ମୁମ୍ବାଇ: ବଲିଉଡରେ ସଲମାନ ଖାନ ଓ ବିବେକ ଓବେରୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ନୂଆ ନୁହେଁ। ଏବେ ପୁଣି ଦୁଇ ଅଭିନେତା ଚର୍ଚ୍ଚାରେ, ହେଲେ ଏଥର ପ୍ରସଙ୍ଗ ହେଉଛି ସୋସିଆଲ ମିଡିଆ ଟ୍ରୋଲିଂ ଓ ବଡି ଶେମିଂ। ଅନ୍ୟମାନଙ୍କୁ ଟାର୍ଗେଟ୍ କରିବା ବଦଳରେ ନିଜ ଜୀବନ ଓ ପରିବାର ଉପରେ ଧ୍ୟାନ ଦେବାକୁ ସଲମାନଙ୍କ ପରାମର୍ଶ ପରେ, ଏବେ ବିବେକ ଓବେରୟ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ନିକଟରେ ‘ବିଗ୍ ବସ୍ 20’ର ‘ୱିକେଣ୍ଡ କା ୱାର୍’ ଏପିସୋଡ୍ରେ ସଲମାନ ଟ୍ରୋଲିଂ ପଛରେ ଥିବା ମାନସିକତା ଉପରେ ପ୍ରଶ୍ନ ଉଠାଇଥିଲେ।

କିଛି ଦିନ ପୂର୍ବରୁ କ୍ୟାଟ୍ରିନା କୈଫଙ୍କ ଲୁକ୍ ଓ ଶରୀରକୁ ନେଇ ସୋସିଆଲ ମିଡିଆରେ କେତେକ ଲୋକ ମନ୍ତବ୍ୟ କରିଥିଲେ। ଏପରି ବଡି ଶେମିଂକୁ ସଲମାନ ଖାନ ନାପସନ୍ଦ କରିଥିଲେ। ତାଙ୍କ କହିବା ଅନୁସାରେ, କାହାର ଚେହେରା କିମ୍ବା ଶରୀରକୁ ନେଇ ମଜାକ କରିବା ଠିକ୍ ନୁହେଁ। ଅନ୍ୟମାନଙ୍କୁ ଲଗାତାର ଟାର୍ଗେଟ୍ କରିବା ପରିବର୍ତ୍ତେ ଲୋକେ ନିଜ ଜୀବନ ଓ ପରିବାର ଉପରେ ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ। ତାଙ୍କର ଏହି ମନ୍ତବ୍ୟ ନିଜର ଘନିଷ୍ଠ ବନ୍ଧୁ ତଥା ସହ-ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ନେଇ ଥିବା ଚର୍ଚ୍ଚା ହୋଇଥିଲା । ଗର୍ଭଧାରଣ ପରେ ଓଜନ ବଢ଼ିବାକୁ ନେଇ କ୍ୟାଟ୍ରିନା ସୋସିଆଲ ମିଡିଆରେ ଅନେକ ଟ୍ରୋଲିଂର ସାମ୍ନା କରିଥିଲେ । ଯାହାକୁ ନେଇ ସଲମାନ ରିଆଲିଟି ଶୋରେ ହିଁ ରାଗି ନିଆଁ ହୋଇଯାଇଥିଲେ ।

ଆଉ ଏହି ଘଟଣାରେ ଏବେ ନିଜ ପ୍ରତିକ୍ରିୟା ଦେଇଛିନ୍ତି ଅଭିନେତା ବିବେକ ଓବେରୟ । ସଲମାନ ଖାନଙ୍କ ସହ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତା ବିବେକ ଓବେରୟ ସୋସିଆଲ ମିଡିଆରେ ଟ୍ରୋଲ୍ କରୁଥିବା ଲୋକଙ୍କ ବିରୋଧରେ ସୁପରଷ୍ଟାର ସଲମାନଙ୍କ କଡ଼ା ଆଭିମୁଖ୍ୟ ଉପରେ କଡ଼ା ଜବାବ ଦେଇଛନ୍ତି। ଏକ ସ୍ୱତନ୍ତ୍ର ଆଲୋଚନା ସମୟରେ ବିବେକଙ୍କୁ ସଲମାନଙ୍କୁ ନେଇ ଲଗାତାର ହେଉଥିବା ଟ୍ରୋଲିଂ ଓ ଚର୍ଚ୍ଚା ସମ୍ପର୍କରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ ନକାରାତ୍ମକତା ବଦଳରେ ସକାରାତ୍ମକତା ଉପରେ ଧ୍ୟାନ ଦେବାକୁ କହିଥିଲେ। ବିବେକ କହିଥିଲେ, “ଜୀବନରେ କରିବା ପାଇଁ ଏତେ ସବୁ ଭଲ କାମ ଅଛି, ତେବେ ଆମେ କାହିଁକି ନକାରାତ୍ମକତା ବିସ୍ତାର କରିବା କିମ୍ବା କାହା ବିଷୟରେ ଏଭଳି କଥା କହିବା?”

ତାଙ୍କ ମତରେ, ସେଲିବ୍ରିଟି ହୁଅନ୍ତୁ କି ସାଧାରଣ ଲୋକ କାହାର ବ୍ୟକ୍ତିଗତ ମାମଲାକୁ ନେଇ ଅପମାନଜନକ ଟିପ୍ପଣୀ ଦେବା ଉଚିତ୍ ନୁହେଁ। ସଲମାନ ଖାନ ଓ ବିବେକ ଓବେରୟଙ୍କ ମଧ୍ୟରେ ୨୦୦୦ ମସିହାରୁ ଚାଲିଥିବା ବିବାଦ ବଲିଉଡ୍ରେ ବେଶ୍ ଚର୍ଚ୍ଚିତ । ତେବେ ବର୍ତ୍ତମାନର ଆଲୋଚନାର କେନ୍ଦ୍ରରେ ରହିଛି ବଡି ଶେମିଂ ଓ ଅନଲାଇନ୍ ଟ୍ରୋଲିଂ ବିରୋଧରେ ଷ୍ଟାରମାନଙ୍କ ଆଭିମୁଖ୍ୟ। ସୋସିଆଲ ମିଡିଆରେ ଟ୍ରୋଲିଂ ବଢ଼ୁଥିବା ସମୟରେ ସେଲିବ୍ରିଟିଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ପୁଣି ଥରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।