ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଏକ ଚାଇଲ୍ଡ କଷ୍ଟଡି ମାମଲାର ଶୁଣାଣିରେ କହିଛନ୍ତି ଯେ ପତି-ପତ୍ନୀଙ୍କ ମଧ୍ୟରେ ବିବାଦରେ ସବୁଠୁ ଅଧିକ କ୍ଷତି ପିଲାଙ୍କର ହୋଇଥାଏ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କଷ୍ଟଡି ସମ୍ପର୍କିତ ମାମଲାରେ ଅନାବଶ୍ୟକ ବିଳମ୍ବ ଅଥବା ପିଲାଙ୍କ ଅନ୍ୟ ଅଭିଭାବକଙ୍କୁ ପ୍ରଦାନ କରିବାରେ ଟାଳଟୁଳ କରିବା ଯୋଗୁ ନାବାଳକଙ୍କୁ ଶାରୀରିକ ଓ ମାନଶିକ ଭାବେ ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେବାକୁ ପଡେ। ଏହା ସହିତ ହାଇକୋର୍ଟ ଫ୍ୟାମିଲ କୋର୍ଟଙ୍କ ସେହି ଆଦେଶକୁ କାୟମ ରଖିଛନ୍ତି ଯେଉଁଥିରେ ଗ୍ରୀଷ୍ମ ଅବକାଶ କାଳରେ ନାବାଳିକା ଝିଅର ଅନ୍ତରୀଣ କଷ୍ଟଡି ତା ପିତାଙ୍କୁ ଦେବାକୁ ଅନୁମତି ଦିଆଯାଇଥିଲା।

ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ତେଜସ କରିୟା ଓ ଜଷ୍ଟିସ୍ ମଧୁ ଜୈନଙ୍କ ଖଣ୍ଡପୀଠ କହିଛନ୍ତି ଯେ କଷ୍ଟଡି ବିବାଦରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ପିଲାଙ୍କ କଲ୍ୟାଣ। କୋର୍ଟ ସ୍ୱୀକାର କରିଛନ୍ତି ଯେ ଯେତେବେଳେ ମାତାପିତା ନିଜ ବିବାଦ ଯୋଗୁ ପିଲାଙ୍କୁ ସମୟରେ ଅନ୍ୟ ଅଭିଭାବକଙ୍କ ପାଖକୁ ନ ପଠାନ୍ତି ସେତେବେଳେ ଏହାର ମୂଲ୍ୟ ପିଲାକୁ ଦେବାକୁ ପଡିଥାଏ। ଏଣୁ ମାମଲାରେ ଲଗାତାର କୋର୍ଟକୁ ଦୌଡିବା ପିଲାର ମାନସିକ ବିକାଶ ଓ ଭାବନାତ୍ମକ ସନ୍ତୁଳନ ଲାଗି ଉଚିତ ନୁହେଁ।

ପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କ ମାତାପିତା ଉଭୟଙ୍କ ସହିତ ସ୍ୱାସ୍ଥ୍ୟ ଓ ସାର୍ଥକ ସମ୍ପର୍କ ରଖିବାର ଅଧିକାର ରହିଛି। କୋର୍ଟ ଏହା ବି କହିଛନ୍ତି ଯେ ଯଦି ଛୁଟି ସମୟରେ କଷ୍ଟଡି ଦେବାରେ ବିଳମ୍ବ କରିବାର ପ୍ରବୃତ୍ତିକୁ ପ୍ରୋତ୍ସାହିତ କରାଯାଏ ତେବେ ପିଲାର ହିତ ସହିତ ଦୁଇ ଅଭିଭାବକଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ। ତେବେ ମା ଫ୍ୟାମିଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ପିତା ପୂର୍ବରୁ ନିର୍ଦ୍ଧାରିତ ଭେଟ ସମ୍ପର୍କିତ ସର୍ତ୍ତ ପାଳନ କରି ପାରି ନଥିଲେ ଓ ବିଦେଶରେ ଏକାକୀ ଝିଅର ଦେଖାଶୁଣା କରିବାକୁ ଅକ୍ଷମ । ତେବେ ହାଇକୋର୍ଟ ଏହି ତର୍କକୁ ସ୍ୱୀକାର କରି ନାହାନ୍ତି।

କୋର୍ଟ କହିଛନ୍ତି ଯେ ପିତା ଭାରତରେ ରହିବା କାଳରେ ଝିଅର ଦେଖାଶୁଣା କୁ ନେଇ ନିଜେ ମା କୌଣସି ଆପତ୍ତି କରି ନଥିଲେ। ଏଣୁ ଏହି ତର୍କକୁ ଉଚିତ ମନେ କରାଯାଇ ପାରିବନି ଯେ ଲଣ୍ଡନରେ ରହି ପିତା ତାଙ୍କ ଝିଅର ଦେଖାଶୁଣା କରିପାରିବେନି। ମାମଲାରେ ସବୁ ପକ୍ଷଙ୍କ ତର୍କ ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ମାଙ୍କ ନିବେଦନକୁ ଖାରଜ କରିଦେଇଛନ୍ତି ଓ ଫ୍ୟାମିଲ କୋର୍ଟର ସେହି ଆଦେଶକୁ ଯଥାବତ ରଖିଛନ୍ତି ଯେଉଁଥିରେ ଗ୍ରୀଷ୍ମ ଅବକାଶ କାଳରେ ନା ବାଳିକା ଝିଅକୁ ତା ପିତାଙ୍କ ଅନ୍ତରୀଣ କଷ୍ଟଡିରେ ଛାଡିବାକୁ ଅନୁମତି ଦେଇଥିଲେ।