ପୁରୀ ୦୮।୧୧ : ଆଜି ପବିତ୍ର ଦୀପାବଳୀ। ବିଶେଷ କରି ଶ୍ରୀକ୍ଷେତ୍ରରେ ଦୀପାବଳି ପୟାଶ୍ରାଦ୍ଧ ଭାବେ ପରିଚିତ। ଆଜିର ଏହି ପବିତ୍ର ଦୀପାବଳି ଅବସରରେ ପିତୃପକ୍ଷରେ ଆସିଥିବା ନିଜର ଦିବଙ୍ଗତ ପ୍ରିୟଜନଙ୍କୁ ବିଦାୟ ଦେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ବଡବଡୁଆ ଡାକ ଅନୁଷ୍ଠିତ ହେଉଛି। ସୁରକ୍ଷା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଭକ୍ତମାନେ କାଉଁରିଆ କାଠି ଜାଳି ବଡବଡୁଆ ଡାକୁଛନ୍ତି।

ସେହିପରି ଭକ୍ତଙ୍କ ଯାତାୟତ ସୁଗମ କରିବା ପାଇଁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଅଟୋ, ରିକ୍ସା ଏବଂ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ରହିଛି। ସୁରକ୍ଷା ଦାୟିତ୍ବରେ ୬ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୨ ଜଣ ଅତିରିକ୍ତ ଏସପି, ୩ ଜଣ ଡିଏସପିଙ୍କ ସହିତ ୧୦ ଜଣ ଇନ୍ସପେକ୍ଟର ମୁତୟନ ହୋଇଛନ୍ତି। ଆସନ୍ତାକାଲି ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ବିଭିନ୍ନ ପୂଜା ମଣ୍ଡପ ଏବଂ ଦେବୀ ପୀଠ ଗୁଡିକରେ କାଳିପୂଜା ଅନୁଷ୍ଠିତ ହେଉଛି। ଦେବୀ ପୀଠ ଗୁଡିକରେ ମା ଙ୍କର ମହାକାଳୀ ବେଶ ନୀତି ଅନୁଷ୍ଠିତ ହେବା ସହ ଶଙ୍ଖୁଡ଼ି ଭୋଗ ଅନୁଷ୍ଠିତ ହେବ। ତେବେ ଶାନ୍ତିଶୃଙ୍ଖଳାରେ କାଳୀପୂଜା ଆୟୋଜନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

Also Read:-ଦୀପାବଳି ପରେ କମିବ ତାପମାତ୍ରା : ଏହି ସବୁ ଜିଲ୍ଲାରେ ହେବ ବର୍ଷା