ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ଓ ଚର୍ଚ୍ଚିତ ସସପେନ୍ସ-ଥ୍ରୀଲର୍ ଫ୍ରାଞ୍ଚାଇଜ୍ 'ଦୃଶ୍ୟମ୍'କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଦୃଶ୍ୟମ୍ ୩' (Drishyam: The Conclusion) ଏହି ସିରିଜ ଶେଷ ଭାଗ ହେବ। ଏହା ପରେ ଏହି ସିରିଜର ଆଉ କୌଣସି ସିକ୍ୱେଲ୍ ଆସିବ ନାହିଁ। ଏହା ସହିତ ମାଲାୟାଲମର ମୂଳ 'ଦୃଶ୍ୟମ୍ ୩' (ମୋହନଲାଲଙ୍କ ଅଭିନୀତ) ତୁଳନାରେ ହିନ୍ଦୀ ସଂସ୍କରଣର କାହାଣୀ ଓ କ୍ଲାଏମାକ୍ସ କାହିଁକି ଭିନ୍ନ ହେବ, ସେ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି।

‘ଦୃଶ୍ୟମ୍ ୩’ରେ ଶେଷ ହେବ ବିଜୟ ସାଲଗାଓଁକରଙ୍କ କାହାଣୀ ?

ଫିଲ୍ମ ନିର୍ମାତା ଓ ଅଜୟ ଦେବଗନଙ୍କ କହିବା ଅନୁଯାୟୀ, କୌଣସି କାହାଣୀକୁ ଅଯଥାରେ ଟାଣିବା ଅପେକ୍ଷା ଉଚିତ୍ ସମୟରେ ତାହାର ସଠିକ୍ ଅନ୍ତ କରିବା ଜରୁରୀ। ବିଜୟ ସାଲଗାଓଁକର ଏବଂ ତାଙ୍କ ପରିବାରକୁ ନେଇ ଗଢ଼ିଉଠିଥିବା ଏହି ରୋମାଞ୍ଚକର ସସ୍ପେନ୍ସ କାହାଣୀର ତୃତୀୟ ଭାଗରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଫଳରେ ଦର୍ଶକଙ୍କୁ ଏକ ସମ୍ପୂର୍ଣ୍ଣ ଓ ସନ୍ତୋଷଜନକ ସମାପ୍ତି ଦେବା ପାଇଁ ଏହାକୁ ଶେଷ ଭାଗ ଭାବେ ଘୋଷଣା କରାଯାଇଛି।

Also Read: ଦୁଇ ବର୍ଷ ପରେ କ୍ୟାମେରା ସାମ୍ନାକୁ ଆସିଲା ଅଲକା ୟାଗନି, ‘ମୁଁ ଭଲ ଅଛି’ କହି ଫ୍ୟାନ୍ସଙ୍କୁ କଲେ ଇମୋସନାଲ

ମୋହନଲାଲଙ୍କ ଫିଲ୍ମଠାରୁ କାହିଁକି ଭିନ୍ନ ହେବ ହିନ୍ଦୀ 'ଦୃଶ୍ୟମ୍ ୩' ?

ପୂର୍ବରୁ 'ଦୃଶ୍ୟମ୍'ର ପ୍ରଥମ ଦୁଇଟି ଭାଗ ମାଲାୟାଲମ୍ ଫିଲ୍ମର ଅବିକଳ ରିମେକ୍ ଥିଲା। ମାତ୍ର ତୃତୀୟ ଭାଗରେ ହିନ୍ଦୀ ଦର୍ଶକଙ୍କ ପାଇଁ କିଛି ନୂଆ ଚମତ୍କାରିତା ରଖାଯାଇଛି। ମାଲାୟାଲମ ସୁପରଷ୍ଟାର ମୋହନଲାଲଙ୍କ ‘ଦୃଶ୍ୟମ୍ ୩’ ରିଲିଜ୍ ହୋଇସାରିଥିବା ବେଳେ, ହିନ୍ଦୀ ସଂସ୍କରଣର ସ୍କ୍ରିପ୍ଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ହିନ୍ଦୀ ଦର୍ଶକଙ୍କ ମନସ୍ତତ୍ତ୍ୱ ଏବଂ ସସପେନ୍ସର ମାତ୍ରାକୁ ଦୃଷ୍ଟିରେ ରଖି ଏହାର କ୍ଲାଏମାକ୍ସକୁ ଅଲଗା ଢଙ୍ଗରେ ଲେଖାଯାଇଛି, ଯାହାଫଳରେ ମାଲାୟାଲମ୍ ଫିଲ୍ମ ଦେଖିସାରିଥିବା ଦର୍ଶକଙ୍କ ପାଇଁ ବି ହିନ୍ଦୀ 'ଦୃଶ୍ୟମ୍ ୩' ସମ୍ପୂର୍ଣ୍ଣ ନୂଆ ଓ ରୋମାଞ୍ଚକର ଲାଗିବ।

ଅକ୍ଟୋବର ରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ

ଗାନ୍ଧୀ ଜୟନ୍ତୀ ଅର୍ଥାତ୍ ୨ ଅକ୍ଟୋବରରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। 'ଦୃଶ୍ୟମ୍' କାହାଣୀରେ ୨ ଅକ୍ଟୋବରର ଏକ ବିଶେଷ ମହତ୍ତ୍ୱ ଥିବାରୁ ମେକର୍ସ ଏହି ଦିନକୁ ରିଲିଜ୍ ପାଇଁ ବାଛିଛନ୍ତି। ଅଜୟ ଦେବଗନଙ୍କ ବ୍ୟତୀତ ତବୁ, ଶ୍ରୀୟା ଶରଣ ଓ ଇଶିତା ଦତ୍ତ ନିଜ ନିଜ ଭୂମିକାରେ ପୁନର୍ବାର ନଜର ଆସିବେ।