ଭୁବନେଶ୍ୱର ୧୪।୧୦: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି । ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଚିଠି । ସମ୍ବଲପୁର ଲୋକସଭା ମଣ୍ଡଳୀ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ବୃଦ୍ଧି ପାଉଥିବା ଯାନବାହାନ ଚଳାଚଳ, ଜନଗହଳି ଏବଂ ସଡ଼କ ଦୁର୍ଘଟଣା ଆଶଙ୍କାର ସମାଧାନ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି, ଏହି ଜାତୀୟ ରାଜପଥରେ ଆନ୍ତଃରାଜ୍ୟ ପଣ୍ୟବାହୀ ଏବଂ ଟ୍ରାଫିକ୍ ଚଳାଚଳ ସହିତ ସ୍ଥାନୀୟ ଜନସାଧାରଣଙ୍କ ଯାତାୟାତ ହେଉଥିବା କାରଣରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି । ଦେବଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁରକ୍ଷା ଏବଂ ସୁଗମ ଯାତାୟାତକୁ ସୁନିଶ୍ଚିତ କରିବା ପାଇଁ ତିନୋଟି ପ୍ରମୁଖ ସଂରଚନାଗତ ସମାଧାନ ଦାବି କରିଛନ୍ତି । ଦେବଗଡ଼ ବାଇପାସର ଆରମ୍ଭରେ ଥିବା ଆମ୍ବେଦକର ଛକ ନିକଟ ୱାଇ-ଜଙ୍କସନ୍ ଠାରେ ଏନଏଚ-୪୯ର ଦ୍ରୁତଗାମୀ ଯାନବାହାନ ଚଳାଚଳ କରୁଛି । ଏଠାରେ କଲେକ୍ଟରେଟ୍, ନିଉ ବସ୍ ଷ୍ଟାଣ୍ଡ ଓ ଓମେନ୍ କଲେଜ ଭଳି ପ୍ରମୁଖ ଅନୁଷ୍ଠାନ ଥିବାରୁ ଏଠାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିରନ୍ତର ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଏଠାରେ ଦୁର୍ଘଟଣା ଏବଂ ସୁରକ୍ଷା ବିପଦକୁ ଏଡ଼ାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ରୋଡ୍ ଏବଂ ଉପଯୁକ୍ତ ହାଇୱେ ଲାଇଟିଂ ବ୍ୟବସ୍ଥା ସହିତ ଏକ ଏଲିଭେଟେଡ୍ ଫ୍ଲାଏଓଭର୍ ନିର୍ମାଣ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡିଛି ।

Also Read:-ବାଣୀବିହାରରେ ବାଡ଼ିଆପିଟା, ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର

ସେହିପରି ସହରର ସୀମା ନିକଟରେ ରାଜ୍ୟ ରାଜପଥ ତଥା ଦେବଗଡ଼-ଅନୁଗୋଳ ରୋଡ୍ ଦେଇ ଯାଇଥିବା ରାଜ୍ୟ ରାଜପଥ -୨୧ ଏବଂ ଜାତୀୟ ରାଜପଥ -୪୯ ଏକାଠି ହୋଇଥିବା ବିର୍ସାମୁଣ୍ଡା ଛକରେ ଦ୍ରୁତଗାମୀ ଗାଡ଼ି ସହ ସ୍ଥାନୀୟ ଯାନବାହନ ମୁହାଁମୁହିଁ ହେଉଥିବାରୁ ଗୁରୁତର ଦୁର୍ଘଟଣା ଘଟୁଛି । ଏହି ଅବସ୍ଥା ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଛି । ଏହି ବିପଦପୂର୍ଣ୍ଣ ସଂଘର୍ଷ ପଏଣ୍ଟଗୁଡ଼ିକୁ ଦୂର କରିବା ପାଇଁ ଏନ୍.ଏଚ୍.-୪୯ରେ ସୁସଂଗଠିତ ସ୍ଲିପ୍ ରୋଡ୍ ଏବଂ ଏକ ଯାନବାହନ ଚଳାଚଳ ଉପଯୋଗୀ ଅଣ୍ଡରପାସ୍ ନିର୍ମାଣ କରାଯିବା ଆବଶ୍ୟକ ।

ଏହି ଅଞ୍ଚଳରେ ଦ୍ରୁତ ସହରୀକରଣ କାରଣରୁ କଲା, କନ୍ଧଳ ଏବଂ ତିଲେଇବଣି ଭଳି ଜନବସତିରେ ଆବାସିକ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫଳରେ ହାଇୱେ ଉପରେ ସ୍ଥାନୀୟ ପଥଚାରୀ ଯାନବାହନର ଚଳାଚଳ ବୃଦ୍ଧି ପାଇବାରୁ ସେମାନଙ୍କର ସୁରକ୍ଷା ନେଇ ଚିନ୍ତାପ୍ରକଟ କରିଛନ୍ତି । ସ୍ଥାନୀୟ ଟ୍ରାଫିକ୍‌କୁ ଦ୍ରୁତଗାମୀ ଯାତାୟାତ ଠାରୁ ପୃଥକ କରିବା ପାଇଁ ରାସ୍ତା ପାର୍ଶ୍ୱରେ ଡ୍ରେନ୍, ପଥଚାରୀଙ୍କ ପାଇଁ ପୃଥକ ଗାର୍ଡ ରେଲ୍ ଏବଂ ହାଇୱେ ଲାଇଟିଂ ସୁବିଧା ସହ ସର୍ଭିସ୍ ରୋଡ୍ ନିର୍ମାଣ ଜରୁରୀ ରହିଛି ବୋଲି ସେ ଅନୁଭବ କରିଛନ୍ତି । 

ଏହି ଜରୁରୀକାଳୀନ ରାସ୍ତା ସୁରକ୍ଷା ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ସ୍ତରରେ ଏହି ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ଏବଂ ଦେବଗଡ଼ବାସୀଙ୍କ ବୃହତ୍ତର ସ୍ୱାର୍ଥରେ ଏହି ପ୍ରସ୍ତାବଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଆବଶ୍ୟକୀୟ ମଞ୍ଜୁରୀ ପ୍ରଦାନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସାଂସଦ ଶ୍ରୀ ପ୍ରଧାନ ଶ୍ରୀ ଗଡ଼କରୀଙ୍କୁ ଅନୁରୋଧ କରିଛନ୍ତି ।