ନୂଆଦିଲ୍ଲୀ: ଶୀତ ଋତୁ ଆସିବା ମାତ୍ରେ ଦିଲ୍ଲୀ ପାଇଁ ଚିନ୍ତା ବଢ଼ିଯାଉଛି । ଚଳିତ ବର୍ଷ ଶୀତ ଆସିବାକୁ ଥିବା ବେଳେ, ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ଆକ୍ସନ ପ୍ଲାନ କରୁଛନ୍ତି ସରକାର ।  ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପୂର୍ତ୍ତ ମନ୍ତ୍ରୀ ପରଭେଶ ବର୍ମା ଏବଂ ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ବାୟୁ ପ୍ରଦୂଷଣ ରୋକିବା ପାଇଁ ଅନେକ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଯୋଜନା ଅଧୀନରେ ‘ନୋ ପିୟୁସି, ନୋ ଫ୍ୟୁଲ’ନୀତିକୁ କଡ଼ାକଡ଼ି ଭାବରେ ଲାଗୁ କରାଯିବ । ଅର୍ଥାତ୍ ବୈଧ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର (PUC) ନଥିଲେ ଯାନବାହାନକୁ ଇନ୍ଧନ ମିଳିବ ନାହିଁ। ଏହା ସହିତ ଦିଲ୍ଲୀର ସମସ୍ତ ୫୦୦ଟି ପେଟ୍ରୋଲ ପମ୍ପରେ ଏଏନପିଆର  କ୍ୟାମେରା ମାଧ୍ୟମରେ ସମୟସୀମା ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅକ୍ଟୋବର ମାସରେ ଏନେଇ ଏକ ସଚେତନତା ଅଭିଯାନ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ମାସରେ ସମସ୍ତ ପିୟୁସି କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ କରାଯିବ।

ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା କରାଯିବ । ପ୍ରଦୂଷଣ ହ୍ରାସ ଲକ୍ଷ୍ୟରେ ଦିଲ୍ଲୀ ରାସ୍ତାରେ ଆଉ ୧୫୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଚାଲିବ। ଏହାଦ୍ୱାରା ଦିଲ୍ଲୀରେ ମୋଟ ଇଲେକ୍ଟ୍ରିକ୍ ବସ୍ ସଂଖ୍ୟା ୭୦୦ରୁ ଅଧିକ ହୋଇଯିବ । ବର୍ତ୍ତମାନ ଏହି ସଂଖ୍ୟା ୫୮୮ ରହିଛି। ଏହାବ୍ୟତୀତ ପ୍ରଦୂଷଣ ଏବଂ ଟ୍ରାଫିକ୍ ସମସ୍ୟା ଦେଖାଯାଉଥିବା ହଟସ୍ପଟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ଚିହ୍ନଟ ହୋଇଥିବା ୬୨ଟି ପ୍ରଦୂଷଣ ହଟସ୍ପଟ୍ ମଧ୍ୟରୁ ୪୨ଟିରେ ପ୍ରଦୂଷଣ ସ୍ତର ନିୟନ୍ତ୍ରଣକୁ ଆସିଛି । 

ଘରୋଇ ଗାଡ଼ିର ବ୍ୟବହାର କମାଇବା ପାଇଁ ନଭେମ୍ବର ୧ ତାରିଖରୁ ସମସ୍ତ ସରକାରୀ ସ୍ୱୀକୃତିପ୍ରାପ୍ତ ପାର୍କିଂ ସ୍ଥଳଗୁଡ଼ିକରେ ପାର୍କିଂ ଶୁଳ୍କ ଦ୍ୱିଗୁଣିତ କରାଯିବ। ଏଥିସହିତ, ଟ୍ରାଫିକ୍ ଭିଡ଼ ଏଡ଼ାଇବା ପାଇଁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକର ସମୟସୀମାରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୧ ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦିଲ୍ଲୀ ପୌର କାର୍ଯ୍ୟାଳୟଗୁଡ଼ିକ ସକାଳ ୮:୩୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ ୧୦:୦୦ ରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକରେ ୫୦ ପ୍ରତିଶତ 'ୱର୍କ ଫ୍ରମ୍ ହୋମ୍' ନୀତି ମଧ୍ୟ ଲାଗୁ ରହିବ ବୋଲି ନିଷ୍ପତ୍ତି ହୋଇଛି ।