ନ୍ୟୁୟର୍କ, ୦୧/୦୪ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ଇରାନ ଯୁଦ୍ଧପରଠାରୁ ଖସିବାରେ ଲାଗିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କ ନେଟ୍ ଆପ୍ରୁଭାଲ ରେଟିଂ ‘ମାଇନସ୍ ୧୭’ରେ ପହଞ୍ଚିଛି, ଯାହା କି ଅଦ୍ୟାବଧି ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ସବୁଠୁ କମ୍ ।

ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ବେଳେ ସକରାତ୍ମକ ସମର୍ଥନ ମିଳିଥିଲା । କିନ୍ତୁ ସମୟ ସହ ତାଙ୍କ ଲୋକପ୍ରିୟତା ଦ୍ରୁତଗତିରେ କମିଚାଲିଛି । ଆମେରିକା ଇତିହାସରେ ଟ୍ରମ୍ପଙ୍କ ଭଳି ଏତେ କମ୍ ରେଟିଂ ଅନ୍ୟ କୌଣସି ରାଷ୍ଟ୍ରପତିଙ୍କୁ ମିଳି ନ ଥିଲା । ମାର୍ଚ୍ଚ ୨୬ରେ ଫକ୍ସ ନ୍ୟୁଜର ଏକ ସର୍ଭେ ଅନୁସାରେ ଟ୍ରମ୍ପଙ୍କ କାମରେ ଆମେରିକାର ମାତ୍ର ୪୧% ଲୋକ ସନ୍ତୁଷ୍ଟ ଅଛନ୍ତି, ବାକି ୫୯% ଲୋକ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Also Read :-Trump's oil massage to UK: ସହଯୋଗୀଙ୍କୁ ଟ୍ରମ୍ପଙ୍କ କଡା ଚେତାବନୀ, ଯାହାର ତେଲ ଦରକାର ଆମ ଠାରୁ କିଣ, ହରମୁଜ ନେଇ ଆମେ ସାହାଯ୍ୟ କରିବୁନି

ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା କମିଛି । ଟ୍ରମ୍ପଙ୍କ ପାର୍ଟି ରିପବ୍ଲିକାନରେ ବି ତାଙ୍କ ସମର୍ଥକ କମିଛନ୍ତି । ଏବେ ରିପବ୍ଲିକାନ୍ ସମର୍ଥକ ୮୪%କୁ ଖସିଛି । ଗତବର୍ଷ ମାର୍ଚ୍ଚରେ ଏହା ୯୨% ଥିଲା । କୌଣସି ଦଳକୁ ସମର୍ଥନ କରୁ ନ ଥିବା ବା ସ୍ୱାଧୀନ ମତଦାତାଙ୍କ ମଧ୍ୟରେ ବି ଟ୍ରମ୍ପଙ୍କ ରେଟିଂ କମିଛି । ମାତ୍ର ୨୫% ସ୍ୱାଧୀନ ମତଦାତା ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି । ଇରାନ ସହ ଜଡ଼ିତ ଟ୍ରମ୍ପଙ୍କ ନିଷ୍ପତ୍ତିକୁ କେବଳ ୨୯% ଆମେରିକୀୟ ସମର୍ଥନ କରୁଥିବାବେଳେ ୬୩% ଲୋକ ଟ୍ରମ୍ପ୍ଙ୍କୁ ବିରୋଧ କରିଛନ୍ତି ।