ବ୍ରହ୍ମଗିରି ୧୧।୭: ଅଲାରନାଥଙ୍କ ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଏକାଧିକ ଶ୍ରଦ୍ଧାଳୁ ଅଚେତ । ଆଜି ଏକାଦଶୀ ଏବଂ ମାସର ଦ୍ଵିତୀୟ ଶନିବାର ଛୁଟି ଦିନ ଥିବାରୁ ଅଲାରନାଥଙ୍କ ଅନବସର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଭିଡ଼ ବଢ଼ୁଥିବା ବେଳେ ଅତ୍ୟଧିକ ଖରା ଗୁଳୁଗୁଳି ଓ ଭୋଗ ଲାଗିବା ସମୟରେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡା ହେବା କାରଣରୁ ଶ୍ରଦ୍ଧାଳୁ ଅଚେତ ହେଉଛନ୍ତି । ମହାପ୍ରଭୁ ଶ୍ରୀ ଅଲାରନାଥ ଆଜି ଏକାଦଶୀ ତିଥିରେ ନଟବର ବେଶରେ ଦର୍ଶନ ଦେଉଛନ୍ତି । ବେଶ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ସକାଳୁ ଭକ୍ତଙ୍କ ମଧ୍ୟରେ ଠେଲା ପେଲା ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।

ସେପଟେ ଏକାଦଶୀ ତିଥି ଥିବାରୁ ୨ କ୍ବିଣ୍ଟାଲରୁ ଅଧିକ ବିଭିନ୍ନ ଫଳ ମହାପ୍ରଭୁଙ୍କୁ ଲାଗି ହୋଇଛି । ଅଲାରନାଥଙ୍କ ଅନବସର ଦର୍ଶନକୁ ରହିଲା ଆଉ ଦୁଇ ଦିନ। ଆଜି ଅନବସର ଖଡ଼ିଲାଗି ଏକାଦଶୀରେ ମହାପ୍ରଭୁ ନଟବର ବେଶରେ ଦର୍ଶନ ଦେଉଛନ୍ତି । ଏହି ବେଶ ଏବଂ ଆଜିର ଦିନରେ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ସହ ଭକ୍ତଙ୍କ ମଧ୍ୟରେ ଠେଲା ପେଲା ଦେଖିବାକୁ ମିଳିଛି ।

Also Read:- ସମାଧାନ ହେବ ମହାନଦୀ ଜଳ ବିବାଦ, ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ମୋହର ମାରିଲା ଛତିଶଗଡ଼

ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ପରେ ଶ୍ରୀଜିଉ ଜ୍ବରରେ ପୀଡିତ ଅଛନ୍ତି । ସେବାୟତଙ୍କ ସେବାରେ ଶ୍ରୀଜିଉମାନେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ସୁସ୍ଥ ହେଲା ପରେ ନବଯୌବନ ଦର୍ଶନ ଦେବେ । ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣ ରୂପରେ ଦେଉଛନ୍ତି ଦର୍ଶନ । ନାରାୟଣଙ୍କ ରୂପରେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଜଗନ୍ନାଥ ପ୍ରେମୀ । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରି ନିଜ ଜୀବନକୁ କୃତାର୍ଥ ମଣିଛନ୍ତି ଶ୍ରଦ୍ଧାଳୁ । ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରିକୁ । ଶନିବାର ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୧୫ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ନଟବର ବେଶ, ତୁଳସୀ ଲାଗି, ଫଳ ଲାଗି ଏବଂ ଗୋପାଳବଲ୍ଲଭ ସରିବା ପରେ ସର୍ବସାଧାରଣ ଦର୍ଶନ ୬.୪୫ରୁ ଆରମ୍ଭ ହୋଇଛି ।