ଦିଲ୍ଲୀ-ଜୟପୁର: ରାଜସ୍ଥାନର କୋଟପୁତଲି ନିକଟ ଦିଲ୍ଲୀ-ଜୟପୁର ହାଇୱେରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ କ୍ଷୀର ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହଜାର ହଜାର ଲିଟର କ୍ଷୀର ରାସ୍ତା ଉପରେ ବୋହିଯାଇଥିଲା। ଏହି ଖବର ପ୍ରସାରିତ ହେବା ମାତ୍ରେ ସ୍ଥାନୀୟ ଲୋକେ ବାଲ୍ଟି, ବୋତଲ ଓ କ୍ୟାନ ଧରି କ୍ଷୀର ସଂଗ୍ରହ କରିବାକୁ ଧାଇଁଥିଲେ।

ହାଇୱେ କିଙ୍ଗ୍ ହୋଟେଲ ନିକଟରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍‌ରେ ଓଲଟି ପଡ଼ିଥିଲା। ଟ୍ୟାଙ୍କର ଓଲଟିବା ପରେ କ୍ଷୀର ବନ୍ୟା ଭଳି ରାସ୍ତାରେ ବୋହିଥିଲା। ଏହା ଦେଖି ଦଶନ୍ଧି ସଂଖ୍ୟକ ଲୋକ ନିଜ ନିଜର ବାଲ୍ଟି କଡେଇ ନେଇ କ୍ଷୀର ନେବାରେ ବ୍ୟସ୍ତ ହୋଇପଡ଼ିଲେ। ଦୁର୍ଘଟଣାରେ ଟ୍ୟାଙ୍କର ଚାଳକ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ। ଲୋକଙ୍କ ଭିଡ଼ ଯୋଗୁଁ ଦିଲ୍ଲୀ-ଜୟପୁର ହାଇୱେରେ କିଛି ସମୟ ପାଇଁ ଟ୍ରାଫିକ୍ ଜାମ୍ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଟ୍ୟାଙ୍କରକୁ ହଟାଇବାର ପ୍ରକ୍ରିୟା ଆରମ୍ଭ କରିଥିଲା।

ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ୟାଙ୍କରଟି ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

ଏହି ଘଟଣା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କ ଏଭଳି ବ୍ୟବହାରକୁ ନେଇ ତୀବ୍ର ନିନ୍ଦା କରାଯାଇଛି।