ନୂଆଦିଲ୍ଲୀ ୨୯।୧୧; ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଡ୍ରୋନ୍ ଆକ୍ରମଣ। ଆକାଶମାର୍ଗରୁ ଉଭୟ ଦେଶ ପରସ୍ପର ଉପରେ କରୁଛନ୍ତି ଘନଘନ ଆକ୍ରମଣ। ଶନିବାର ୟୁକ୍ରେନ ଉପରେ ରୁଷର ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୦ ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଅନ୍ୟପଟେ ରୁଷ ଦାବି କରିଛି ଯେ, ରାତାରାତି ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୧,୨୪୬ଟି ୟୁକ୍ରେନୀୟ ଡ୍ରୋନ୍ ଖସାଇ ଦେଇଛି।

ୟୁକ୍ରେନର ଉତ୍ତର ଚେର୍ନିହିଭ୍ ଅଞ୍ଚଳର ନିଜିନ ସହରରେ ରୁଷର ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ସେହିପରି ରାଜଧାନୀ କିଭ୍ରେ ଜଣେ ମହିଳାଙ୍କ ଜୀବନ ଯାଇଛି ଏବଂ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। କିଭ୍ ନିକଟସ୍ଥ ବିଲା ତ୍ସେରକଭା ସହରରେ ମଧ୍ୟ ରାତିସାରା ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଅନ୍ୟପଟେ ରୁଷ ଅଧିକୃତ ଜାପୋରିଝିଆ ଅଞ୍ଚଳରେ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣରେ ଜଣେ ନର୍ସ ଓ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ରୁଷ ସମର୍ଥିତ ଅଧିକାରୀମାନେ ଦାବି କରିଛନ୍ତି। ଏଥିରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

କେବଳ ଜନବସତି ନୁହେଁ, ଏବେ ଉଭୟ ଦେଶର ଶକ୍ତି ଭିତ୍ତିଭୂମି ଓ ତୈଳ ପ୍ରତିଷ୍ଠାନ ମଧ୍ୟ ଆକ୍ରମଣର ଟାର୍ଗେଟ୍ ପାଲଟିଛି। ୟୁକ୍ରେନର ବିଦ୍ୟୁତ୍ ଓ ତାପ କେନ୍ଦ୍ର ସହ କିଭ୍ର ଏକ ବିଦ୍ୟୁତ୍ ସବଷ୍ଟେସନକୁ ରୁଷ ଟାର୍ଗେଟ୍ କରିଥିବା ସ୍ୱୀକାର କରିଛି। ଏହାପରେ କିଭ୍ର କିଛି ଅଞ୍ଚଳରେ ବିଦ୍ୟୁତ୍ ଓ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ମେୟର ଚେତାବନୀ ଦେଇଛନ୍ତି। ଏହାରି ଭିତରେ ମସ୍କୋ ଅଭିମୁଖେ ଆସୁଥିବା ୧୨୩ଟି ଡ୍ରୋନ୍କୁ ୮ ଘଣ୍ଟା ମଧ୍ୟରେ ଖସାଇ ଦେଇଥିବା ଦାବି କରିଛି ରୁଷ। ଦୁଇ ଦେଶ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଓ ପ୍ରତିଆକ୍ରମଣ ଯୁଦ୍ଧକୁ ଆହୁରି ଜଟିଳ କରିଦେଇଛି। ଯୁଦ୍ଧର ଏହି ଭୟଙ୍କର ପରିସ୍ଥିତିରେ ସାଧାରଣ ନାଗରିକଙ୍କ ଜୀବନ ଏବେ ସବୁଠାରୁ ବଡ଼ ବିପଦରେ ପଡ଼ିଛି।