ଢେଙ୍କାନାଳ : ଚାଲିଛି ବୈଶାଖ ମାସ। ବୈଶାଖ ନୁହେଁ ତ ଇଏ ଆମ୍ବର ମାସ। ଯୁଆଡ଼େ ଦେଖ ସିଆଡ଼େ ଆମ୍ବ। ଓଡ଼ିଶାରେ ପ୍ରଚୁର ପରିମାଣରେ ଆମ୍ବ ରହିଛି। ହେଲେ ସୁଆଦିଆ ଓ ରସାଳିଆ ଆମ୍ବ ପାଇଁ ଆଗରେ ରହିଛି ଢେଙ୍କାନାଳ । ଦେଶ ବିଦେଶରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଅଧିକ ଆମ୍ବ ଫଳିଛି । ମାତ୍ର ବର୍ଷା ଅଭାବରୁ ଫଳ ଭଲ ବଢ଼ିନଥିବାରୁ ଆକାର ଛୋଟ ରହିଛି । ଆମ୍ବ ଅମଳ ଏବେ ଆରମ୍ଭ ହୋଇଯାଇଥିବା ବେଳେ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ଲକ୍ଷ୍ୟ ରହିଛି। ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୧୫ଟନ୍ ଆମ୍ବ ୟୁକେ, ଜର୍ମାନୀ ପଠା ଯାଇସାରିଲାଣି । ଏଥର ପ୍ରାୟ ୨୦୦ ମେଟ୍ରିକ ଟନ୍ ଆମ୍ବ ବିଦେଶ ପଠାଯିବା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ୨୦୦ ମେଟ୍ରିକ ଟନ୍ ପଠାଇବାକୁ ଉଦ୍ୟାନ ବିଭାଗ ଲକ୍ଷ୍ୟ ରଖିଛି।

ପାହାଡ଼ିଆ ମାଟି ଓ ଉତ୍ତମ ଜଳବାୟୁ କାରଣରୁ ଢେଙ୍କାନାଳ ଆମ୍ବ ସୁସ୍ବାଦୁ ଓ ରସାଳ। ଦଶେରୀ, ଆମ୍ରପଲୀ, ଲେଙ୍ଗେଡ଼ା, ବାଇଗଣ ପଲେଇ, ହେମ ସାଗର ଆଦି ବିଭିନ୍ନ କିସମର ଆମ୍ବ ଚାଷ ଢେଙ୍କାନାଳରେ ହୋଇଥାଏ। ଜିଲ୍ଲାରେ ୨ ଶହରୁ ଅଧିକ ଛୋଟ ବଡ଼ ଫାର୍ମ ରହିଛି। ପ୍ରାୟ ସମସ୍ତ ବ୍ଲକ୍ରେ ଆମ୍ବ ଭଲ ଉତ୍ପାଦନ ହୁଏ । ଯାହା କଲିକତା, ଉତ୍ତରପ୍ରଦେଶ, ଦିଲ୍ଲୀ, ଚେନ୍ନାଇ, ଦୁବାଇ, ଲଣ୍ଡନ, ଇଟାଲି ଯାଉଛି। ଗତବର୍ଷ ୪ରୁ ୫ ଲକ୍ଷ ଟନ୍ ଆମ୍ବ ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ମଧ୍ୟ ଭଲ ଫଳ ଆସିଛି । ସବୁ ଗଛରେ ଆମ୍ବ ଭର୍ତ୍ତି ହୋଇଛି। ମାତ୍ର ଫଳ ବଢ଼ିବା ସମୟରେ ଏଥର ବର୍ଷ ବର୍ଷା ହୋଇନଥିବାରୁ ଆମ୍ବ ଭଲଭାବେ ବଢ଼ିପାରିନାହିଁ । ଆକାରରେ ଛୋଟ ରହିଛି । ଏଥିସହ କାଳବୈଶାଖୀରେ ପ୍ରାୟ ୩୦ ପ୍ରତିଶତ ଆମ୍ବ ଝଡ଼ି ଯାଇଥିବା ଉଦ୍ୟାନ ବିଭାଗ କହିଛି। ସବୁପରେ ବି ଆମ ଆମ୍ବ ଭଲ ଅମଳ ହେବ ବୋଲି ଚାଷୀ ଓ ବ୍ୟବସାୟୀ ଆଶା ରଖିଛନ୍ତି। ଦୁଇ ସପ୍ତାହ ହେଲା ଆମ୍ବ ଅମଳ ଆରମ୍ଭ ହୋଇଗଲାଣି । ସପ୍ତଶଯ୍ୟା କୃଷକ ଉତ୍ପାଦକ ସଂଗଠନ ପ୍ରାୟ ୧୫ ଟନ୍ ଆମ୍ବ ୟୁକେ ଓ ଜର୍ମାନୀ ପଠାଇ ସାରିଲାଣି। ଚାଷୀଙ୍କଠାରୁ ଭଲ ଆମ୍ବ ଆଣାଯାଉଛି। ତାହାକୁ ଭଲଭାବେ ପ୍ୟାକିଂ କରାଯାଇ ଭୁବନେଶ୍ଵର ବିମାନବନ୍ଦରରୁ ବମ୍ବେ ଓ ସେଠାରୁ ବାହାରକୁ ପଠାଯାଉଛି। ଗତବର୍ଷ ସପ୍ତଶଯ୍ୟା ଏଫ୍ପିଓ ୩୫ ଟନ୍ ଆମ୍ବ ବିଦେଶକୁ ପଠାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅଧିକ ପଠାଯିବ ବୋଲି ଏହାର ନିର୍ଦ୍ଦେଶକ ସୁଦିପ୍ତ ବିଶ୍ବାଳ କହିଛନ୍ତି। ଏହାସହ ଓରମାସ୍, ଉଦ୍ୟାନ ବିଭାଗ ଓ ଅନ୍ୟ ଏଫପିଓଙ୍କ ଜରିଆରେ ଆମ୍ବ ପଠାଯାଉଛି।

