ନୂଆଦିଲ୍ଲୀ: ବିଜେପି ସୋମବାର ଆଗାମୀ ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଓ ବି.ଏଲ.ବର୍ମାଙ୍କ ନାମକୁ ସୂଚୀରେ ସାମିଲ କରାଯାଇ ନାହିଁ। ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ରାଜ୍ୟରେ ୨୦୨୬ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ଲାଗି ଆଠ ଜଣ ପ୍ରାର୍ଥୀଙ୍କ ନାମ ମଞ୍ଜୁର କରିଛି। ଏଥିରେ ଧର୍ମପାଲ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାବତ, ରାମ ପ୍ରସାଦ ସିଂହ ଚୌହାନ ଓ ଶ୍ରୁତି ଗଙ୍ଗୱାରଙ୍କ ନାମ ରହିଛି।

ଏହି ଘୋଷଣା ରାଜ୍ୟସଭା ସାଂସଦ ତଥା ବିଜେପି ଜାତୀୟ ମୁଖ୍ୟାଳୟ ପ୍ରଭାରୀ ତରୁଣ ଚୁଘ କରିଛନ୍ତି। ଏହା ପୂର୍ବରୁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ରାଜ୍ୟସଭାର ୧୧ ଆସନ ଲାଗି କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଏଥିରେ ୧୦ ଉତ୍ତରପ୍ରଦେଶରୁ ଓ ଗୋଟିଏ ଉତ୍ତରାଖଣ୍ଡରୁ ହେବ। ଉତ୍ତରପ୍ରଦେଶରୁ ସେବା ନିବୃତ୍ତି ହେବାକୁ ଥିବା ସାଂସଦଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ଅଋଣ ସିଂହ, ବୃଜ ଲାଲ, ବି.ଏଲ.ବର୍ମା, ରାମ ଗୋପାଲ ଯାଦବ, ନିରଜ ଶେଖର, ଗୀତା ଓରଫ ଚନ୍ଦ୍ରପ୍ରଭା, ରାମଜୀ, ସୀମା ଓ ଦିନେଶ ଶର୍ମା ଅଛନ୍ତି।

ଏଥି ମଧ୍ୟରେ ସମାଜବାଦୀ ପାର୍ଟି ପ୍ରଫେସର ରାମ ଗୋପାଲ ଯାଦବ ଓ ଧନରାଜ ପରିମଲ ନଥୱାନୀଙ୍କୁ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନାମିତ କରିଛି। ଏହି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଅକ୍ଟୋବର ୬ ତାରିଖ ହୋଇଥିବା ବେଳେ ଅକ୍ଟୋବର ୭ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ପ୍ରାର୍ଥୀ ଅକ୍ଟୋବର ୯ ତାରିଖରେ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।ଏଥି ପାଇଁ ଅକ୍ଟୋବର ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହି ଦିନ ଭୋଟ ଗଣନା ମଧ୍ୟ ଅନୁଷ୍ଠିତ ହେବ।