ଭୁବନେଶ୍ଵର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ରସଂସଦ ନିର୍ବାଚନ। ଶନିବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନର ଘୋଷଣା କରିଛନ୍ତି। ଏହା ପରେ ସାରା ରାଜ୍ୟର କଲେଜ୍ ଏବଂ ବିଶ୍ଵ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରି ଖେଳି ଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେପିର ମୁଖପାତ୍ର ଅନିଲ ବିଶ୍ଵାଳ ଐତିହାସିକ କହିଥିବା ବେଳେ ଶାଣିତ ସ୍ଵରରେ ବିଜେଡିକୁ ସମାଲୋଚନା ମଧ୍ୟ କରିଛନ୍ତି। ଉଲ୍ଲେଖନୀୟ ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ।

ନୂତନ ନେତୃତ୍ୱ ସୃଷ୍ଟି କରିବ

ଅନିଲ ବିଶ୍ଵାଳ ସୋସିଆଲ ମିଡିଆରେ ପୋଷ୍ଟ କରି ଓଡିଶାରେ ଛାତ୍ରଛାତ୍ରୀ ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ଐତିହାସିକ ବୋଲି କହିଛନ୍ତି l ସେ କହିଛନ୍ତି, ଏହା ଓଡିଶାର ସମଗ୍ର ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରର ବିଜୟ l ଏହି ନିଷ୍ପତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟଙ୍କୁ ଅନେକ ଅନେକ ଧନ୍ୟବାଦ l ଓଡିଶାରେ ନୂତନ ନେତୃତ୍ୱ ସୃଷ୍ଟି କରିବା ପାଇଁ ଏହି ନିଷ୍ପତି ସହାୟକ ହେବ l ଆଜିର ଛାତ୍ରଛାତ୍ରୀମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ l କ୍ୟାମ୍ପସ ନିର୍ବାଚନ ଦେଶରେ ନୂଆ ନେତୃତ୍ୱ ସୃଷ୍ଟି କରିବା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀମାନଙ୍କର ଭୂମିକାକୁ ଆହୁରି ସଶକ୍ତ କରିବ l

Also Read: ୮ ବର୍ଷ ପରେ କ୍ୟାମ୍ପସରେ ବାଜିଲା ନିର୍ବାଚନୀ ବିଗୁଲ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ

ଗଣତନ୍ତ୍ରରେ ବିଶ୍ଵାସ କରନ୍ତି ନାହିଁ ନବୀନ ବାବୁ

ସେ ଏହା ମଧ୍ୟ ଲେଖିଛନ୍ତି, ଅନେକ ଦିନ ଧରି ବିଜୁ ଜନତା ଦଳର ପୂର୍ବ ସରକାର ଦ୍ୱାରା ଓଡିଶାରେ ଛାତ୍ରଛାତ୍ରୀ ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯିଏ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ ସେ ଲମ୍ବା ସମୟ ପାଇଁ ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଥିଲେ l ଓଡ଼ିଶାରେ 5T ଭଳି ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆରମ୍ଭ କରିଥିବା ବିଜୁ ଜନତା ଦଳ ଚାହୁଁନଥିଲା ଯେ ଓଡିଶାରେ କଲେଜ କ୍ୟାମ୍ପସରୁ ମଧ୍ୟ ଯୁବ ନେତୃତ୍ୱ ନବାହାରନ୍ତୁ l ଏହା ଓଡିଶାର ଯୁବ ବର୍ଗଙ୍କ ବିରୋଧରେ ଏକ ଗଭୀର ଷଡଯନ୍ତ୍ର l ଆଜି ବିଜେଡିର ଯେଉଁ ମାନେ ଗଣମାଧ୍ୟମରେ ବେଶି ପାଟି କରୁଛନ୍ତି ସେମାନେ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଳେ କ୍ରମାଗତ ଭାବରେ ବର୍ଷ ପରେ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା ସେତେବେଳେ କାହଁକି ସେମାନଙ୍କ ପାଟିରେ ତାଲା ପଡିଥିଲା?

ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱକୁ ସୁନିଶ୍ଚିତ କରନ୍ତୁ

ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱକୁ ସୁନିଶ୍ଚିତ କରନ୍ତୁ l ନିର୍ବାଚନ ପ୍ରକ୍ରିୟାରେ ସକାରାତ୍ମକ ଆଲୋଚନା ଏବଂ ସୁସ୍ଥ ବାତାବରଣ ସମସ୍ତଙ୍କ ପ୍ରାଥମିକତାରେ ରହୁ l କଲେଜ କ୍ୟାମ୍ପସ ନିର୍ବାଚନର ଅନୁଭୂତି ସମସ୍ତଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିଥାଏ l ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିବା ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା l

Also Read: ପଞ୍ଚାୟତ ନିର୍ବାଚନକୁ ନେଇ ତିନି ଦଳର କାଦୁଅ ଫିଙ୍ଗା, ବିଜେପି ପ୍ରସ୍ତୁତ ନ ଥିବା କହିଲା ବିଜେଡି-କଂଗ୍ରେସ