ନୂଆଦିଲ୍ଲୀ ୧୮।୦୩; ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ୫ ମହଲା କୋଠା। ଦିଲ୍ଲୀର ପାଲମ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ପାଞ୍ଚ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଗୁରତର ଆହତ ହୋଇଛନ୍ତି । ଉଦ୍ଧାର କରାଯାଇଥିବା ଲୋକଙ୍କ ମଧ୍ୟରେ ତିନି ଜଣ ପିଲା ଅଛନ୍ତି। ଯେଉଁମାନଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି। ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ସମ୍ଭାବନା ରହିଛି। କୁହାଯାଉଛି ଏକ କସମେଟିକ୍ସ ଦୋକାନରେ ନିଆଁ ଲାଗିବା ପରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଛି ।

କସମେଟିକ୍ସ ଦୋକାନରେ ଅଗ୍ନିକାଣ୍ଡ;

ବୁଧବାର ସକାଳେ ପାଲମ ମେଟ୍ରୋ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଥିବା ଏକ କସମେଟିକ୍ସ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା । ଗୋଟିଏ ପରେ ଗୋଟିଏ ଦୋକାନ ସହ ଉପର ମହଲାକୁ ବ୍ୟାପି ଯାଇଥିଲା । ନିଆଁ ଏତେ ତୀବ୍ର ଥିଲା ଯେ ସମ୍ପୂର୍ଣ୍ଣ କୋଠାଟି ଜଳି ଯାଇଛି । ସୂଚନା ପାଇବା ମାତ୍ରେ, ଦିଲ୍ଲୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ । ଘର ଭିତରେ ଅନେକ ଲୋକ ଧୂଆଁରେ ଫସି ରହିଥିଲେ । ଉଦ୍ଧାରକାରୀ ଦଳ ସେମାନଙ୍କୁ ବାହାରକୁ ବାହାର କରିଥିଲେ । ହେଲେ ଘଟଣାସ୍ଥଳରେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କର ଚିକିତ୍ସା କରାଯାଉଛି ।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ମୋଟ ୩୦ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲା । କୋଠାରେ ପ୍ରାୟ ୨୨ ଲୋକଙ୍କ ପରିବାର ରହୁଥିଲେ । କିନ୍ତୁ ସେହି ସମୟରେ ପରିବାରର ୧୦ ରୁ ୧୨ ଜଣ ସଦସ୍ୟ ଗୋଆ ବୁଲିବାକୁ ଯାଇଥିଲେ। ବାକି ଯେଉଁମାନେ ଘରେ ଥିଲେ ସେମାନେ ନିଆଁରେ ଫସି ଯାଇଥିଲେ। ହେଲେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲିଭାଯାଇନାହିଁ। ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ନିଆଁ ଲିଭାଇବା ପାଇଁ ନିରନ୍ତର ପାଣି ସ୍ପ୍ରେଶ କରୁଛନ୍ତି। କୋଠା ଭିତରୁ ଏବେ ବି ଧୂଆଁ ବାହାରୁଥିବାର ସୂଚନା ମିଳୁଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତିକୁ ଧୀରେ ଧୀରେ ନିୟନ୍ତ୍ରଣ କରାଯାଉଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଯାଏଁ ଜଣାପଡି ନାହିଁ । କିନ୍ତୁ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।

ଅଧିକ ପଢନ୍ତୁ- Indore Fire: ଇନ୍ଦୋରରେ ଭୟଙ୍କର ଅଗ୍ନିକାଣ୍ଡ : କାର ଚାର୍ଜିଂରୁ ସର୍ଟ ସର୍କିଟ୍ ହୋଇ ଫାଟିଲା ୪ଟି ସିଲିଣ୍ଡର, ୮ ମୃତ