ନୂଆଦିଲ୍ଲୀ: ଜନ୍ତର ମନ୍ତରରେ କକରୋଚ ଜନତା ପାର୍ଟିର ଆନ୍ଦୋଳନ ସମୟରେ ମାରପିଟ୍ ଅଭିଯୋଗରେ ଗିରଫ ସ୍ଵତନ୍ତ୍ର ଭରଦ୍ଵାଜ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ନିଜ ବିରୋଧରେ ହୋଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ, କୋର୍ଟ ତାଙ୍କ ଆବେଦନର ଜରୁରୀ ଶୁଣାଣି ପାଇଁ ସମ୍ମତି ପ୍ରକାଶ କରିଛନ୍ତି।

ପୋଲିସ୍ ଦ୍ୱାରା ଗିରଫଦାରୀକୁ ସମ୍ପୂର୍ଣ୍ଣ ବେଆଇନ ଦର୍ଶାଇ ଭାରଦ୍ୱାଜ ହାଇକୋର୍ଟରେ ଏକ 'ହେବିୟସ୍ କର୍ପସ୍' ପିଟିସନ୍ ଦାୟର କରିଛନ୍ତି। ନିଜର ଗିରଫ ପ୍ରକ୍ରିୟା ଆଇନଗତ ନିୟମାନୁସାରେ ହୋଇନଥିବା ଦାବି କରି, ତୁରନ୍ତ ଏହାର ଶୁଣାଣି କରିବାକୁ ସେ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହାକୁ ଶୀଘ୍ର ବିଚାରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍ଵତନ୍ତ୍ରଙ୍କ ତରଫରୁ ଆଇନଜୀବୀ ଉମେଶ ଶର୍ମା ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଓ ବିଚାରପତି କରିଆଙ୍କ ପୀଠରେ ପିଟିସନ ଦାୟର କରିଛନ୍ତି। ଭରଦ୍ଵାଜଙ୍କୁ ସେପ୍ଟେମ୍ବର ୫ରେ ଉତ୍ତର ପ୍ରଦେଶରୁ ଗିରଫ କରାଯାଇଥିଲା। ଏହା ପରେ କୋର୍ଟ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ପଠାଇଥିଲେ। ଜଣେ ନାବାଳିକା ୟୁଟ୍ୟୁବରଙ୍କ ପିତାଙ୍କୁ ସିଜେପିର ଆନ୍ଦୋଳନ ସମୟରେ ସ୍ଵତନ୍ତ୍ର ଭରଦ୍ଵାଜ ମାଡ଼ ମାରିଥିବା ଅଭିଯୋଗ ରହିଛି।

Also Read: “ରାହୁଲ ହେବେ ଇଣ୍ଡିଆ ମେଣ୍ଟର ଚେହେରା”, ଭ୍ରମ ସୃଷ୍ଟି ନ କରିବାକୁ ବିଜୟଙ୍କ ପାର୍ଟିକୁ ସତର୍କ କରାଇଲେ ବେଣୁଗୋପାଳ

ନିକଟରେ ଏକ ପଡକାଷ୍ଟରେ ଖୋଦ୍ ସ୍ଵତନ୍ତ୍ର ଭରଦ୍ଵାଜ ସ୍ଵୀକାର କରିଥିଲେ ଯେ, ସେ ସଞ୍ଜୟ ଆଜାଦ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ରାଜନୈତିକ ଲିଙ୍କ୍ କାରଣରୁ ତାଙ୍କୁ ପୋଲିସ ସେ ସମୟରେ ଗିରଫ କରି ପାରି ନ ଥିଲା। ଏପରିକି ସେ ଦୃଢତାର ସହ କହିଥିଲେ ଯେ, ମୋର ରାଜନେତାଙ୍କ ସହ ଏମିତି ସଂପର୍କ ରହିଛି, କେହି ମୋର କିଛି କରି ପାରିବେ ନାହିଁ। ତାଙ୍କର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଥିଲା, ଯାହା ଦିଲ୍ଲୀ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଥିଲା। ଏପରିକି ସ୍ଵତନ୍ତ୍ର ଉକ୍ତ ପଡକାଷ୍ଟରେ ଅନେକ ବିଜେପି ନେତାଙ୍କ ନାଁ ନେଇଥିଲେ।

ସଂପ୍ରତି ସ୍ଵତନ୍ତ୍ର ଭରଦ୍ଵାଜ ନିଜର ଗିରଫଦାରୀକୁ ଅସାମ୍ବିଧାନିକ ଓ ଅସଙ୍ଗତ ବୋଲି ଦର୍ଶାଇ ଭାରଦ୍ୱାଜ ଅଦାଲତର ଆଶ୍ରୟ ନେଇଛନ୍ତି। ହାଇକୋର୍ଟଙ୍କ ଏହି ଆଶୁ ଶୁଣାଣି ନିଷ୍ପତ୍ତି ପରେ ତାଙ୍କୁ କୋର୍ଟରୁ କୌଣସି ଆଶ୍ୱାସନା କିମ୍ବା ଜାମିନ୍ ମିଳୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।