ଚେନ୍ନାଇ: ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ) ଜୁନ୮ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ‘ଇଣ୍ଡିଆ ଫ୍ରଣ୍ଟ’ ବୈଠକରେ ଭାଗ ନେବ ନାହିଁ। ଡିଏମକେ କହିଛି ଯେ ବୈଠକ ନିମନ୍ତେ ଆମନ୍ତ୍ରଣ ମିଳିଛି, ହେଲେ ଗତ ବିଧାନସଭା ନିର୍ବାଚନ ପରେ ଡିଏମକେ ପ୍ରତି କଂଗ୍ରେସ କରିଥିବା ବିଶ୍ୱାସଘାତରେ ଆହତ ପାର୍ଟି ସାଥୀଙ୍କ ଭାବନାକୁ ସମ୍ମାନ ଜଣାଇ ବୈଠକରେ ଯୋଗ ଦେବ ନାହିଁ।

ଗତମାସରେ ଅନୁଷ୍ଠିତ ନିର୍ବାଚନରେ ଅଭିନେତା –ରାଜନେତା ବିଜୟଙ୍କ ଟିଭିକେ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରି ଶାସକ ଡିଏମକେକୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛି। ଯଦିଓ ବିଜୟଙ୍କ ପାର୍ଟି ବହୁମତ ହାସଲ କରିଥିଲା ତେବେ ମ୍ୟାଜିକ୍ ନମ୍ବର ପାଇ ନଥିଲା। ଏଣୁ କଂଗ୍ରେସ ରାଜ୍ୟରେ ଡିଏମକେ ସହିତ ଦୀର୍ଘ ଦଶନ୍ଧୀର ମେଣ୍ଟ ଭାଙ୍ଗି ବିଜୟଙ୍କ ଟିଭିକେ ସରକାର ଗଠନରେ ସହଯୋଗ କରିଥିଲା। କଂଗ୍ରେସର ପ୍ରତ୍ଯକ୍ଷ ସମର୍ଥନ ଓ ସିପିଆଇ, ସିପିଆଇ(ଏମ), ଭିସିକେ ଓ ଆଇୟୁଏମଏଲ ବାହାରୁ ସମର୍ଥନରେ ମେଣ୍ଟ ସରକାର ଗଠନ ହେବା ପରେ ବିଜୟ କଂଗ୍ରେସ, ଭିସିକେ, ଆଇୟୁଏମଏଲ ବିଧାୟକଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ପଦ ମଧ୍ୟ ଦେଇଛନ୍ତି।

୨୩୪ ସଦସୀୟ ବିଧାନସଭାରେ କଂଗ୍ରେସର ମାତ୍ର ୫ ବିଧାୟକ ଥାଇ ମଧ୍ୟ ୨ଟି ମନ୍ତ୍ରୀପଦ ପାଇଛି। ଏହା ଛଡା ଟିଭିକେ ରାଜ୍ୟସଭାରେ କଂଗ୍ରେସକୁ ଏକ ସିଟ୍ ଆବଣ୍ଟିତ କରିଛି। କଂଗ୍ରେସ ଡିଏମକେ ମେଣ୍ଟରୁ ଅଲଗା ହୋଇ ଟିଭିକେକୁ ସମର୍ଥନ କରିବା ପରେ ଦୁଇ ପୂର୍ବ ସହଯୋଗୀ ଦଳ ନେତାଙ୍କ ମଧ୍ୟରେ ତୁତୁମେଁ ମେଁ ଜାରି ରହିଛି। ଏହିକ୍ରମରେ ଗତ ମେ ୭ ତାରିଖରେ ଡିଏମକେ ସାଂସଦ କନିମୋଝୀ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ସଂସଦର ନିମ୍ନ ସଦନରେ ଡିଏମକେ ସାଂସଦଙ୍କ ବସିବା ବ୍ୟବସ୍ଥାରେ ଉଚିତ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। ଅନୁରୋଧ ପତ୍ରରେ କୁହାଯାଇଥିଲା ଯେ ପରିବର୍ତ୍ତିତ ରାଜନୈତିକ ପରିଦୃଶ୍ୟରେ ଭାରତୀୟ ଜାତୀୟ କଂଗ୍ରେସ ସହିତ ଆମ ମେଣ୍ଟ ସମାପ୍ତ ହୋଇସାରିଥିବାରୁ ଆମ ସଦସ୍ୟଙ୍କ ଲାଗି ସଂସଦରେ ସେମାନଙ୍କ ବର୍ତ୍ତମାନ ବସିବାର ବ୍ୟବସ୍ଥା କାୟମ ରଖିବା ଉଚିତ ହେବ ନାହିଁ।

ଡିଏମକେ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ କହିଛି ଯେ ତାହା ପ୍ରଥମ ରାଜନୈତିକ ଆନ୍ଦୋଳନ ଥିଲା ଯେଉଁଥିରେ ଗଣତନ୍ତ୍ର, ଧର୍ମନିରପେକ୍ଷତା ଓ ରାଜ୍ୟଙ୍କ ଅଧିକାର ବିରୋଧରେ ସବୁ ଜିନିଷକୁ ବିରୋଧ କରାଯାଉଥିଲା। ଏଥିରେ ନିଟ୍ ପରୀକ୍ଷା, ନିର୍ବାଚନ ମଣ୍ଡଳି ପୁନର୍ଗଠନ (ପରିସୀମନ), ନିର୍ବାଚନ ସମୟରେ ତରବରିଆ ଭାବେ କାର୍ଯ୍ୟକାରୀ କରାଯାଇଥିବା ଏସଆଇଆର, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ୱକଫ ଅଧିନିୟମ, ଏଫସିଆର ସଂଶୋଧନ ଆଦି ସାମିଲ ଥିଲା।

ଯେତେବେଳେ ଇଣ୍ଡିମେଣ୍ଟ ଗଠନ ହେଲା ଡିଏମକେ ଏହି ମେଣ୍ଟର କେନ୍ଦ୍ରିୟ ଶକ୍ତି ଥିଲା। ଡିଏମକେ ନେତା ଏମ.କେ.ଷ୍ଟାଲିନ ଦେଶବାସୀଙ୍କ ସାମ୍ନାରେ ଆଗାମୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟ ସ୍ୱର ହୋଇଥିଲେ। ଏ କଥା ଇଣ୍ଡିମେଣ୍ଟରେ ସାମିଲ ସବୁ ଦଳ ଓ ସେମାନଙ୍କ ନେତାଙ୍କୁ ଭଲଭାବେ ଜଣାଥିଲା। ଏହା ପରେ ମଧ୍ୟ କଂଗ୍ରେସ ଦ୍ୱାରା ଡିଏମକେ ପ୍ରତି କରାଯାଇଥିବା ବିଶ୍ୱାସଘାତ କାରଣରୁ ଏହି ବୈଠକରେ ଭାଗ ନିଆଯାଇ ପାରିବନି। ତେବେ ଡିଏମକେ କହିଛି ଯେ ଏହି ବୈଠକରେ ଭାଗ ନେଉଥିବା ଅନ୍ୟ ପାର୍ଟିଙ୍କ ଦ୍ୱାରା ଉଠାଯିବାକୁ ଥିବା ଜାତୀୟ ପ୍ରସଙ୍ଗରେ ନିଜର ରାୟ ରଖିବ।