ଆଗ୍ରା,୬ /୧୧ :- ଦେଶର ଜଣାଶୁଣା ଧର୍ମ ପ୍ରଚାରକ ତଥା ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ କୋର୍ଟରେ ଅପରାଧିକ ମାମଲା ରୁଜୁ ହୋଇଛି l ପ୍ରବଚନ ଦେବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ଏବେ ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗ୍ରାର ଏକ କୋର୍ଟରେ ଅପରାଧିକ ମାନହାନି ଅଭିଯୋଗରେ ମାମଲା ଦାୟର ହୋଇଛି। ଶ୍ରୀକୃଷ୍ଣଙ୍କୁ ନେଇ ଦେଇଥିବା ମନ୍ତବ୍ୟ ତାଙ୍କ ବଂଶଧରଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ସାମାଜିକ ସମ୍ମାନ ଓ ପ୍ରତିଷ୍ଠାକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି।

ଆଗ୍ରା ସିଭିଲ କୋର୍ଟରେ ଏହି ଅଭିଯୋଗ ଦାଖଲ କରିଛନ୍ତି ଆଇନଜୀବୀ ଅଜୟ ପ୍ରତାପ ସିଂହ l ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ଅନ୍ତର୍ଗତ କରେରାଠାରେ ଏକ ରାମକଥା କାର୍ଯ୍ୟକ୍ରମରେ ପ୍ରବଚନ ଦେବା ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଭଗବାନ ଶ୍ରୀକୃଷ୍ଣଙ୍କ ଶାରୀରିକ ଭଙ୍ଗୀକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ପ୍ରବଚନ ସମୟରେ ଶାସ୍ତ୍ରୀ କହିଥିଲେ, "କୃଷ୍ଣଙ୍କୁ ମାନୁଥିବା ଲୋକଙ୍କୁ ହୁଏତ ଖରାପ ଲାଗିପାରେ, କିନ୍ତୁ କୃଷ୍ଣ ବହୁତ ବଙ୍କା। ସେ ଠିଆ ହେଲେ ମଧ୍ୟ ତିନୋଟି ସ୍ଥାନରେ ବଙ୍କା ହୋଇ ରହିଥାନ୍ତି।" ଏହି ମନ୍ତବ୍ୟକୁ ନେଇ ଅଭିଯୋଗକାରୀ ଆପତ୍ତି ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ଏଭଳି ମନ୍ତବ୍ୟ କେବଳ ଶ୍ରୀକୃଷ୍ଣଙ୍କ ପ୍ରତି ଅସମ୍ମାନ ନୁହେଁ, ବରଂ ତାଙ୍କ ବଂଶଧରଙ୍କ ଧାର୍ମିକ ଭାବନା ଓ ସାମାଜିକ ପ୍ରତିଷ୍ଠାକୁ ମଧ୍ୟ ଆଘାତ ପହଞ୍ଚାଇଛି।

ଆଇନଜୀବୀ ସିଂହ ଯୁକ୍ତି ବାଢ଼ିଛନ୍ତି ଯେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ମାନବ ରୂପରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ବଂଶଧରମାନେ ଏବେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି। ଏହାର ପ୍ରମାଣ ସ୍ୱରୂପ ସେ ଜାଦୁନ୍, ଜାଡେଜା ଓ ଭାଟି ସମ୍ପ୍ରଦାୟର ଐତିହାସିକ ବିବରଣୀ ଉଲ୍ଲେଖ କରିଛନ୍ତି। ଏହି ସମ୍ପ୍ରଦାୟଗୁଡ଼ିକୁ ଶ୍ରୀକୃଷ୍ଣଙ୍କ ବଂଶଧର ଭାବେ ଦାବି କରିଛନ୍ତି।

ଏପରିକି ନିଜ ମାତୃକୁଳ ଦିଗରୁ ମଧ୍ୟ ସେ ଶ୍ରୀକୃଷ୍ଣଙ୍କ ବଂଶଧର ବୋଲି ଦାବି କରିଛନ୍ତି। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ମନ୍ତବ୍ୟ ତାଙ୍କ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ସହ ସାମାଜିକ ସମ୍ମାନକୁ କ୍ଷତି ପହଞ୍ଚାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।

ଏହି ମାମଲାର ପ୍ରାରମ୍ଭିକ ଶୁଣାଣି ସିଭିଲ୍ ଜଜ୍ କଞ୍ଚନ କୁମାରଙ୍କ ଅଦାଲତରେ ହୋଇଥିବା ବେଳେ କୋର୍ଟ ମାମଲାକୁ ପଞ୍ଜୀକୃତ କରିବା ସହ ଆସନ୍ତା ଡିସେମ୍ବର ୧୪ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

ଧାର୍ମିକ ପ୍ରବଚନକୁ ନେଇ ଅଖିଳେଶଙ୍କ ମନ୍ତବ୍ୟ

ଅନ୍ୟପକ୍ଷରେ, ଏହି ଘଟଣାର ଠିକ୍ ଗୋଟିଏ ଦିନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜକ ଓ ପ୍ରାୟୋଜକମାନଙ୍କୁ ବିବାଦୀୟ ପ୍ରବଚକଙ୍କଠାରୁ ଦୂରେଇ ରହିବାକୁ ଅପିଲ୍ କରିଥିଲେ। ଏଭଳି ପ୍ରବଚକଙ୍କୁ ଧାର୍ମିକ ମଞ୍ଚରେ ପ୍ରୋତ୍ସାହନ ନଦେବାକୁ ସେ ଆହ୍ୱାନ ଦେଇଥିଲେ।

ଅଖିଳେଶଙ୍କ ଏହି ମନ୍ତବ୍ୟର ଜବାବ ଦେଇ ବିଜେପିର ଉତ୍ତରପ୍ରଦେଶ ସଭାପତି ପଙ୍କଜ ଚୌଧୁରୀ ରାମଚରିତମାନସର ଏକ ଚୌପାଇ ଉଦ୍ଧୃତ କରିଥିଲେ। ନିଜ ଆଚରଣ ଠିକ୍ ନଥିବା ବ୍ୟକ୍ତି ଅନ୍ୟକୁ ଉପଦେଶ ଦେବାରୁ ଦୂରେଇ ରହିବା ଉଚିତ ବୋଲି ସେ ଏହା ମାଧ୍ୟମରେ ଇଙ୍ଗିତ କରିଥିଲେ।

also read- Earthquake: ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର ଓ ଲଦାଖ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୧ ରେକର୍ଡ

ତେବେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଆଗ୍ରା କୋର୍ଟରେ ମାମଲା ଦାୟର ହେବା ପରେ ଏହି ବିବାଦ ଏବେ ଆଇନଗତ ମୋଡ଼ ନେଇଛି। ଡିସେମ୍ବର ୧୪ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର।