ବେଙ୍ଗାଲୁରୁ: ପ୍ରେମ ବି କେତେ ଭୟଙ୍କର ହୋଇପାରେ, ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଏହି ଖବର ପଢ଼ିବା ପରେ ଆପଣ ଭାବିବେ, ପ୍ରେମର ଏଭଳି ଏକ ଅନ୍ତ ହୋଇପାରେ ? ବେଙ୍ଗାଲୁରୁରେ ଘଟିଛି ଏଭଳି ଘଟଣା । ଯାହା ଅତି ଜଘନ୍ୟ, ହୃଦୟ ବିଦାରକ । ଲୋମ ଟାଙ୍କୁରି ଗଲା ଭଳି ଘଟଣା, ଶୁଣିଲେ ବିଶ୍ବାସ କରିବା ବି କଷ୍ଟ । କିନ୍ତୁ ଜଣେ ୨୭ ବର୍ଷୀୟ ଯୁବତୀ ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି । ପାଶ୍ଚାତ୍ୟ ଶୈଳୀରେ ପ୍ରେମ ନିବେଦନ କରିବାକୁ କହି, ପ୍ରେମିକକୁ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଛି ପ୍ରେମିକା ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ବାୟାଦରହାଲି ଅଞ୍ଚଳରେ ଘଟିଛି । ପ୍ରେମିକା ହେଉଛି ୨୭ ବର୍ଷୀୟା ପ୍ରେମା ଏବଂ ହତଭାଗ୍ୟ ପ୍ରେମିକର ନାଁ କିରଣ । କିରଣଙ୍କୁ ପ୍ରେମା ଫୋନ୍ କରି କହିଥିଲା, ଘରେ କେହି ନାହାନ୍ତି । ରାଜାଜୀନଗରରେ ପ୍ରେମା ସହ ମୋବାଇଲ ଷ୍ଟୋରରେ କାମ କରୁଥିବା କିରଣ, ପ୍ରେମିକା କଥାକୁ ବିଶ୍ବାସ କରି ତା ଘରକୁ ଆସିଥିଲେ । କିନ୍ତୁ ସେ ଜାଣିନଥିଲେ, ତାଙ୍କର ଏହି ସାକ୍ଷାତ ଶେଷ ସାକ୍ଷାତ ହେବ । ପ୍ରେମା ପାଖରେ ପହଞ୍ଚିବା ବେଳେ, ପରିବେଶ ପୂରା ରୋମାଣ୍ଟିକ ଥିଲା । ପ୍ରେମା ପାଶ୍ଚାତ୍ୟ ଶୈଳୀରେ ପ୍ରପୋଜ୍ କରିବାକୁ ଚାହୁଁଛି ବୋଲି କିରଣଙ୍କୁ କହିଥିଲା ।

Western Style Propose ଆଳରେ ପ୍ରେମା, କିରଣଙ୍କୁ ପୋଷାକ ଖୋଲିବାକୁ କହିଥିଲା । ଏହା ପରେ କିରଣର ହାତ ଗୋଡ ବାନ୍ଧି ଦେଇଥିଲା ପ୍ରେମା । କିନ୍ତୁ କିରଣ ପଚାରିଥିଲେ, ଏତେ ଜୋରରେ କାହିଁକି ବାନ୍ଧୁଛ ? ପ୍ରେମା ହସି ହସି ଉତ୍ତର ଦେଇଥିଲା, ଏହା ପ୍ରେମ ନିବେଦନର ଏକ ତରିକା । ଏହା ପରେ ହଠାତ, ପରିସ୍ଥିତି ବଦଳି ଯାଇଥିଲା । ପ୍ରେମା, କିରଣଙ୍କ ଉପରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲା । କିରଣ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ, କିନ୍ତୁ ତାଙ୍କୁ କେହି ସାହାଯ୍ୟ କରିବାକୁ ଆସିନଥିଲେ ।

Also Read: Germany Gurudwara Violence: ଜର୍ମାନୀ ଗୁରୁଦ୍ୱାରରେ ରକ୍ତାକ୍ତ ସଂଘର୍ଷ: କୃପାଣ ଓ ବନ୍ଧୁକରେ ଆକ୍ରମଣ କଲେ ଦୁର୍ବୃତ୍ତ, ୧୧ ଆହତ

ଘଟଣା ସଂପର୍କରେ ଜାଣିବା ପରେ ପୋଲିସ ପ୍ରେମାକୁ ପଚରା ଉଚରା କରିଥିଲା । ପ୍ରେମା କହିଥିଲା, ସେ ବାଥରୁମରେ ଥିବା ବେଳେ ବିସ୍ଫୋରଣ ଶବ୍ଦ ଶୁଭିଥିଲା । କିରଣ ନିଜ ଦେହରେ ନିଜେ ନିଆଁ ଲଗାଇଦେଇଥିଲେ ବୋଲି ପ୍ରେମା କହିଥିଲା । ଏହା ପରେ ଅନେକ ସମୟରେ ପ୍ରେମା ନିଜର ବୟାନ ବଦଳାଇଥିଲା । ସେପଟେ ଘଟଣାସ୍ଥଳରେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, କିରଣ ନିଜକୁ ନିଆଁ ଲଗାଇ ନାହାନ୍ତି । ଘଟଣାସ୍ଥଳରୁ ସେଭଳି କିଛି ଉପକରଣ ପାଇନଥିଲା ପୋଲିସ । ତେବେ ପ୍ରେମା ଯୋଜନାବଦ୍ଧ ଭାବରେ କିରଣଙ୍କୁ ହତ୍ୟା କରିଛି ବୋଲି ପୋଲିସ ସନ୍ଦେହ କରୁଛି ।

ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, କିରଣ ପ୍ରତାରଣା କରୁଥିବା ସନ୍ଦେହରେ ପ୍ରେମା ତାଙ୍କୁ ହତ୍ୟା କରିଛି । ପ୍ରେମା ଏବେ ଜେଲରେ ଥିବା ବେଳେ, ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ ପୋଲିସ ତଦନ୍ତ କରୁଛି । ସେପଟେ କିରଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ଫରେନ୍ସିକ ଟିମ୍ର ରିପୋର୍ଟ ଆଧାରରେ ପୋଲିସ ଖିଅ ଖୋଜିବାକୁ ଚେଷ୍ଟା କରୁଛି । କିରଣଙ୍କୁ ପ୍ରେମା କାହିଁକି ହତ୍ୟା କଲା, ତା ପଛର ପ୍ରକୃତ କାରଣ କଣ ଜାଣିବାକୁ ଚାଲିଛି ତଦନ୍ତ ।