ନୂଆଦିଲ୍ଲୀ ୦୬।୧୧; ଚୀନରେ ଭୂକମ୍ପ, ଭାରତର ସୀମାନ୍ତ ଅଞ୍ଚଳରେ ଝଟକା । ରାତି ଅଧରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖ । ଗୁରୁବାର ରାତି ପ୍ରାୟ ୧୦ଟା ୨୬ରୁ ୨୭ ମିନିଟ୍ ମଧ୍ୟରେ ଚୀନର ଜିନଜିଆଙ୍ଗ ଅଞ୍ଚଳରେ ହୋଇଥିଲା ୫.୧ ତୀବ୍ରତାର ଭୂକମ୍ପ । ଏହାର ପ୍ରଭାବ ଲଦାଖ ସୀମା ନିକଟବର୍ତ୍ତୀ ଅଞ୍ଚଳ ସମେତ କାଶ୍ମୀର ଉପତ୍ୟକାର କିଛି ସ୍ଥାନରେ ଅନୁଭୂତ ହୋଇଥିଲା ।

ପ୍ରାଥମିକ ତଥ୍ୟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଚୀନର ଜିନଜିଆଙ୍ଗ ଅଞ୍ଚଳରେ ରହିଥିଲା । ଏହାର ଅବସ୍ଥିତି ୩୫.୬ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୮.୧୮ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ୮୩ରୁ ୧୧୦ କିଲୋମିଟର ମଧ୍ୟରେ ଥିବା ରିପୋର୍ଟ ହୋଇଛି । ଏହା ଲଦାଖର ଲେହଠାରୁ ପ୍ରାୟ ୧୨୭ କିଲୋମିଟର ଉତ୍ତର-ପୂର୍ବ ଦିଗରେ ରହିଥିଲା ।

ଭୂକମ୍ପର ଝଟକା ଅନୁଭବ କରି ଅନେକ ଲୋକ ଭୟଭୀତ ହୋଇପଡ଼ିଥିଲେ । ସତର୍କତା ଦୃଷ୍ଟିରୁ କିଛି ଲୋକ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ କୌଣସି ମୃତାହତ କିମ୍ବା ବଡ଼ଧରଣର ସମ୍ପତ୍ତି କ୍ଷତିର ଖବର ଆସିନାହିଁ । ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ।

ତେବେ ଜମ୍ମୁ-କାଶ୍ମୀରରେ ଗତ କିଛି ଦିନ ହେବ ବାରମ୍ବାର ମୃଦୁ ଭୂକମ୍ପ ଅନୁଭୂତ ହେଉଛି । ନଭେମ୍ବର ୩ ତାରିଖରେ କିସ୍ତୱାରରେ ୩.୧ ତୀବ୍ରତାର ଭୂକମ୍ପ ହୋଇଥିବା ବେଳେ ଅକ୍ଟୋବର ୩୦ରେ କୁଲଗାମରେ ୩.୬ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା । ସେହିପରି ଅକ୍ଟୋବର ୨୯ରେ ପୁଲୱାମାରେ ୩.୨ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଥିଲା ।ଲଗାତାର ଭୂକମ୍ପ ଝଟକାକୁ ନେଇ ସୀମାନ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ତେବେ ଏହି ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା ଆଶ୍ୱସ୍ତିର ବିଷୟ ।