ନୂଆଦିଲ୍ଲୀ ୧।: କେନ୍ଦ୍ର ବଜେଟ୍ ୨୦୨୬-୨୭ ଓଡ଼ିଶାକୁ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଏକ ଶକ୍ତିଶାଳୀ ବ୍ଲୁ ପ୍ରିଣ୍ଟ ପ୍ରଦାନ କରିଛି । ଏଭଳି ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତି ଭିତ୍ତିକ 'କେନ୍ଦ୍ର ବଜେଟ୍ ୨୦୨୬-୨୭' ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ବଜେଟ୍ ସବକା ସାଥ୍, ସବକା ବିକାଶ ମନ୍ତ୍ର ଉପରେ ଗୁରୁତ୍ୱ ଦେଇଛି, ଯାହା ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାର ମାନେ ବିଶେଷ ଭାବରେ ଲାଭ ପାଇବେ । ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୋଳ ଠାରୁ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ 'ରେଆର ଆର୍ଥ କରିଡର'ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିତ୍ତିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ ।

ପୂର୍ବୋଦୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ 'ଇଷ୍ଟ-କୋଷ୍ଟ ଡେଭଲପମେଣ୍ଟ କରିଡର', ପୂର୍ବରେ ଦାନକୁନିରୁ ସୁରଟକୁ ସଂଯୋଗ କରୁଥିବା ନୂତନ ଫ୍ରେଟ୍ କରିଡର ଜରିଆରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଓ ବାଣିଜ୍ୟର ବ୍ୟାପକ ସୁଯୋଗ ସୃଷ୍ଟି ହେବ । ପୂର୍ବ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ ପ୍ରତିଷ୍ଠା ରାଜ୍ୟର ଅଭିବୃଦ୍ଧିକୁ ଗତି ଦେବ । ଏହି ବଜେଟ୍ ଓଡ଼ିଶାର ସାଧାରଣ ଜନତା, ଚାଷୀ, ମହିଳା, ଯୁବ, ଜନଜାତି ସମେତ ସବୁବର୍ଗଙ୍କୁ ଗୁରୁତ୍ୱ ଦେଉଥିବା ଏକ ଜନହିତକର ବଜେଟ୍ ।

କେନ୍ଦୁପତ୍ର ବିକ୍ରେତାଙ୍କ ପାଇଁ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରିବା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଓ କୋକୋ ଚାଷ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ସରକାରଙ୍କ ଗରିବ ଓ ଚାଷୀ କଲ୍ୟାଣର ପ୍ରତିବଦ୍ଧତାକୁ ଦର୍ଶାଉଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକୁ ଷ୍ଟାର୍ଟଅପ୍ ମାଧ୍ୟମରେ ବଜାର ସହ ଯୋଡିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ଚାଷକୁ ସୁଦୃଢ଼ କରାଯିବ । ଏହି ପଦକ୍ଷେପ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆୟ ବୃଦ୍ଧି କରିବା ସହ ବ୍ଲୁ ଇକୋନୋମୀକୁ ଅଧିକ ସୁଦୃଢ଼ କରିବ ।

ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ସମୁଦ୍ର କୂଳରେ ଭିତରକନିକା ପରି ସ୍ଥାନଗୁଡ଼ିକରେ 'ଟର୍ଟଲ ଟ୍ରେଲ୍ସ' ଭଳି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ଅର୍ଥନୀତିକୁ ମଜଭୂତ କରିବ ।