ଲ୍ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବହରାଇଚରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ୨୨ ବର୍ଷୀୟ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ବଡ଼ ରାୟ ଆସିଛି । ହତ୍ୟା ମାମଲାର ଅଭିଯୁକ୍ତକୁ ଅତିରିକ୍ତ ସେସନ୍ସ ଜଜ୍ ପବନ କୁମାର ଶର୍ମାଙ୍କ କୋର୍ଟ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି । ବହରାଇଚ କୋର୍ଟ ରାମ ଗୋପାଳଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସରଫରାଜକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ ।

ଡିସେମ୍ବର ୯ ତାରିଖରେ କୋର୍ଟ ୧୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପ୍ରମାଣ ଅଭାବରୁ ତିନି ଜଣଙ୍କୁ ମୁକ୍ତ କରିଥିଲେ। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ ଅବଦୁଲ ହମିଦ, ତାଙ୍କ ପୁଅ ଫହୀମ, ସରଫରାଜ, ତାଲିବ, ସୈଫ, ଜାଭେଦ, ଜୀଶାନ, ନାନକାଉ, ସୋଏବ ଏବଂ ମାରୁଫ। ସେମାନଙ୍କ ମଧ୍ୟରୁ ସରଫରାଜକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ସରକାରୀ ଓକିଲ ପ୍ରମୋଦ ସିଂହ କହିଛନ୍ତି ଯେ, ବିଚାର ସମାପ୍ତ ହୋଇଛି ଏବଂ ରାୟ ମାତ୍ର ୧୩ ମାସ ୨୬ ଦିନ ମଧ୍ୟରେ ପ୍ରଦାନ କରାଯାଇଛି । ଏହା ଦ୍ରୁତ ନ୍ୟାୟର ଏକ ଉଦାହରଣ।

ଏହି ଘଟଣାଟି ମାହସି ପୋଲିସ ଷ୍ଟେସନ ଅଞ୍ଚଳର ମହାରାଜଗଞ୍ଜରେ ଘଟିଥିଲା । ଏକ ଡିଜେ ଗୀତକୁ ନେଇ ବିବାଦ ଉପୁଜିଥିଲା। ପଥରମାଡ଼ ଏବଂ ଫୟାରିଂ ସମୟରେ ରାମ ଗୋପାଳ ମିଶ୍ରଙ୍କୁ ଗୁଳି ଲାଗିଥିଲା । ପୋଲିସ ଜାନୁଆରୀ ୧୧, ୨୦୨୫ରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଫେବୃଆରୀ ୧୮ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ୍ କରାଯାଇଥିଲା।

୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପରେ ନଭେମ୍ବର ୨୧ରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଅଭିଯୁକ୍ତମାନଙ୍କ CrPCର ଧାରା ୧୦୩(୨) (ଭିଡ଼ ହିଂସା ସହିତ ଜଡ଼ିତ ହତ୍ୟା)ରେ ମାମଲା ରୁଜୁ ହୋଇଛି । ଏହା ଅନୁଯାୟୀ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ଅନ୍ୟାନ୍ୟ ଧାରାଗୁଡ଼ିକ ମଧ୍ୟରେ ଧାରା ୧୯୧(୨), ୧୯୧(୩), ୧୯୦, ୧୦୯(୨), ୨୪୯, ୬୧(୨) ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା 30 ଅନ୍ତର୍ଭୁକ୍ତ । ଏହି ଧାରାରେ ଦୁଇରୁ ପାଞ୍ଚ ବର୍ଷ ଜେଲ ଦଣ୍ଡ କିମ୍ବା ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି ।