ନୂଆଦିଲ୍ଲୀ: WWE କିମ୍ବଦନ୍ତୀ ରେ’ ମିଷ୍ଟେରିଓ ଖୁବଶୀଘ୍ର ଅବସର ନେବାକୁ ଯାଉଛନ୍ତି ।  ଆଉ ଏହା ସହିତ ତାଙ୍କର ତିନି ଦଶନ୍ଧିରୁ ଅଧିକ ସମୟର ଗୌରବମୟ ରେସଲିଂ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ୨୦୨୭ ମସିହା ଜୁନ୍ ୧୨ ତାରିଖରେ ମେକ୍ସିକୋ ସିଟିରେ ସେ ନିଜ କ୍ୟାରିୟରର ଶେଷ ମୁକାବିଲା ଖେଳିବେ ବୋଲି ୫୧ ବର୍ଷୀୟ ଏହି ମହାନ ରେସଲର ସ୍ପଷ୍ଟ କରିଛନ୍ତି ।

ଡବ୍ଲ୍ୟୁଡବ୍ଲ୍ୟୁଇର ‘ସର୍ଭାଇଭର ସିରିଜ୍: ୱାରଗେମ୍ସ’ ଇଭେଣ୍ଟର ପୋଷ୍ଟ-ଶୋ ସେଗମେଣ୍ଟରେରେ ରବିବାର ମିଷ୍ଟେରିଓ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କର ବିଦାୟୀ ମ୍ୟାଚ୍ ମେକ୍ସିକୋ ସିଟିର ଐତିହାସିକ ‘ଏଷ୍ଟାଡିଓ ବାନୋର୍ଟେ’ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପ୍ରଶଂସକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ୨୦୨୭ ଜୁନ୍ ୧୨ ତାରିଖରେ ମେକ୍ସିକୋ ସିଟିର ଏହି ଷ୍ଟାଡିୟମରେ ସେ ରିଙ୍ଗକୁ ଓହ୍ଲାଇବେ । ତାହା ହିଁ  ରେ’ ମିଷ୍ଟେରିଓଙ୍କ  ଅନ୍ତିମ ମ୍ୟାଚ୍ ହେବ।

୧୯୮୯ ମସିହାରେ କିଶୋର ଅବସ୍ଥାରୁ ନିଜର ପେଶାଦାର ରେସଲିଂ ଯାତ୍ରା ଆରମ୍ଭ କରିଥିଲେ ମିଷ୍ଟେରିଓ । ୨୦୦୨ରେ ଡବ୍ଲ୍ୟୁଡବ୍ଲ୍ୟୁଇରେ ପଦାର୍ପଣ କରିବା ପୂର୍ବରୁ ଡବ୍ଲ୍ୟୁସିଡବ୍ଲ୍ୟୁ , ଇସିଡବ୍ଲ୍ୟୁ (ECW), ଏଏଏ ଏବଂ ସିଏମଏଲଏଲ ଭଳି ପ୍ରତିଷ୍ଠିତ ରେସଲିଂ ସଂସ୍ଥାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମେକ୍ସିକୋର ପାରମ୍ପରିକ ତଥା ରୋମାଞ୍ଚକର ‘ଲୁଚା ଲିବ୍ରେ’ ଶୈଳୀକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ତାଙ୍କର ରଙ୍ଗୀନ ମୁଖା, ଅବିଶ୍ୱସନୀୟ ଚପଳତା ଏବଂ ଚର୍ଚ୍ଚିତ ‘୬୧୯’ ଫିନିସିଂ ମୁଭ୍ ବେଶ ଚର୍ଚ୍ଚିତ ଏବଂ ଲୋକପ୍ରିୟ ।

Also Read: ମାତ୍ର ୩୮ ବର୍ଷ ବୟସରେ WWE ସୁପରଷ୍ଟାର ବ୍ରନସନ୍ ରିଡଙ୍କ ପରଲୋକ, ଶୋକରେ ବୁଡ଼ିଲା ରେସଲିଂ ଜଗତ

ଦୀର୍ଘ କ୍ୟାରିୟରରେ ରେ ମିଷ୍ଟେରିଓ ତିନୋଟି ବିଶ୍ୱ ଚାମ୍ପିୟନଶିପ୍, ରୟାଲ୍ ରମ୍ବଲ୍ ବିଜେତା, ତିନୋଟି ୟୁନାଇଟେଡ୍ ଷ୍ଟେଟ୍ସ ଟାଇଟଲ୍, ଦୁଇଟି ଇଣ୍ଟରକଣ୍ଟିନେଣ୍ଟାଲ୍ ଟାଇଟଲ୍ ଏବଂ ୫ଟି ଟ୍ୟାଗ୍ ଟିମ୍ ଚାମ୍ପିୟନଶିପ୍ ଜିତିଛନ୍ତି। ଏହା ବ୍ୟତୀତ ସେ ତିନିଥର କ୍ରୁଜରୱେଟ୍ ଚାମ୍ପିୟନଶିପ୍ ହାସଲ କରିବା ସହ ‘ଗ୍ରାଣ୍ଡ୍ ସ୍ଲାମ୍ ଚାମ୍ପିୟନ୍’ ହେବାର ଗୌରବ ଅର୍ଜନ କରିଛନ୍ତି।