ନୂଆଦିଲ୍ଲୀ: ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ପିତା କିଙ୍ଗ ଚାର୍ଲସ୍ ତୃତୀୟ ସ୍କଟଲ୍ୟାଣ୍ଡରେ ଏକ ଗୋପନୀୟ ବୈଠକରେ ପରଷ୍ପରକୁ ଭେଟିଛନ୍ତି । ୨୦୨୦ ମସିହାରେ ରାଜକୀୟ ଦାୟିତ୍ୱରୁ ଓହରି ଯିବା ପରଠାରୁ ବ୍ରିଟିଶ ରାଜପରିବାର ସହ ପ୍ରିନ୍ସ ହ୍ୟାରିଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଆସୁଛି । ନିଜ ପରିବାର ସହ ସଂପର୍କ ସୁଧାରିବାକୁ ଡ୍ୟୁକ୍ ଅଫ୍ ସସେକ୍ସ ପ୍ରିନ୍ସ ହ୍ୟାରି ଚେଷ୍ଟା କରିଆସିଛନ୍ତି । ଏହାରି ମଧ୍ୟରେ ବାପା-ପୁଅଙ୍କ ମଧ୍ୟରେ ଏହି ପ୍ରାଇଭେଟ୍‌ ମିଟିଂ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କିନ୍ତୁ ବଡ଼ କଥା ହେଉଛି, ଏହି ବୈଠକରେ ପ୍ରିନ୍ସ ହ୍ୟାରିଙ୍କ ପତ୍ନୀ ମେଗାନ ମର୍କେଲ ଏବଂ ତାଙ୍କ ପିଲାମାନେ ଉପସ୍ଥିତ ନଥିଲେ । 

ବ୍ରିଟିଶ ଗଣମାଧ୍ୟମ ‘ଦ ସନ୍’ର ରିପୋର୍ଟ ଅନୁଯାୟୀ, ସ୍କଟଲ୍ୟାଣ୍ଡର ବାଲମୋରାଲ୍ ଇଷ୍ଟେଟରେ ପିତା-ପୁତ୍ରଙ୍କର ଏହି ବ୍ୟକ୍ତିଗତ ସାକ୍ଷାତ ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧୭ରେ କିଙ୍ଗ ଚାର୍ଲସ୍‌ ଏବଂ ପ୍ରିନ୍ସ ହ୍ୟାରିଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଥିଲା । କିଙ୍ଗ ଚାର୍ଲସ୍ ନିଜ ସାନ ପୁଅ ହ୍ୟାରିଙ୍କୁ ବାଲମୋରାଲ୍ ଇଷ୍ଟେଟ୍ ସ୍ଥିତ ତାଙ୍କ ବ୍ୟକ୍ତିଗତ ବାସଭବନ ‘ବର୍କହଲ୍’ରେ କିଛି ସମୟ ବିତାଇବା ପାଇଁ ନିମନ୍ତ୍ରଣ କରିଥିଲେ ବୋଲି କୁହାଯାଉଛି । ଜନସାଧାରଣଙ୍କ ନଜରରୁ ସମ୍ପୂର୍ଣ୍ଣ ଦୂରରେ ହୋଇଥିବା ଏହି ବୈଠକରେ ମେଗାନ୍ ମର୍କେଲ୍ ଏବଂ ସେମାନଙ୍କର ଦୁଇ ସନ୍ତାନ ପ୍ରିନ୍ସ ଆର୍ଚି ଏବଂ ପ୍ରିନ୍ସେସ୍ ଲିଲିବେଟ୍ ଉପସ୍ଥିତ ନଥିଲେ ।

ରାଣୀ କାମିଲା ମଧ୍ୟ ରୟାଲ୍ ଆସ୍କଟ୍‌ଠାରେ ଆୟୋଜିତ ‘ଚାମ୍ପିଅନ୍ସ ଡେ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାରୁ ବାହାରେ ଥିଲେ। ଫଳରେ କିଙ୍ଗ ଚାର୍ଲସ୍ ଏବଂ ହ୍ୟାରିଙ୍କୁ ଏକାନ୍ତରେ ପରଷ୍ପର ସହ ସମୟ ବିତାଇବା ପାଇଁ ଏକ ଭଲ ସୁଯୋଗ ମିଳିଥିଲା। ‘ଦ ସନ୍’ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଖବର ପ୍ରକାଶ କରିଛି ଯେ, ଉଭୟ ପକ୍ଷ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ଆଗ୍ରହ ରଖିଛନ୍ତି । ତେବେ ଏହି ଗୋପନୀୟ ବୈଠକରେ ପିତା-ପୁତ୍ରଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି, ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁ ।

ପ୍ରିନ୍ସ ହ୍ୟାରି ଏବଂ ରାଜପରିବାର ମଧ୍ୟରେ ଚାଲିଥିବା ଦୀର୍ଘଦିନର ବିବାଦ ମଧ୍ୟରେ ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ହ୍ୟାରି ଏବଂ ମେଗାନ୍ ରାଜକୀୟ ସଦସ୍ୟ ପଦ ଛାଡ଼ି ଆମେରିକାର କାଲିଫର୍ନିଆକୁ ଚାଲିଯାଇଥିଲେ। ଏହାପରେ ବିଭିନ୍ନ ସାକ୍ଷାତକାର, ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ଏବଂ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର୍’ରେ ରାଜପରିବାର ବିରୋଧରେ ଅନେକ ଖୁଲାସା ହେବା ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତେବେ ନିକଟ ଅତୀତରେ ହ୍ୟାରି ପରିବାର ମଧ୍ୟରେ ଥିବା ସମସ୍ତ ମତଭେଦକୁ ଭୁଲି ଆଗକୁ ବଢ଼ିବାକୁ ଚାହୁଁଥିବା କଥା କହିଛନ୍ତି।