ନୂଆଦିଲ୍ଲୀ:  ‘ମକ୍କା ପ୍ରତିରକ୍ଷା ଚୁକ୍ତି’କୁ କାର୍ଯ୍ୟକାରୀ କରିବା ଦିଗରେ ପାକିସ୍ତାନ ବଡ଼ ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନ ଏକ ସୈନ୍ୟ ଦଳକୁ ସାଉଦି ଆରବକୁ ପଠାଇଛି। ସାଉଦି ଆରବର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ସୈନ୍ୟ ମୁତୟନ କରାଯାଇଛି। କିନ୍ତୁ ସାଉଦି ଆରବ ଦୀର୍ଘ ଦିନ ଧରି ବିଭିନ୍ନ ଆକ୍ରମଣର ଶିକାର ହୋଇଆସୁଥିବା ବେଳେ, ପାକିସ୍ତାନ ନିଜର ସେନା ମୁତୟନ କରିଛି। ବାସ୍ତବ ଯୁଦ୍ଧରେ ପାକିସ୍ତାନ ସୈନ୍ୟ କେତେ ଉପଯୋଗୀ ସାବ୍ୟସ୍ତ ହେବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସାଉଦିକୁ ସୁରକ୍ଷା ଦେବ ପାକିସ୍ତାନ !
ପାକିସ୍ତାନ ସେନାର ଗଣମାଧ୍ୟମ ଶାଖା ‘ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ’ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଏହି ସୈନ୍ୟ ଦଳ ପାଇଁ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜନ କରାଯାଇଥିଲା। ଇସଲାମାବାଦଠାରେ ପାକିସ୍ତାନ, ସାଉଦି ଆରବ ଏବଂ ତୁର୍କୀର ବରିଷ୍ଠ ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଗୋଟିଏ ଦିନ ପରେ ସୈନ୍ୟ ପଠାଯାଇଛି। ବୈଠକରେ ତିନି ଦେଶର ପ୍ରତିନିଧିମାନେ ମକ୍କା ଚୁକ୍ତିନାମାର ସାମୂହିକ ପ୍ରତିରକ୍ଷା ବ୍ୟବସ୍ଥା ଅଧୀନରେ ସାଉଦି ଆରବର ସାର୍ବଭୌମତ୍ୱ ରକ୍ଷା କରିବା ପାଇଁ ସେମାନଙ୍କର ମିଳିତ ସଂକଳ୍ପକୁ ଦୋହରାଇଥିଲେ। ଆଇଏସପିଆର ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁଇ ଦେଶ ମଧ୍ୟରେ ଥିବା ଦୀର୍ଘଦିନର ରଣନୈତିକ ଭାଗିଦାରୀକୁ ଦୃଷ୍ଟିରେ ରଖି ସାଉଦି ଆରବର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ପାକିସ୍ତାନର ଅଟଳ ପ୍ରତିବଦ୍ଧତାର ଏହା ଏକ ପ୍ରତିଫଳନ। 

ପ୍ରକୃତ ଯୁଦ୍ଧରେ ପାକ୍‌ ସୈନ୍ୟଙ୍କ ଭୂମିକା କଣ ?
ଏହି ବିଦାୟକାଳୀନ ସମାରୋହରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ପାକିସ୍ତାନରେ ଅବସ୍ଥାପିତ ସାଉଦି ଆରବର ରାଷ୍ଟ୍ରଦୂତ ରାଜେହ ତାମି ଅଲବୁଗାମି, ଚିଫ୍ ଅଫ୍ ଜେନେରାଲ୍ ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ଓମର ଅହମ୍ମଦ ବୋଖାରୀ ଏବଂ ଲାହୋର କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ମହମ୍ମଦ ଉମର ବଶିର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପାକିସ୍ତାନ ଏହି ସୈନ୍ୟ ମୁତୟନକୁ ମକ୍କା ମିଳିତ ପ୍ରତିରକ୍ଷା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ଭାବେ ଉପସ୍ଥାପନ କରୁଥିଲେ ହେଁ, ଏହି ମେଣ୍ଟର ବାସ୍ତବ ସାମରିକ ପ୍ରସ୍ତୁତି ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। 

ସ୍ପଷ୍ଟ ହୋଇନି ରୂପରେଖ 
​​​​​​​ସୈନ୍ୟ ବାହିନୀର ସମନ୍ୱୟ ଏବଂ ଯୁଦ୍ଧ ସମୟର ନିୟମାବଳୀ ନେଇ ସ୍ପଷ୍ଟ ବ୍ୟବସ୍ଥା ନଥିବାରୁ କୌଣସି ସାମରିକ ଜରୁରୀକାଳୀନ ପରିସ୍ଥିତିରେ ଏହି ମେଣ୍ଟ କିପରି କାର୍ଯ୍ୟ କରିବ, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ପୂର୍ବରୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆଞ୍ଚଳିକ ସଙ୍କଟ ସମୟରେ ପରଷ୍ପର ମଧ୍ୟରେ ସମନ୍ୱିତ ସାମରିକ ସହାୟତାର ଅଭାବ ଦେଖିବାକୁ ମିଳିଥିବାରୁ ଏହି ମେଣ୍ଟର ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ସୂଚନାଯୋଗ୍ୟ ଯେ, ୨୦୨୬ ଅଗଷ୍ଟରେ ମକ୍କାଠାରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ, ତୁର୍କୀ ରାଷ୍ଟ୍ରପତି  ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଏହି ୧୬ଟି ଧାରା ବିଶିଷ୍ଟ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ।