ଦିଲ୍ଲୀ : ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ପାଞ୍ଚ ମହଲା PG କୋଠା ଭୁଶୁଡ଼ିବା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଏହି ମର୍ମନ୍ତୁଦ ଘଟଣାରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକଙ୍କୁ ଧ୍ୱଂସସ୍ତୂପ ତଳୁ ଉଦ୍ଧାର କରାଯାଇଛି। କିନ୍ତୁ ଘଟଣା ପରେ ତଦନ୍ତ ଯେତେ ଆଗକୁ ବଢ଼ୁଛି, ସେତେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ରିପୋର୍ଟ ଅନୁସାରେ, ପ୍ରାୟ ୧୫ଟି କୋଠରୀରେ ୪୫ ଜଣ ଛାତ୍ରଙ୍କୁ ରଖାଯାଇଥିଲା। ଅର୍ଥାତ୍ ଗୋଟିଏ ରୁମରେ ପ୍ରାୟ ତିନି ଜଣ ଛାତ୍ର ରହୁଥିଲେ ଏବଂ ପ୍ରତ୍ୟେକଙ୍କଠାରୁ ମାଲିକ ପ୍ରାୟ ୧୦ ହଜାର ଟଙ୍କା ଭଡ଼ା ନିଆଯାଉଥିବା ଅଭିଯୋଗ ରହିଛି। ତଦନ୍ତରେ ଆଉ ଏକ ଗୁରୁତର ଦିଗ ମଧ୍ୟ ସାମ୍ନାକୁ ଆସିଛି। କୋଠାର ବେସମେଣ୍ଟରେ ଆଗରୁ ମରାମତି କାମ ଚାଲିଥିଲା। ବେସମେଣ୍ଟରେ ପାଣି ଜମି ରହିବା ଏବଂ ନିର୍ମାଣ କାମ କୋଠାର ମୂଳ ଭିତ୍ତିକୁ ଦୁର୍ବଳ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହାସହ କୋଠାଟିରେ ଅନୁମତି ବିନା ଅତିରିକ୍ତ ନିର୍ମାଣ ଏବଂ ଗଠନଗତ ତ୍ରୁଟି ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ଏତେ ବର୍ଷ ପୁରୁଣା କୋଠାକୁ କିଭଳି ବିପୁଳ ସଂଖ୍ୟକ ଛାତ୍ରଙ୍କ PG ଭାବେ ବ୍ୟବହାର କରାଯାଉଥିଲା, ସେହି ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣା ପରେ କୋଠା ମାଲିକଙ୍କୁ ଗିରଫ କରାଯାଇଛି।

ସେପଟେ ପ୍ରଶାସନିକ ଅବହେଳାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ପରେ ମ୍ୟୁନିସିପାଲ କର୍ପୋରେସନ ଅଫ ଦିଲ୍ଲୀ (MCD)ର ୫ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ଏଠାରେ ବଡ଼ ପ୍ରଶ୍ନ ହେଉଛି ଯଦି କୋଠାଟି ଆଗରୁ ଦୁର୍ବଳ ଥିଲା, ତେବେ ସେଠାରେ ଏତେ ଛାତ୍ରଙ୍କୁ କାହିଁକି ରଖାଯାଇଥିଲା? ମରାମତି କାମ ପାଇଁ ଆବଶ୍ୟକ ଅନୁମତି ଥିଲା କି? ଏହା ସତ୍ତ୍ୱେ ବି ପ୍ରଶାସନର ନଜରରୁ ଏତେ ଗୁରୁତର ଅବହେଳା କିପରି ଖସିଗଲା? କିଏ ଦେଇଥିଲା ଅନୁମତି ? ଏସବୁ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି | ଘଟଣାର ତଦନ୍ତ ପ୍ରକ୍ରିୟା ମଧ୍ୟ ଚାଲିଛି । ଏବେ ଏହି ଦୁର୍ଘଟଣା କେବଳ ଗୋଟିଏ କୋଠା ଭୁଶୁଡ଼ିବାର ଘଟଣା ହୋଇ ରହିନାହିଁ। ବରଂ ଦିଲ୍ଲୀରେ ଛାତ୍ରମାନଙ୍କ ପାଇଁ ଚାଲୁଥିବା PG ଓ ହଷ୍ଟେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇଦେଇଛି।