ନୂଆଦିଲ୍ଲୀ: ଚିନିର ଦର ନିୟନ୍ତ୍ରଣ ଓ ଘରୋଇ ବଜାରରେ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଇଥାନଲ କ୍ରୟ ନୀତି ପରିବର୍ତ୍ତନ କରିଛନ୍ତି। ସରକାରୀ ତୈଳ କମ୍ପାନୀ ଆଖୁ ରସ, ଚିନି ସିରପ ଓ ବି-ହେଭି ସିରାରୁ ତିଆରି ଇଥାନଲ କ୍ରୟ କରିପାରିବେନି। ଏହାର ଉଦ୍ଦେଶ୍ୟ ହେଉଛି ଚିନି ଉତ୍ପାଦନ ଲାଗି ଅଧିକାଂଶ ଆଖୁ ଉପଯୋଗ ହେଉ। ଗତବର୍ଷ ଇଥାନଲ ପ୍ରସ୍ତୁତି ନିମନ୍ତେ ୨୯ଲକ୍ଷ ଟନ ଚିନି ଉପଯୋଗ ହୋଇଥିଲା। ଏଣୁ ମାସକରେ ଚିନି ଦର ଆକାଶ ଛୁଇଁଥିଲା। ତେବେ ତୈଳ ବିପଣନକାରୀ କମ୍ପାନୀମାନେ ୨ ଦିନ ପୂର୍ବେ ୧୧୦୦ କୋଟି ଲିଟର ଇଥାନଲ କ୍ରୟ ନିମନ୍ତେ ଟେଣ୍ଡର ଆହ୍ୱାନ କରିଛନ୍ତି। ହେଲେ ଏଥିରେ ଆଖୁ ରସ, ଚିନି ସିରପ ଅଥବା ବି-ହେଭି ସିରାରୁ ତିଆରି ଇଥାନଲକ୍ରୟ ପ୍ରସ୍ତାବ ନାହିଁ।

ତେବେ ମକା, ଖୁଦ ଚାଉଳ, ଭାରତୀୟ ଖାଦ୍ୟ ନିଗମରୁ କ୍ରୟ କରାଯାଉଥିବା ଅତିରିକ୍ତ ଚାଉଳ ଏବଂ ସି-ହେଭି ସିରାରୁ ତିଆରି ଇଥାନଲ କ୍ରୟର ରାସ୍ତା ଖୋଲା ରହିଛି। ସି-ହେଭି ସିରା ଚିନି ପ୍ରସ୍ତୁତି ପ୍ରକ୍ରିୟାରେ ବଞ୍ଚୁଥିବା ଏକ ଉପ-ଉତ୍ପାଦ, ଯେଉଁଥିରେ ଚିନିର ମାତ୍ରା ଖୁବ୍ କ୍ୱଚିତ ଥାଏ। ଏଣୁ ଏହାର ଉପଯୋଗରେ ଚିନି ଉପଲବ୍ଧତା ଉପରେ କୌଣସି ପ୍ରଭାବ ପଡିବ ନାହିଁ। ଏଣୁ ସରକାର ଇଥାନଲ କାର୍ଯ୍ୟକ୍ରମ ରୋକିବା ବଦଳେ ଏଥି ଲାଗି କଞ୍ଚାମାଲ ଉପଯୋଗର ସନ୍ତୁଳନ ବଦଳାଇଛନ୍ତି। ଅନ୍ୟପଟେ ଏଲ ନିନୋ ଯୋଗୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ଆଖୁ ଚାଷ ଗୁରୁତର ପ୍ରଭାବିତ ହୋଇଛି।

ସେହିପରି ଉତ୍ତରପ୍ରଦେଶ ଓ ବିହାରର କେତେକ ଅଞ୍ଚଳରେ ବନ୍ୟା ସହିତ ରୋଗ ଓ କିଟ ପ୍ରକୋପ ଯୋଗୁ ଆଗାମୀ ଅମଳ ଋତୁରେ ଅମଳ ପ୍ରଭାବିତ ହୋଇପାରେ। ଏଣୁ ଦେଶରେ ଚିନି ଉତ୍ପାଦନ ହ୍ରାସ ଆଶଙ୍କା ପ୍ରକାଶ ପାଇଛି। ଦେଶକୁ ପ୍ରତିବର୍ଷ ୩୦୦ ଲକ୍ଷ ଟନ ଚିନି ଆବଶ୍ୟକ ପଡୁଛି । ଚଳିତବର୍ଷ ଉତ୍ପାଦନ ଅନୁମାନ ୨୮୦ଲକ୍ଷଟନ ହୋଇପାରେ। ଏଣୁ ଏହି ଅନ୍ତରକୁ କମ କରିବା ପାଇଁ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ଜରୁରି। ଗତ କିଛି ବର୍ଷ ହେଲା ଦେଶରେ ପେଟ୍ରୋଲରେ ଇଥାନଲ ମିଶ୍ରଣ କୁ ପ୍ରୋତ୍ସାହିତ କରାଯାଉଛି। ଏହା ଦ୍ୱାରା ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ ସହ ବୈଦେଶିକ ମୁଦ୍ରା ସଞ୍ଚାୟ କରିବା ସରକାରଙ୍କ ଉଦ୍ଦେଶ୍ୟ। ଏଣୁ ଚିନି ଉତ୍ପାଦନ ଲାଗି ଆଖୁ ସଞ୍ଚୟ ସହ ଇଥାନଲର ଅବାଧ ଯୋଗାଣ ମଧ୍ୟ ଜରୁରି।

ତେବେ ଖାଦ୍ୟଶସ୍ୟରୁ ଇଥାନଲ ଉତ୍ପାଦନ ମଧ୍ୟ କମ୍ ବିପଦଜନକ ନୁହେଁ। ମକା ଓ ଚାଉଳ ଚାହିଦା ବଢିବା ସହିତ ଖାଦ୍ୟ ସୁରକ୍ଷା ଓ ପଶୁ ଖାଦ୍ୟ ଉପଲବ୍ଧତା ଉପରେ ପ୍ରଭାବ ପଡିବ। ଏଣୁ ଇଥାନଲ ପାଇଁ ଖାଦ୍ୟଶସ୍ୟ ଉପଯୋଗ ବଢିଲେ ସରକାରଙ୍କୁ ଖାଦ୍ୟ ସୁରକ୍ଷା ଓ ଇନ୍ଧନ ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ। ତେବେ ନୀତି ପରିବର୍ତ୍ତନର ସିଧା ପ୍ରଭାବ ଚିନି ମିଲ ଆୟ ଉପରେ ମଧ୍ୟ ପଡିପାରେ। ଆଖୁ ରସ ଓ ବି-ହେଭି ସିରାରୁ ଇଥାନଲ ପ୍ରସ୍ତୁତି ବ୍ୟବସ୍ଥା ରଖିଥିବା ମିଲ ମାନଙ୍କୁ ନିଜ ଉତ୍ପାଦନ ଓ ବିକ୍ରି ଯୋଜନାରେ ପରିବର୍ତ୍ତନ କରିବାକୁ ପଡିପାରେ।