ଭାରତରେ ଅନେକ ଲୋକଙ୍କର ଖାଇବା ପରେ ଚା’ ପିଇବା ଅଭ୍ୟାସ ରହିଛି। କିଛି ଲୋକଙ୍କ ପାଇଁ ଚା’ ନ ପିଇଲେ ଖାଇବା ଅଧୁରା ଲାଗେ। କିନ୍ତୁ ଆପଣ ଜାଣନ୍ତି କି, ପ୍ରତିଦିନ ଖାଇବା ପରେ ତୁରନ୍ତ ଚା’ ପିଇବା ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ? ଚା’ରେ ଥିବା କିଛି ଉପାଦାନ ଖାଦ୍ୟରୁ ମିଳୁଥିବା ଆଇରନ୍ ଶରୀରରେ ଶୋଷିତ ହେବାରେ ବାଧା ସୃଷ୍ଟି କରିଥାଏ। ବିଶେଷକରି ଯେଉଁମାନଙ୍କ ଶରୀରରେ ପୂର୍ବରୁ ଆଇରନ୍ର ଅଭାବ ରହିଛି, ସେମାନେ ଏହି ଅଭ୍ୟାସ ପ୍ରତି ସତର୍କ ରହିବା ଆବଶ୍ୟକ। ତେଣୁ ଖାଇବା ପରେ କେତେ ସମୟ ବ୍ୟବଧାନରେ ଚା’ ପିଇବା ଉଚିତ ଏବଂ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ କିପରି ପଡ଼ିଥାଏ, ତାହା ଜାଣିବା ଜରୁରୀ।

ଚା’ରେ ଟାନିନ୍ ଏବଂ ପଲିଫେନଲ୍ ନାମକ ଉପାଦାନ ରହିଥାଏ। ଏହି ଉପାଦାନଗୁଡ଼ିକ ଖାଦ୍ୟରୁ ମିଳୁଥିବା ଆଇରନ୍କୁ ଶରୀର ଠିକ୍ ଭାବରେ ଶୋଷଣ କରିବାରେ ବାଧା ଦେଇଥାନ୍ତି। ବିଶେଷକରି ଡାଲି, ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟରୁ ମିଳୁଥିବା ଆଇରନ୍ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଯଦି କେହି ପ୍ରତିଦିନ ଖାଇବା ପରେ ତୁରନ୍ତ ଚା’ ପିଅନ୍ତି, ତେବେ ଶରୀରକୁ ଆବଶ୍ୟକ ପରିମାଣର ଆଇରନ୍ ମିଳିବାରେ ସମସ୍ୟା ହୋଇପାରେ। ଦୀର୍ଘଦିନ ଧରି ଏପରି ହେଲେ ଶରୀରରେ ଆଇରନ୍ର ଅଭାବ ଦେଖାଦେବା ସହ ରକ୍ତହୀନତା ବା ଆନିମିଆର ଆଶଙ୍କା ବଢ଼ିପାରେ। ଏହାଦ୍ୱାରା ଥକ୍କାପଣ, ଦୁର୍ବଳତା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇପାରେ।

ଖାଲି ସେତିକି ନୁହେଁ ପେଟ ଜଳାପୋଡ଼ା ସହ ନିଦ ଉପରେ ପଡ଼ିପାରେ ପ୍ରଭାବ !

ଚା’ରେ ରହିଥାଏ କ୍ୟାଫିନ୍ , ଯାହା କିଛି ଲୋକଙ୍କ ପେଟ ଉପରେ ପ୍ରଭାବ ପକାଇଥାଏ। ଖାଇବା ପରେ ତୁରନ୍ତ ଚା’ ପିଇଲେ ପୂର୍ବରୁ ଏସିଡିଟି କିମ୍ବା ଛାତି ଜଳାପୋଡ଼ା ସମସ୍ୟା ଥିବା ଲୋକଙ୍କ ଅସୁବିଧା ବଢ଼ିପାରେ। ତେବେ ଏହାର ପ୍ରଭାବ ସମସ୍ତଙ୍କ କ୍ଷେତ୍ରରେ ସମାନ ହୋଇନଥାଏ। ଏହା ବ୍ୟତୀତ ଦିନସାରା ବାରମ୍ବାର ଚା’ ପିଇବା ଦ୍ୱାରା ଶରୀରରେ କ୍ୟାଫିନ୍ର ମାତ୍ରା ବଢ଼ିପାରେ। ବିଶେଷକରି ରାତିରେ ଖାଇବା ପରେ ଚା’ ପିଇଲେ କିଛି ଲୋକଙ୍କୁ ନିଦ ଆସିବାରେ ସମସ୍ୟା ହୋଇଥାଏ। ଠିକ୍ ଭାବରେ ନିଦ ନହେଲେ ପରଦିନ ଥକ୍କାପଣ ଓ ଅଳସୁଆ ଲାଗିପାରେ। ସେହିପରି ଚା’ରେ ଅଧିକ ଚିନି ମିଶାଇ ପିଇଲେ ଶରୀରକୁ ଆବଶ୍ୟକତାଠାରୁ ଅଧିକ କ୍ୟାଲୋରି ମିଳିଥାଏ।

also read- ବିଦେଶରେ ନୁହେଁ, ଭାରତରେ ବାହାଘର କଲେ ବଞ୍ଚିବ ଲକ୍ଷ ଲକ୍ଷ ଟଙ୍କା!

ଖାଇବାର କେତେ ସମୟ ପରେ ପିଇବା ଉଚିତ ଚା’?ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ନିର୍ଦ୍ଦେଶାବଳୀ ଅନୁଯାୟୀ, ଖାଇବାର ଅତି କମ୍ରେ ଏକ ଘଣ୍ଟା ପୂର୍ବରୁ ଏବଂ ଖାଇବାର ଏକ ଘଣ୍ଟା ପର୍ଯ୍ୟନ୍ତ ଚା’ କିମ୍ବା କଫି ପିଇବାରୁ ଦୂରେଇ ରହିବା ଉଚିତ। ଏହାଦ୍ୱାରା ଖାଦ୍ୟରୁ ମିଳୁଥିବା ଆଇରନ୍ ଶରୀରରେ ଭଲ ଭାବରେ ଶୋଷିତ ହେବାରେ ସହାୟତା ମିଳିଥାଏ। ଯଦି ଆପଣଙ୍କର ଚା’ ପିଇବା ଅଭ୍ୟାସ ରହିଛି, ତେବେ ଦୁଇଥର ଖାଇବା ମଧ୍ୟରେ ଚା’ ପିଇପାରିବେ। ଖାଇବା ସମୟରେ ଚା’ ବଦଳରେ ପାଣି ପିଇବା ଭଲ।

ଏଥିସହ ନିଜ ଖାଦ୍ୟରେ ଡାଲି, ସବୁଜ ପତ୍ରଯୁକ୍ତ ପନିପରିବା ଏବଂ ଅଁଳା, ପିଜୁଳି ଓ ଲେମ୍ବୁ ଭଳି ଭିଟାମିନ୍-ସି ଯୁକ୍ତ ଫଳ ସାମିଲ କରନ୍ତୁ। ଭିଟାମିନ୍-ସି ଶରୀରକୁ ଖାଦ୍ୟରୁ ମିଳୁଥିବା ଆଇରନ୍ ଭଲ ଭାବରେ ଶୋଷଣ କରିବାରେ ସାହାଯ୍ୟ କରେ। ତେଣୁ ଚା’ ପିଇବା ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ କରି ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ।