ଗାନ୍ଧୀନଗର,୧୧/୦୮: ଗୁଜୁରାଟ ସୁରଟର ନ୍ୟୁ ସିଭିଲ୍ ହସ୍ପିଟାଲରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସେଠାରେ ମାଇକ୍ରୋବାୟୋଲୋଜି ବିଭାଗରେ ପିଜି କରୁଥିବା ପ୍ରଥମ ବର୍ଷର ଜଣେ ରେସିଡେଣ୍ଟ ଡାକ୍ତର ହର୍ଷ ପାଣ୍ଡ୍ୟା (୩୦) ରବିବାର ରାଗିଂରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଛନ୍ତି।

ଏହି ମାମଲାରେ ତାଙ୍କର ୪ ଜଣ ସିନିୟର ଅନୁଜ ମହେଶ୍ଵରୀ,ଦୀକ୍ଷିତ ଘେବରିୟା,ନିରାଲୀ ବସାବେ ଏବଂ ହିନାବେନ୍ ଭୁତନେଙ୍କୁ କଲେଜ ପ୍ରଶାସନ ୬ ମାସ ଲାଗି ସସପେଣ୍ଡ୍ କରିଛନ୍ତି। ଏଥିସହ ସେମାନଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ବିରୋଧରେ ଏଫଆଇଆର ହୋଇଛି। କେବଳ ସେତିକି ନୁହେଁ,ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ଏବଂ ୩ ଜଣ ଫାକଲଟି ସଦସ୍ୟଙ୍କୁ ବି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

ଇତିମଧ୍ଯରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଫୁଲ ପାନସେରିଆ ମେଡିକାଲ ଶିକ୍ଷା ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଅଧ୍ଯକ୍ଷତାରେ ମାମଲାର ଅନ୍ତରୀଣ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ହଷ୍ଟେଲ କିମ୍ବା ହସ୍ପିଟାଲରେ ହର୍ଷ କୌଣସି ପ୍ରକାର ରାଗିଂର ଶିକାର ହୋଇଥିଲେ କି ନାହିଁ ସେଥିନେଇ ୨୪ ଘଣ୍ଟା ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରାଯିବାକୁ ସେ କହିଛନ୍ତି।

ରବିବାର ସକାଳେ ହସ୍ପିଟାଲର ଏମର୍ଜେନ୍ସି ବିଭାଗରେ ହର୍ଷଙ୍କର ଡ୍ୟୁଟି ଥିଲା। ତେବେ ସେ ଡ୍ୟୁଟିକୁ ନ ଆସିବାରୁ ସାଥୀ ଡାକ୍ତର ଆସି ହଷ୍ଟେଲରେ ତାଙ୍କ କୋଠରୀର କବାଟ ବାଡ଼େଇଥିଲେ । ସେ କବାଟ ନ ଖୋଲିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ଡକାଯାଇଥିଲା । କବାଟ ଭଙ୍ଗାଯିବା ପରେ ସେ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ।

Also Read :- ଭୂମିକମ୍ପରେ ସବୁ ଛାରଖାର : ଏବେସୁଦ୍ଧା ଗଲାଣି ୧୦୦ରୁ ଅଧିକ ଜୀବନ, ୧୦୦୦ ଛୁଇଁବ ମୃତ୍ୟୁସଂଖ୍ୟା !

ଏହାପରେ ହର୍ଷଙ୍କ ପରିବାର ଲୋକେ ରାଗିଂ ନେଇ ଅଭିଯୋଗ ଆଣିଥିଲେ। ସେହି ଆଧାରରେ ମେଡିକାଲ କଲେଜର ଆଣ୍ଟି ରାଗିଂ କମିଟି,ଆଣ୍ଟି ରାଗିଂ ସ୍କ୍ୱାଡ୍,କଲେଜ କାଉନସିଲ ମାମଲାର ଯାଞ୍ଚ କରିଥିଲା। ଯାଞ୍ଚରୁ ୪ ଜଣ ସିନିୟର ଡାକ୍ତର ହର୍ଷଙ୍କୁ ନିର୍ଯାତନା ଦେଇଆସୁଥିବା ସାମ୍ନାକୁ ଆସିଥିଲା। ସିନିୟରମାନେ ହର୍ଷଙ୍କୁ ଗାଳି ଦେବା ସହ ମାରପିଟ ବି କରୁଥିଲେ ବୋଲି ଜଣାପଡ଼ିଛି।