ପଞ୍ଜାବ: ପାକିସ୍ତାନ ପଞ୍ଜାବରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ରୋଡ ଡିଭାଇଡରରେ ପିଟି ହୋଇ ଯାତ୍ରୀବାହୀ ବସ୍ ଓଲଟିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସ୍ କରାଚୀରୁ ଡେରାଗାଜୀ ଖାନ ଜିଲ୍ଲାକୁ ଯାଉଥିଲା। ଏହି ଦୁର୍ଘଟଣା ଲାହୋରରୁ ୫୦୦ କିଲୋମିଟର ଦୂର ରାଜନପୁରରେ ହୋଇଛି। ଏହି ଦୁର୍ଘଟଣା ସଡକର ସେହି ସ୍ଥାନରେ ଘଟିଛି ଯେଉଁଠି ନିର୍ମାଣ କାର୍ଯ୍ୟ ଚାଲୁଥିଲା ବୋଲି ପାକିସ୍ତାନର ଜରୁରିକାଳୀନ ସେବା ୧୧୨୨ର ମୁଖପାତ୍ର କହିଛନ୍ତି।

ମୁଖପାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ କହିଛନ୍ତି ଯେ ଯେଉଁ ସମୟରେ ଦୁର୍ଘଟଣା ହେଲା ସେତେବେଳେ ବସ୍ ର ବେଗ ବେଶ୍ ଦ୍ରୁତ ଥିଲା। ତେବେ ଏହା ଅଧିକାରୀକ ଭାବେ ପୁଷ୍ଟି ହୋଇ ନାହିଁ। ମୁଖପାତ୍ରଙ୍କ ଅନୁସାରେ ବସ୍ ଟି ଦ୍ରୁତଗତିରେ ଯାଉଥିବା ବେଳେ ଡିଭାଇଡରରେ ପିଟି ହୋଇ ଓଲଟିପଡିଥିଲା। ଦୁର୍ଘଟଣା ବେଳେ ବସ୍ ରେ ଯାତ୍ରୀ ଭର୍ତ୍ତି ଥିଲେ। ଏଣୁ କେତେକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ପିଲା ମଧ୍ୟ ଅଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାକୁ ନେଇ ପାକିସ୍ତାନ ପଞ୍ଜାବ ପ୍ରାନ୍ତ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଶୋକ ପ୍ରକଟ କରିଛନ୍ତି।

ଦୁର୍ଘଟଣାରେ ଆହତଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦୁର୍ଘଟଣାରେ ମୃତକଙ୍କ ପ୍ରତି ମରିୟମ ନୱାଜ ସମବେଦନା ଜ୍ଞାପନ କରିଥିବା ବେଳେ ଏଥି ପାଇଁ ଦାୟୀ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି। ସପ୍ତାହକ ପୂର୍ବରୁ ପାକିସ୍ତାନର ପେଶାବରରେ ମଧ୍ୟ ଏହିଭଳି ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଏକ ଘରୋଇ ସ୍କୁଲର ଛାତ ଭୁଶୁଡିପଡିବାରୁ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୨୯ ଜଣ ସ୍କୁଲ ଛାତ୍ରଛାତ୍ରୀ ଥିଲେ।