ଲଣ୍ଡନ: କେହି ଭାବି ନଥିଲେ, ତାହା ହିଁ ହେଲା। ଗୋଟିଏ ଗର୍ଭରେ ଏକାଥରେ ୪ଟି ଶିଶୁ ! ଡାକ୍ତର ଦମ୍ପତିଙ୍କୁ ଏହି ସୂଚନା ଦେବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଏପରିକି ସ୍କାନରେ ଭୁଲ୍ ହୋଇଥିବ ବୋଲି ଭାବିଥିଲେ। କିନ୍ତୁ ଯାଞ୍ଚ ପରେ ଜଣାପଡ଼ିଲା, ମା'ଙ୍କ ଗର୍ଭରେ ୪ଟି ଶିଶୁ ରହିଛନ୍ତି। ଏହାପରେ ଏକ ଜଟିଳ ଗର୍ଭଧାରଣ ପ୍ରକ୍ରିୟା ମଧ୍ୟରେ ୩୦ ଜଣ ଡାକ୍ତର ଓ କ୍ଲିନିକାଲ୍ ଟିମରେ ସହଯୋଗରେ ୪ ଶିଶୁଙ୍କ ଜନ୍ମ ହୋଇଛି।

ବ୍ରିଟେନର ଗ୍ଲେନା ଆଲଫୋନ୍ସ ଏବଂ ଜନ୍ ପଲ୍ ଜୋଶ୍ ଏହି ୪ ଶିଶୁଙ୍କ ମାତାପିତା ହୋଇଛନ୍ତି। ପ୍ରତିବର୍ଷ ବ୍ରିଟେନରେ ହାତଗଣତି କିଛି ଦମ୍ପତି ଏକାଥରେ ୪ଟି ଶିଶୁଙ୍କ ଜନ୍ମ ଦେଇଥାନ୍ତି। ପ୍ରାୟ ୭ ଲକ୍ଷରେ ଜଣେ ଏଭଳି ଚାରି ଶିଶୁଙ୍କ ଗର୍ଭଧାରଣ କରିବାର ସମ୍ଭାବନା ଥାଏ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ଦମ୍ପତିଙ୍କ ଗର୍ଭରୁ ଦୁଇ ପୁଅ ଓ ଦୁଇ ଝିଅ ଜନ୍ମ ନେଇଛନ୍ତି। ଜଟିଳ ଗର୍ଭଧାରଣ ଯୋଗୁଁ କାର୍ଡିଫ୍ର ୟୁନିଭର୍ସିଟି ହସ୍ପିଟାଲ୍ ଅଫ୍ ୱେଲ୍ସରେ ୨୭ ସପ୍ତାହରେ ଶିଶୁମାନଙ୍କ ଜନ୍ମ ହୋଇଥିଲା। ଜନ୍ମ ସମୟରେ ଶିଶୁମାନଙ୍କ ଓଜନ ୭୪୫ ଗ୍ରାମ୍ରୁ ୧.୧୮ କିଲୋଗ୍ରାମ୍ ମଧ୍ୟରେ ଥିଲା। ଏବେ ସେମାନଙ୍କୁ ପରିବାରର ଘର ନିକଟରେ ଥିବା ସ୍ୱାନସିର ସିଙ୍ଗଲଟନ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଶିଶୁମାନେ ନିଜର ଖାଦ୍ୟ ଗ୍ରହଣ ଓ ଓଜନ ବୃଦ୍ଧି ପାଇଁ ବିଶେଷ ନବଜାତ ଶିଶୁ ଚିକିତ୍ସା ସେବା ପାଉଛନ୍ତି।

ଗର୍ଭଧାରଣର ଜଟିଳତାକୁ ଦୃଷ୍ଟିରେ ରଖି ଗ୍ଲେନାଙ୍କୁ ୱେଲ୍ସର ଫିଟାଲ୍ ମେଡିସିନ୍ ବିଭାଗର ମୁଖ୍ୟ ପରାମର୍ଶଦାତା ଡାକ୍ତର ବ୍ରାୟନ୍ ବିଟିଙ୍କ ନିକଟକୁ ପଠାଯାଇଥିଲା। ଡାକ୍ତରଙ୍କ ସହଯୋଗ ଓ ପରାମର୍ଶ ଦମ୍ପତିଙ୍କୁ ମାନସିକ ଭାବେ ସାହାଯ୍ୟ କରିଥିଲା। ସେମାନଙ୍କ ପାଇଁ କାଉନସେଲିଂର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।