ପିମ୍ପରି-ଚିଞ୍ଚୱାଡ ୧୨।୧: ମହାଯୁତୀ ମେଣ୍ଟରେ ଏବେ ଦୂରତା ବଢୁଛି। ମେଣ୍ଟରେ ଫାଟ ଏବେ ସ୍ପଷ୍ଟ ରୂପେ ଦେଖାଯାଉଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ବିଏମସି ଓ ନଗରନିଗମ ନିର୍ବାଚନ ପୂର୍ବରୁ ଶାସନ, ମାଗଣା ଯୋଜନା ଓ ଦୁର୍ନୀତିକୁ ନେଇ ପରସ୍ପରକୁ ଘେରୁଛନ୍ତି। ଏହି ବିବାଦ ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ପାୱାର ପିମ୍ପରୀ-ଚିଞ୍ଚୱାଡ ନଗରନିଗମ ନିର୍ବାଚନ ପ୍ରଚାର କାଳରେ ଫଡନବୀଶଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି।

ପାୱାର କହିଛନ୍ତି ଯେ ସେ କେବଳ ଶାସନର ବିଫଳତାକୁ ଉଜାଗର କରିଛନ୍ତି, ବ୍ୟକ୍ତିଗତ ଆରୋପ ଲଗାଇ ନାହାନ୍ତି। ନଗରନିଗମ ନିର୍ବାଚନ ପାଇଁ ପାୱାର ତାଙ୍କର ସମାଲୋଚନାକୁ ଆହୁରି ତୀବ୍ର କରିଛନ୍ତି। ସେ ବିଜେପି ଉପରେ ୨୦୧୭ ଓ ୨୦୨୨ ମଧ୍ୟରେ ସିପିଏମସି ଶାସନ କାଳରେ ଦୁର୍ନୀତି ଓ କୁଶାସନର ଅଭିଯୋଗ ଆଣିଛନ୍ତି।ପାୱାର ଏହା ବି କହିଛନ୍ତି ଯେ ବିଜେପି ଦେଇଥିବା ୨୭ଟି ପ୍ରତିଶ୍ରୁତିରୁ ଗୋଟିଏ ବି ପୂରଣ କରିନି।

ସେ ରାଭେତ ଓ ଭୋସାରୀ ଭଳି ବସ୍ତି ପୁନର୍ବାସ ପ୍ରାଧିକରଣ ଯୋଜନାରେ ହୋଇଥିବା ଅନିୟମିତତାର ତଦନ୍ତ ଦାବି କରିଛନ୍ତି। ଏହା ଛଡା ଏହି ସବୁ ପ୍ରକଳ୍ପରେ କରାଯାଇଥିବା ବିକାଶର ଲାଭ କେଉଁମାନଙ୍କୁ ମିଳିଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ପାୱାର ଭିତ୍ତିଭୂମି ବ୍ୟୟ ବୃଦ୍ଧି ହୋଇଥିବାର ମଧ୍ୟ କହିଛନ୍ତି। ଏଥିରେ ଗୋଟିଏ ପୋଲ ପ୍ରକଳ୍ପର ବ୍ୟୟ ଅଟକଳ ୭୦ ଲକ୍ଷ ଟଙ୍କାରୁ ବଢି ୭ କୋଟି ଟଙ୍କା ହୋଇଥିବା କହିଛନ୍ତି। ସେ ତାଙ୍କ ମେଣ୍ଟର ନିର୍ବାଚନୀ ଏଜେଣ୍ଡାକୁ ଅନାବରଣ କରି ଅନେକ ପ୍ରତିଶ୍ରୁତି ଦେଇଛନ୍ତି।

ଏଥିରେ ସେ ୧ ଏପ୍ରିଲ ୨୦୨୬ରୁ ୫୦୦ ବର୍ଗଫୁଟ ପର୍ଯ୍ୟନ୍ତ ଘରକୁ ସମ୍ପତି ଶୁଳ୍କରୁ ରିହାତି ଦେବା, ବିକାଶ ଯୋଜନା ଚିଠାପ୍ରସ୍ତାବକୁ ରଦ୍ଦ କରିବା, ଦୈନିକ ଜଳ ଯୋଗାଣ, ମାଗଣାରେ ବସ୍ ଓ ମେଟ୍ରୋ ଯାତ୍ରା ଆଦି ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଅନ୍ୟ ପ୍ରତିଶ୍ରୁତି ଗୁଡିକ ମଧ୍ୟରେ ଭଲ ସଡ଼କ, ପ୍ରଦୂଷଣ ନିୟନ୍ତ୍ରଣ, ଆଧୁନିକ ସ୍ୱାସ୍ଥ୍ୟ ସୁବିଧା, ଆଦର୍ଶ ବିଦ୍ୟାଳୟ, ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣା ଟାବଲେଟ ଓ ଦକ୍ଷତା ପ୍ରଶିକ୍ଷଣ ଶେଷ କରିଥିବା ମହିଳାଙ୍କ ନିମନ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ସହଯୋଗ ଆଦି ଘୋଷଣା କରିଛନ୍ତି।