ଏବେ ସୁଧା ୭୦ ଟନ୍ ଆମ୍ବ ଗୋହାଟି, ସିଲିଗୁଡ଼ି, ପଞ୍ଚିମବଙ୍ଗ ଆଦି ପଠାଯାଇଛି। ଚଳିତ ବର୍ଷ ୨୦୦ ମେଟ୍ରିକ ଟନ୍ ଆମ୍ବ ବିଦେଶ ଯିବା ସହ ୨୦୦ ଟନ୍ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି ଉଦ୍ୟାନ ବିଭାଗ ସହକାରୀ ଉର୍ଦ୍ଦେଶକ ଦେବପ୍ରସାଦ ରାଉତରାୟ କହିଛନ୍ତି।

ବାହାରକୁ ଆମ୍ବ ପଠାଯିବା ଫଳରେ ଚାଷୀ ଅଧିକ ଲାଭବାନ ହୋଇପାରୁଛନ୍ତି। ଏଫ୍ପିଓମାନେ ଚାଷୀଙ୍କ ଠାରୁ ଭଲ ଓ ବଡ଼ ଆମ୍ବ କେଜି ପ୍ରତି ୭୦ରୁ ୮୦ ଟଙ୍କାରେ କିଣି ପଠାଉଛନ୍ତି। ମାତ୍ର କେହି କେହି ୬୦ରୁ ୬୫ ଟଙ୍କାରେ କିଣୁ ଥିବାରୁ ଚାଷୀ କ୍ଷତି ସନ୍ଧୁଥିବା ଦେଖାଯାଉଛି। ଆକାର ଛୋଟ ଥିବା ଆ ଆମ୍ବ ବ୍ୟବସାୟୀଙ୍କୁ ବିକ୍ରି କରୁ କରୁଛନ୍ତି । ଢେଙ୍କାନାଳ ସମେତ ଭୁବନେଶ୍ଵର ବିଭିନ୍ନ ଜିଲ୍ଲାକୁ ଢେଙ୍କାନାଳ ଆମ୍ବ ଯାଉଛି। ବଜାରରେ ଏବେ ଆମ୍ବ ଦର ଉଚ୍ଚା ରହିଛି। ଆଗକୁ ଅଧିକ ଆମ୍ବ ଆସିଲେ ଦର କମିବ ବୋଲି ବସାୟୀମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ରାଜ୍ୟରୁ ସର୍ବାଧିକ ଆମ୍ବ ଢେଙ୍କାନାଳରୁ ବିଦେଶ ଯାଇଥିଲା। ବିଦେଶ ଯାଇଥିବା ୧୦୮ ଟନ୍ ଆମ୍ବରୁ କେବଳ ଢେଙ୍କାନାଳରୁ ୫୮ ଟନ୍ ଆମ୍ବ ପଠାଯାଇଥିଲା।

 Also Read- ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡ ମାମଲା, ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍ ପାଉନି ପୋଲିସ