• ସାଂସଦ ଓ ବିଧାୟକଙ୍କୁ ପୁଣି ପାର୍ଟିକୁ ଫେରିବା ଲାଗି ମମତା ବାନାର୍ଜୀ୧୫ ଦିନ ସମୟ ଦେଇଛନ୍ତି
  • ମମତା କହିଛନ୍ତି ଆମେ ପୁଣି ଶାସନକୁ ଫେରିବା, ଆପଣମାନେ ହିଁ ଅସଲ ତୃଣ ମୂଳ କଂଗ୍ରେସ
  • ଯେଉଁ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ନିର୍ବାଚନ ସଂସ୍ଥାର ମୁଖ୍ୟ ରହିବେ ବିଜେପି ସେ ପର୍ଯ୍ୟନ୍ତ କ୍ଷମତାରେ ରହିବ

କୋଲକାତା: ତୃଣମୂଳ କଂଗ୍ରେସ ମୁଖିଆ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଟି ଛାଡି ଚାଲିଯାଇଥିବା ସାଂସଦ ଓ ବିଧାୟକଙ୍କୁ ପୁଣି ପାର୍ଟିକୁ ଫେରିବା ଲାଗି ୧୫ ଦିନ ସମୟ ଦେଇଛନ୍ତି। ଉତ୍ତରବଙ୍ଗର ଉତ୍ତର ଦିନାଜପୁରରେ ଅନୁଷ୍ଠିତ ଶକ୍ତିପ୍ରଦର୍ଶନରେ ମମତା ବାନାର୍ଜୀ ପ୍ରଥମ ଥର ମୋବାଇଲ ଫୋନ ମାଧ୍ୟମରେ କାର୍ଯ୍ୟକର୍ତ୍ତା ଓ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ମମତା ଦେଇଥିବା ଭାଷଣରେ ପାର୍ଟି ଛାଡି ଚାଲିଯାଇଥିବା ସାଂସଦ ଓ ବିଧାୟକଙ୍କୁ ୧୫ ଦିନ ମଧ୍ୟରେ ଫେରିଆସିବାକୁ କହିଛନ୍ତି।

ମମତା କହିଛନ୍ତି ଯେ ବିଧାୟକ ଓ ସାଂସଦ ଯେଉଁମାନଙ୍କୁ ମୁଁ ନିର୍ବାଚନ ଜିତିବାରେ ସହାୟତା କରିଛି, ସେମାନଙ୍କ ମଧ୍ୟରେ କେତେକ ପ୍ରତାରକ ମଧ୍ୟ ଅଛନ୍ତି। ସେମାନଙ୍କ ଲାଗି ଦଳରେ କୌଣସି ସ୍ଥାନ ନାହିଁ। ଆମେ ପୁଣି ଶାସନକୁ ଫେରିବା, ଆପଣମାନେ ହିଁ ଅସଲ ତୃଣ ମୂଳ କଂଗ୍ରେସ, ଯେଉଁ ପର୍ଯ୍ୟନ୍ତ ବିଧାୟକ ଓ ସାଂସଦଙ୍କ ପ୍ରଶ୍ନ ଉଠୁଛି ଯେଉଁମାନେ ଆମକୁ ଛାଡି ଯାଇଛନ୍ତି ସେମାନେ ଯଦି ୧୫ ଦିନ ମଧ୍ୟରେ ଫେରି ଆସନ୍ତି ତ ଠିକ୍ ନଚେତ ସେମାନଙ୍କ ଲାଗି ଦଳରେ କୌଣସି ସ୍ଥାନ ନାହିଁ।

ନିର୍ବାଚନ ଆୟୋଗଙ୍କ ବିରୋଧରେ କଟୁ ଟିପ୍ପଣୀ କରି କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଜ୍ଞାନେଶ କୁମାର ନିର୍ବାଚନ ସଂସ୍ଥାର ମୁଖ୍ୟ ରହିବେ ବିଜେପି ସେ ପର୍ଯ୍ୟନ୍ତ କ୍ଷମତାରେ ରହିବ। ମମତା ଜୋର ଦେଇ କହିଛନ୍ତି ଯେ ସେ ଯେଉଁ ପ୍ରକାର ୧୯୯୮ ମସିହାରେ ପାର୍ଟିର ସ୍ଥାପନା କରିଥିଲେ ସେହି ପ୍ରକାରେ ସେ ଦଳକୁ ପୁଣି ଥରେ ମଜଭୁତ କରିପାରିବେ। ସେ ଏ କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ପାର୍ଟିର ଜୀବନ ରେଖା ନେତା ନୁହନ୍ତି ବରଂ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ଅଟନ୍ତି।

ସେ କହିଛନ୍ତି ଯେ ତୃଣ ମୂଳ କଂଗ୍ରେସ ଇଣ୍ଡିଆ ଆଲାଏନ୍ସ ବିନା ମଜଭୁତ ହୋଇ ପାରିବନି। ଏଣୁ ଆମକୁ ବିଜେପି ବିରୋଧରେ ଲଢିବାକୁ ହେଲେ ତୃଣ ମୂଳ କଂଗ୍ରେସକୁ ମଜଭୁତ କରିବାକୁ ପଡିବ, ମୋତେ ମଜଭୁତ କରିବାକୁ ପଡିବ। ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ଯିଏ ୩୫ ବର୍ଷର ବାମପନ୍ଥୀ ଗଡ଼କୁ ଧ୍ୱଂସ କରିଦେଲା ଓ ୧୫ ବର୍ଷ ଧରି ବେଙ୍ଗଲକୁ ଶାସନ କଲା ଚଳିତବର୍ଷ ପ୍ରାରମ୍ଭରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟ ପରେ ଖଣ୍ଡବିଖଣ୍ଡିତ ହୋଇ ପଡିଛି।

ଏଥିରେ ବିଧାୟକଙ୍କ ଏକ ବଡ଼ ଗୋଷ୍ଠୀ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ସହ ଯୋଡି ହୋଯାଇଥିବା ବେଳେ ନିଜକୁ ଅସଲି ତୃଣ ମୂଳ କଂଗ୍ରେସ ଘୋଷଣା କରିଛନ୍ତି। ସେହିପରି ସଂସଦଙ୍କ ଏକ ଦଳ ୨୮ରୁ ୨୦ ଜଣ ଅଲଗା ହୋଇ ଯାଇ ଆଞ୍ଚଳିକ ରାଷ୍ଟ୍ରବାଦୀ ନାଗରିକ ପାର୍ଟି ଅଫ ଇଣ୍ଡିଆରେ ସାମିଲ ହୋଇଯାଇଛନ୍ତି। ଏବେ ଋତବ୍ରତ ବାନାର୍ଜୀ ଗୋଷ୍ଠୀଙ୍କ ସହିତ ପାର୍ଟିର ନିର୍ବାଚନ ସଂକେତ ଯୋଡା ଫୁଲ ଓ ଘାସକୁ ନେଇ ବିବାଦ ଚାଲିଛି। ନିକଟରେ ସୁପ୍ରିମକୋର୍ଟ ପ୍ରସଙ୍ଗରେ ନିଷ୍ପତ୍ତି ନେବା ପାଇଁ ନିର୍ବାଚନ ଆୟୋଗଙ୍କୁ ୩ ମାସ ସମୟ ଦେଇଛନ୍ତି।