ନୂଆଦିଲ୍ଲୀ ୨୨।୦୪ : ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଆସିଲା ବଡ଼ ଖବର । ଡେଡ୍ ଲାଇନ ସରିବା ପୂର୍ବରୁ ବଢିଲା ସିଜ୍ ଫାୟାର। ଯୁଦ୍ଧବିରତିର ଅବଧି ସରିବା ପୂର୍ବରୁ ଏହି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପାକିସ୍ତାନର ଅନୁରୋଧରେ ଯୁଦ୍ଧବିରତି ବୃଦ୍ଧି କରାଯାଇଛି ବୋଲି କହିଛନ୍ତି ଟ୍ରମ୍ପ ।

ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ , ସେନା ମୁଖ୍ଯ ଅସିମ ମୁନିରଙ୍କ ଅନୁରୋଧ କ୍ରମେ ଯୁଦ୍ଧବିରତିକୁ ବୃଦ୍ଧି କରାଯାଇଛି। ଇରାନ ଉପରେ ଆକ୍ରମଣ ସେହି ସମୟ ପର୍ଯ୍ୟନ୍ତ ସ୍ଥଗିତ ରହିବ ଯେ ପର୍ଯ୍ୟନ୍ତ ଇରାନ ବିବାଦର ସମାଧାନ ପାଇଁ ପ୍ରସ୍ତାବ ଦେଇନାହିଁ କିମ୍ବା କୌଣସି ଆଲୋଚନା ହୋଇନାହିଁ । ତେବେ ଆକ୍ରମଣ ସ୍ଥଗିତ ରହିଥିଲେ ବି ଅବରୋଧ ଜାରି ରହିବ । ଇରାନ ସହ ଚୁକ୍ତି ନହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ବନ୍ଦ ରହିବ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଇରାନ ପ୍ରସ୍ତାବ ନ ଦେବା ପର୍ଯ୍ୟନ୍ତ ଏବଂ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଯୁଦ୍ଧବିରତି ବଳବତ୍ତର ରହିବ।

Also Read:-ଉଲଗ୍ନ କଲା, ହାତଗୋଡ଼ ବାନ୍ଧିଦେଲା... Western Styleରେ ପ୍ରପୋଜ୍ କରିବାକୁ କହି ଜୀବନ ନେଇଗଲା ପ୍ରେମିକା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ଆଜି ଶେଷ ହୋଇଥାନ୍ତା। ହେଲେ ହର୍ମୁଜ୍ ପ୍ରଣାଳୀ ସଙ୍କଟ ମଧ୍ୟରେ, ଯୁଦ୍ଧବିରତି ନିଷ୍ପତ୍ତି ଆଶ୍ୱସ୍ତି ଦେଇଛି। ଏପଟେ କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ନେଇ ସସପେନ୍ସ ଜାରି ରହିଛି। ଆମେରିକା ସହିତ ପରବର୍ତ୍ତୀ ପର୍ଯ୍ୟାୟ ବୈଠକକୁ ଇରାନ ଆସିବ କି ନାହିଁ ସ୍ପଷ୍ଟ କରିନାହିଁ। ଫଳରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପାକିସ୍ତାନ ଗସ୍ତ ସ୍ଥଗିତ ରହିଛି। ସେପଟେ ପାକିସ୍ତାନ ଇରାନ ସହ ନିୟମିତ ଯୋଗାଯୋଗରେ ରହିଛି। କୂଟନୈତିକ ସ୍ତରରେ କଥାବାର୍ତ୍ତା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।