ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତକୁ ନେଇ ଆସିଲା ବଡ଼ ସୂଚନା। ଆରମ୍ଭ ହୋଇଛି ଗଭୀର ଅବପାତର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। IMD ଡିଜିଙ୍କ ସୂଚନା ଅନୁସାରେ, ଗଭୀର ଅବପାତର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଜାରି ରହିବ ବୋଲି ସୂଚନା ମିଳିଛି।

ସ୍ଥଳଭାଗ ଅତିକ୍ରମ ସମୟରେ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ଜାରି ରହିଛି। ଗଭୀର ଅବପାତର ଗତିବିଧି ଉପରେ IMD ପକ୍ଷରୁ ନିରନ୍ତର ନଜର ରଖାଯାଉଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପରେ ଏହାର ଗତି ଓ ତୀବ୍ରତାରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ଏପଟେ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନ ଓ ବର୍ଷାକୁ ନେଇ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।