ନୂଆଦିଲ୍ଲୀ: ଦିଲ୍ଲୀର ତିଳକ ନଗରରେ ମନ୍ତ୍ରୀ ପରଭେଶ ବର୍ମାଙ୍କ ଦ୍ଵାରା ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ପରଭେଶ ବର୍ମାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉଠାଇ ତାଙ୍କ ବିରୋଧରେ ଅଜାଣତରେ କରାଯାଇଥିବା ଅପରାଧର ଧାରା ରୁଜୁ କରିଛି। ପରଭେଶ ବର୍ମା ଯୁବକଙ୍କୁ ଚାପୁଡ଼ା ମାରିବା ନେଇ ଦେଶର ରାଜଧାନୀର ରାଜନୀତି ସରଗରମ ହୋଇ ଉଠିଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ।

ସୂଚନା ମୁତାବକ ଦିଲ୍ଲୀ ପୋଲିସ ଲୋକ ନିର୍ମାଣ ବିଭାଗର ମନ୍ତ୍ରୀ ପରଭେଶ ବର୍ମାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୫ ଆଧାରରେ ମାମଲା ରୁଜୁ କରିଛି। ପୀଡ଼ିତ ଯୁବକ ହେଉଛନ୍ତି ସାହିବ ସିଂ। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତ ପାଇଁ ମାଜିଷ୍ଟ୍ରେଟଙ୍କ ମଞ୍ଜୁରୀ ଆବଶ୍ୟକ ପଡ଼ିଥାଏ। ଏହା ସହ ଗିରଫ ପାଇଁ ଓ୍ଵାରେଣ୍ଟ ଜରୁରୀ ହୋଇଥାଏ।

Also Read: ପ୍ରଦୂଷଣ କମାଇବା ଲାଗି ବଡ଼ ପଦକ୍ଷେପ ଗ୍ରହଣ କଲେ ସରକାର

କ’ଣ ଥିଲା ପୂରା ଘଟଣା ?

ରବିବାର ଦିନ ମନ୍ତ୍ରୀ ପରଭେଶ ବର୍ମା ଆଉଟର ରିଂ ରୋଡ୍ରେ ନୂଆ କରି ହୋଇଥିବା ରାସ୍ତା ମରାମତି କାର୍ଯ୍ୟର ଯାଞ୍ଚ କରୁଥିଲେ। ଏହି ସମୟରେ ନିର୍ମାଣ କାର୍ଯ୍ୟର ନିମ୍ନମାନକୁ ଦେଖାଇବା ପାଇଁ ସାହିବ ସିଂହ ନାମକ ଜଣେ ଯୁବକ ନୂଆ ହୋଇ ପଡ଼ିଥିବା ପିଚୁକୁ ନିଜ ହାତରେ ଉପାଡ଼ି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ମନ୍ତ୍ରୀ ସାଧାରଣରେ ସେହି ଯୁବକଙ୍କୁ ଚାପୁଡ଼ା ମାରିଥିଲେ।

ଏହି ସମଗ୍ର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବିରୋଧୀ ଦଳଗୁଡ଼ିକ ଶାସକ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଉକ୍ତ ସମୟରେ ତିଲକ ନଗରର ଆପ୍ (AAP) ବିଧାୟକ ଜରନେଲ ସିଂହ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଥିଲେ।

Also Read: ଶୋହରାବୁଦ୍ଦିନ ଏନକାଉଣ୍ଟର କେସ୍: ୨୨ ଅଭିଯୁକ୍ତଙ୍କୁ ମୁକ୍ତ ହୋଇଯିବା ଘଟଣାରେ ସୁପ୍ରିମକୋର୍ଟଙ୍କ ନୋଟିସ୍

ଆପ୍-ବିଜେପି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି

ଘଟଣା ପରେ ଆପ୍ ବିଧାୟକ ଜରନେଲ ସିଂହ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ଦ୍ୱାରା ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର। ଅପରପକ୍ଷରେ, ବିଜେପି ନେତା ତଥା ମନ୍ତ୍ରୀ ପରଭେଶ ବର୍ମା ନିଜ କାର୍ଯ୍ୟକୁ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଆପ୍ କର୍ମୀଙ୍କୁ ସେ କେବେବି ପ୍ରଶ୍ରୟ ଦେବେ ନାହିଁ।

ମନ୍ତ୍ରୀ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଚାପୁଡ଼ା ଖାଇଥିବା ଯୁବକ ଜଣକ ଆମ୍ ଆଦମୀ ପାର୍ଟି ସହ ଜଡ଼ିତ ଏବଂ ତାଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି । ଆପ୍ କର୍ମୀମାନେ ଯାଞ୍ଚ ସମୟରେ ସରକାରୀ କର୍ମଚାରୀଙ୍କୁ ହଇରାଣ କରିବା ପାଇଁ ଯୋଜନାବଦ୍ଧ ଭାବେ ପରିସ୍ଥିତି ଖରାପ କରିଥିଲେ।

ଏତଲା ଦେଲା PWD

ଅନ୍ୟପଟେ, ପୂର୍ତ୍ତ ବିଭାଗ (PWD) ର ଇଞ୍ଜିନିୟରମାନେ ମଧ୍ୟ ଆପ୍ ବିଧାୟକ ଜରନେଲ ସିଂହଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ସରକାରୀ କାର୍ଯ୍ୟରେ ବାଧା ଦେବା ଏବଂ କର୍ତ୍ତବ୍ୟରତ ଅଧିକାରୀଙ୍କୁ ଅସଦାଚରଣ କରିଥିବା ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ଏତଲା ଦିଆଯାଇଛି। ଦିଲ୍ଲୀ ପୋଲିସ ଏହି ଅଭିଯୋଗଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରୁଛି ଏବଂ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛି।