍ସପର୍ଟନେଷ୍ଟର ପ୍ରତିଷ୍ଠାତା ଅରୁଣ କଟକରେ ଜନ୍ମଗ୍ରହଣ କରିଛନ୍ତି । ଓଡ଼ିଶାରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଭାରତୀୟ ସେନାରୁ ବ୍ରିଟେନର ଉଦ୍ୟୋଗ ଜଗତ ପର୍ଯ୍ୟନ୍ତ ପହଞ୍ଚିଛି। ଏବେ ତାଙ୍କ ଏହି ଯାତ୍ରା ବ୍ରିଟେନ୍‌ର ପ୍ରମୁଖ ବ୍ୟବସାୟିକ ମଞ୍ଚରେ ସ୍ୱୀକୃତି ହାସଲ କରିଛି।

ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍‌ର ଅଂଶ ଏଲ୍‌ଡିସି ପକ୍ଷରୁ ‘ଦ ଟାଇମ୍ସ’ ସହଭାଗିତାରେ ଆୟୋଜିତ ‘ଦ ଏଲ୍‌ଡିସି ଟପ୍ ୫୦’ କାର୍ଯ୍ୟକ୍ରମ ଅନ୍ତର୍ଗତ ଲଣ୍ଡନର ବାଫ୍ଟା(BAFTA)ରେ ଆୟୋଜିତ ସମାରୋହରେ ଅରୁଣଙ୍କୁ ବ୍ରିଟେନ୍‌ରେ ବିଭିନ୍ନ ଅଞ୍ଚଳର ପ୍ରମୁଖ ଉଦ୍ୟୋଗୀ ଓ ବ୍ୟବସାୟୀ ନେତାଙ୍କ ସହ ସମ୍ମାନିତ କରାଯାଇଥିଲା । ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍‌ର ଅଂଶ ଥିବା ପ୍ରାଇଭେଟ୍ ଇକ୍ୱିଟି ନିବେଶକ ଏଲ୍‌ଡିସି, ‘ଦ ଟାଇମ୍ସ’ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି ।

୨୦୧୮ରୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଉଲ୍ଲେଖନୀୟ ଉଦ୍ୟୋଗୀଙ୍କ ଉଚ୍ଚାକାଂକ୍ଷା ଓ ସଫଳତାକୁ ସମ୍ମାନିତ କରାଯାଇଆସୁଛି । ଏହି ତାଲିକାରେ ସ୍ଥାନ ପାଇଥିବା ବ୍ୟବସାୟୀମାନେ ବ୍ୟବସାୟର ବିକାଶ ଓ ବିସ୍ତାର ସହ ଦୀର୍ଘମିଆଦୀ ଭିତ୍ତିରେ ମଜବୁତ ବ୍ୟବସାୟ ଗଢ଼ିବାରେ ଗୁରୁତ୍ୱ ଦେଉଛନ୍ତି । ସେମାନେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ ବଢ଼ାଇବା ସହ ନୂଆ ଉତ୍ପାଦ ଓ ସେବା ବିକଶିତ କରୁଛନ୍ତି । ପ୍ରଚଳିତ ବଜାରରେ ନୂଆ ସୁଯୋଗ ସୃଷ୍ଟି କରିବା ସହ କର୍ମଚାରୀଙ୍କ ବିକାଶରେ ମଧ୍ୟ ନିବେଶ କରୁଛନ୍ତି।

ଏହି ପଦକ୍ଷେପ ବ୍ରିଟେନର ଅର୍ଥନୀତିକୁ ଅଧିକ ମଜବୁତ ଓ ପ୍ରତିସ୍ପର୍ଦ୍ଧୀ କରିବାରେ ସହାୟକ ହେଉଛି। ଏହି ୫୦ ଜଣ ବ୍ୟବସାୟୀଙ୍କ କମ୍ପାନୀଗୁଡ଼ିକ ମିଶି ବର୍ଷକୁ ୧.୪ ବିଲିୟନ୍ ପାଉଣ୍ଡ ଆୟ କରୁଛନ୍ତି ଏବଂ ପ୍ରାୟ ୮,୫୦୦ ଲୋକଙ୍କୁ ରୋଜଗାର ଦେଉଛନ୍ତି। ଏହି କମ୍ପାନୀଗୁଡ଼ିକର ମୁଖ୍ୟାଳୟ ବ୍ରିଟେନର ୫୫ଟି ସହର ଓ ଅଞ୍ଚଳରେ ରହିଛି। ଏହା ବ୍ରିଟେନର ଅର୍ଥନୀତି ଓ ସ୍ଥାନୀୟ ଅଞ୍ଚଳର ବିକାଶରେ ମଧ୍ୟମ ଆକାରର ବ୍ୟବସାୟଗୁଡ଼ିକର ଅବଦାନକୁ ଦର୍ଶାଉଛି।

ଏନେଇ ଅରୁଣ କହିଛନ୍ତି, “ବ୍ରିଟେନର ଅନେକ ପ୍ରେରଣାଦାୟୀ ବ୍ୟବସାୟୀ ନେତାଙ୍କ ସହ ଏଲ୍‌ଡିସି ଟପ୍ ୫୦ରେ ସ୍ଥାନ ପାଇବା ମୋ ପାଇଁ ଗର୍ବର ବିଷୟ। ଉଦ୍ୟୋଗୀ ହେବା ମୋର ପ୍ରଥମ ଯୋଜନା ନଥିଲା। ସେନାରୁ ବ୍ୟବସାୟକୁ ଆସିବା ମୋ ପାଇଁ ଏକ ନୂଆ ଅନୁଭୂତି ଥିଲା ଏବଂ ଏଥିରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଥିଲା। କିନ୍ତୁ ସେନାରୁ ଶିଖିଥିବା ଦୃଢ଼ତା, ଟିମ୍‌ରେ କାମ କରିବାର ଭାବନା ଓ ଲକ୍ଷ୍ୟ ଉପରେ ଧ୍ୟାନ ରଖିବାର ଅଭ୍ୟାସ ଆଜି ବି ମୋତେ ଆଗକୁ ବଢ଼ିବାରେ ସହାୟତା କରୁଛି।”

ପ୍ରକୃତରେ ଅରୁଣ କରଙ୍କ ଉଦ୍ୟୋଗୀ ହେବାର ଯାତ୍ରା ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ । ସେ ପୂର୍ବରୁ ଭାରତୀୟ ସେନାରେ ଅଧିକାରୀ ଭାବେ କାମ କରୁଥିଲେ। କିନ୍ତୁ ଏକ ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁ ତାଙ୍କ ସେନା ଜୀବନ ଅଧାରୁ ଶେଷ ହୋଇଯାଇଥିଲା। ଏହା ପରେ ସେ ବ୍ୟବସାୟ କ୍ଷେତ୍ରରେ ପାଦ ରଖିଥିଲେ। ୨୦୧୬ରେ ବ୍ରିଟେନରେ ଏକ୍ସପର୍ଟନେଷ୍ଟ ଆରମ୍ଭ କରି ସେ ପ୍ରଯୁକ୍ତି ଓ ନୂଆ ଚିନ୍ତାଧାରା ମାଧ୍ୟମରେ ବାସ୍ତବ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ।

ଅରୁଣଙ୍କ ବାପା ଡ. ମନୋରଞ୍ଜନ କର ଓ ମାଆ ରଶ୍ମିରେଖା କର କହିଛନ୍ତି, “ସେନା ଜୀବନରୁ ଉଦ୍ୟୋଗୀ ହେବା ପର୍ଯ୍ୟନ୍ତ ଅରୁଣଙ୍କ ଯାତ୍ରାକୁ ଅତି ନିକଟରୁ ଦେଖିବା ଆମ ପାଇଁ ଏକ ଭାବପ୍ରବଣ ଅନୁଭୂତି। ସେ ଯେଉଁ ଦୃଢ଼ତା ଓ ସାହସ ଦେଖାଇଛନ୍ତି, ତାହା ପାଇଁ ଆମେ ଗର୍ବିତ। ଏହି ଯାତ୍ରା ତାଙ୍କୁ ଆଜି ଯେଉଁ ସ୍ଥାନରେ ପହଞ୍ଚାଇଛି, ତାହା ଆମ ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ।” ବର୍ତ୍ତମାନ ଏକ୍ସପର୍ଟନେଷ୍ଟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସ୍ୱୟଂଚାଳିତ ପ୍ରଯୁକ୍ତି, ଡାଟା ବିଶ୍ଳେଷଣ ଓ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ କାମ କରୁଛି। କମ୍ପାନୀର କାର୍ୟ୍ୟକ୍ଷେତ୍ର ମଧ୍ୟ ଧୀରେ ଧୀରେ ଅନ୍ତର୍ଜାତୀୟ ସ୍ତରରେ ବଢ଼ୁଛି।

ଏଲ୍‌ଡିସି ବ୍ରିଟେନରେ ନୂଆ ସ୍ୱପ୍ନ ଓ ବଡ଼ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବା ବ୍ୟବସାୟୀଙ୍କ ପାଇଁ ଏକ ବିଶ୍ୱସନୀୟ ନିବେଶ ସହଯୋଗୀ। ଲଏଡ୍ସ ବ୍ୟାଙ୍କିଂ ଗ୍ରୁପ୍‌ର ଅଂଶ ଭାବେ ଏଲ୍‌ଡିସି ବିଭିନ୍ନ କ୍ଷେତ୍ରର ଶହ ଶହ ମଧ୍ୟମ ଆକାରର କମ୍ପାନୀ ସହ କାମ କରୁଛି। ନିବେଶ, ବିଶେଷଜ୍ଞ ପରାମର୍ଶ ଓ ସହଯୋଗ ମାଧ୍ୟମରେ ଏହି କମ୍ପାନୀଗୁଡ଼ିକୁ ନୂଆ ସୁଯୋଗ ଖୋଜିବା, ବ୍ୟବସାୟ ବଢ଼ାଇବା ଏବଂ ନିଜ ଲକ୍ଷ୍ୟକୁ ସଫଳତାରେ ପରିଣତ କରିବାରେ ଏଲ୍‌ଡିସି ସହଯୋଗ କରୁଛି।