ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ଭୁଶୁଡ଼ି ପଡ଼ିଥିବା ହୋଷ୍ଟେଲ କୋଠାର ମାଲିକ ହରିରାମ ବଂଶଲଙ୍କୁ ପୋଲିସ ଗିରଫ କରିଛି । ଦୁର୍ଘଟଣା ପରଠାରୁ ସେ ଫେରାର ଥିଲେ। ପୋଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ପୋଲିସ ତାଙ୍କୁ ରାଜସ୍ଥାନର ଭିୱାଡ଼ିରୁ ଗିରଫ କରି ପଚରାଉଚରା କରୁଛି । ପୋଲିସ ସାଉଥ୍ କ୍ୟାମ୍ପସ୍ ଥାନାରେ କୋଠାର ମାଲିକ ହରିରାମ ଏବଂ ଅନ୍ୟମାନଙ୍କ ବିରୋଧରେ ଉଦ୍ଦେଶ୍ୟ ନଥାଇ ହତ୍ୟା, କୋଠାର ରକ୍ଷଣାବେକ୍ଷଣରେ ଅବହେଳା ଏବଂ ଅନ୍ୟମାନଙ୍କ ସୁରକ୍ଷାକୁ ବିପଦରେ ପକାଇବା ଅଭିଯୋଗରେ ମାମଲା ରୁଜୁ କରିଛି ।

ପୋଲିସ ସୂଚନା ଦେଇଛି ଯେ, ଏହି କୋଠାଟି ପେଇଂ ଗେଷ୍ଟ (ପିଜି) ଭାବରେ ବ୍ୟବହୃତ ହେଉଥିଲା । ବିଲ୍ଡିଂର ବେସମେଣ୍ଟରେ ମରାମତି କାମ ଚାଲିଥିବା ଯୋଗୁଁ କୋଠାଟି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର ୧୦ଟି ଟିମ୍ ହରିରାମଙ୍କୁ ଖୋଜିବାରେ ନିୟୋଜିତ ଥିଲେ ଏବଂ ବିଭିନ୍ନ ରାଜ୍ୟରେ ଚଢ଼ଉ କରାଯାଉଥିଲା ।

 

ଏପର୍ଯ୍ୟନ୍ତ ୭ ଜଣ ଛାତ୍ରଙ୍କ ମୃତ୍ୟୁ

ସତ୍ୟ ନିକେତନରେ ଘଟିଥିବା ଦୁର୍ଘଟଣାରେ ୧୨ ଜଣଙ୍କୁ ବାହାର କରାଯାଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିସାରିଛି । ଅନେକ ଛାତ୍ର ଏବେ ବି ନିଖୋଜ ଥିବା କୁହାଯାଉଛି । ଦିଲ୍ଲୀ ପୋଲିସ ସହିତ ଏନଡିଆରଏଫ୍, ଅଗ୍ନିଶମ ବିଭାଗ ଏବଂ ଡିଡିଏମଏ ସମେତ ଅନେକ ସଂସ୍ଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଦୁର୍ଘଟଣା ପରେ ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୌର ନିଗମର ଜଣେ ଡେପୁଟି କମିଶନରଙ୍କ ସମେତ ୫ ଜଣ ଅଧିକାରୀଙ୍କୁ ସୋମବାର ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋମବାର ସୂଚନା ଦେଇଛି ଯେ ସିଏମ୍ ଗୁପ୍ତାଙ୍କ ନିର୍ଦ୍ଦେଶରେ ଏମସିଡିର ଡେପୁଟି କମିଶନର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର ଲଗାତାର ଦ୍ୱିତୀୟ ଦିନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।

Delhi satya niketan: ରେଖା ସରକାରଙ୍କ ପ୍ରଥମ ବଡ଼ ଆକ୍ସନ, MCDର ୫ ଅଧିକାରୀ ସସ୍‌ପେଣ୍ଡAlso Read: