ମୁମ୍ଵାଇ ୦୯।୦୯; ଚୋଲି କେ ପିଛେ କ୍ୟା ହୈ’ ଠାରୁ ‘ଅଗର ତୁମ ସାଥ ହୋ’… ଅନେକ ହିଟ୍ ଗୀତ ଗାଇଥିବା ଗାୟିକା ଅଲକା ୟାଗନି। ଯାହାଙ୍କ ସ୍ୱର ଦଶନ୍ଧି ଧରି ମନକୁ ମତୁଆଲା କରିଛି। ସେହି ଅଳକା ଏବେ ନିଜ ଜୀବନର ଏକ କଠିନ ସମୟ ଦେଇ ଗତି କରୁଛନ୍ତି। ସେନ୍ସୋରିନ୍ୟୁରାଲ୍ ନର୍ଭ ହିଅରିଂ ଲସ୍ରେ ପୀଡ଼ିତ ହେବା ପରେ ଗତ ଦୁଇ ବର୍ଷ ଧରି ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିଲେ। କିନ୍ତୁ ଏବେ ସେ ପୁଣି କ୍ୟାମେରା ସାମ୍ନାକୁ ଆସିଛନ୍ତି । ଆଉ ତାଙ୍କ ମୁହଁରେ ଥିଲା ଏକ ବଡ଼ ସଫଳତାର ଖୁସି।

ଜୁନ୍ ୨୩ରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ ଅଳକା। ହ୍ୱିଲଚେୟାରରେ ସମ୍ମାନ ଗ୍ରହଣ କରୁଥିବା ତାଙ୍କ ଦୃଶ୍ୟ ପ୍ରଶଂସକଙ୍କୁ ଭାବବିହ୍ୱଳ କରିଥିଲା। ଏହାପରେ ଏକ ସାକ୍ଷାତକାରରେ ନିଜ ମନର କଥା କହିଥିଲେ ଅଳକା। ପଦ୍ମ ଭୂଷଣ ସମ୍ମାନକୁ ନେଇ ସେ କହିଥିଲେ, ଜଣେ କଳାକାରଙ୍କୁ ସରକାରଙ୍କ ପକ୍ଷରୁ ମିଳୁଥିବା ଏହି ସ୍ୱୀକୃତି ତାଙ୍କ ପାଇଁ ବେଶ୍ ସ୍ଵତନ୍ତ୍ର। ଏପରିକି ଦିନେ ଏଭଳି ସମ୍ମାନ ମିଳିବ ବୋଲି ସେ କେବେ କଳ୍ପନା କରିନଥିବା ମଧ୍ୟ କହିଥିଲେ। ସବୁଠୁ ଭାବପ୍ରବଣ ଥିଲା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନର ଉତ୍ତର। ‘ମୁଁ ଭଲ ଅଛି’ ଏତିକି କହି ପ୍ରଶଂସକଙ୍କୁ ଆଶ୍ୱସ୍ତ କରିଥିଲେ ଅଳକା। ଦୁଇ ବର୍ଷ ପରେ କ୍ୟାମେରା ସାମ୍ନାରେ ଆସିବା ଏବଂ ପ୍ରଶଂସକଙ୍କ ଭଲପାଇବା ପାଇବା ତାଙ୍କ ପାଇଁ ମଧ୍ୟ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା।

ତାଙ୍କ ଏହି ସାକ୍ଷାତକାର ସାମ୍ନାକୁ ଆସିବା ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ପ୍ରଶଂସକ। ପ୍ରିୟ ଗାୟିକାଙ୍କୁ ଏଭଳି ଅବସ୍ଥାରେ ଦେଖି ଅନେକଙ୍କ ଆଖିରେ ଲୁହ ଆସିଛି। ତଥାପି ଅଳକାଙ୍କ ମୁହଁରେ ରହିଛି ଆତ୍ମବିଶ୍ୱାସ। ଆଉ ଏହି ଆତ୍ମବିଶ୍ୱାସ ହିଁ ଆଜି ତାଙ୍କ ପ୍ରଶଂସକଙ୍କ ପାଇଁ ସବୁଠୁ ବଡ଼ ଆଶା। ଅଳକାଙ୍କ ସ୍ୱର ଯେପରି କୋଟି କୋଟି ଲୋକଙ୍କ ଜୀବନରେ ଖୁସି ଭରିଛି, ସେହିଭଳି ତାଙ୍କ ଜୀବନରେ ମଧ୍ୟ ଖୁବଶୀଘ୍ର ସୁସ୍ଥତାର ଫେରିଆସୁ ଏହା ହିଁ ଏବେ ପ୍ରଶଂସକଙ୍କ ପ୍ରାର୍ଥନା।