ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଅବପାତ ଆହୁରି ଘନୀଭୂତ ହୋଇଛି। ଆଜି ସନ୍ଧ୍ୟା ସମୟରେ ଏହା ‘ଗଭୀର ଅବପାତ (Deep Depression)ରେ ପରିଣତ ହୋଇଛି। ଫଳରେ ଆଗାମୀ ସମୟରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପାଗର ପରିବର୍ତ୍ତନ ଦେଖାଦେବାର ସମ୍ଭାବନା ବଢ଼ିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଏହାର ଗତିପଥ ଅନୁସାରେ ଆସନ୍ତାକାଲି ସକାଳ ସମୟରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି।

ଅବପାତ ଗଭୀର ଅବପାତରେ ପରିଣତ ହେବା ପରେ ପାଗ ଉପରେ ଏହାର ପ୍ରଭାବ ମଧ୍ୟ ବଢ଼ିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାର ଉପକୂଳ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଅନୁଭୂତ ହୋଇପାରେ।

also read-ଗଭୀର ଅବପାତ ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି, ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ପରଖିଲେ ଜିଲ୍ଲାପାଳ

ଏବେ ନଜର ରହିଛି ଏହି ଗଭୀର ଅବପାତର ପରବର୍ତ୍ତୀ ଗତିପଥ ଉପରେ। ଏହା କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ ଏବଂ ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ କେତେ ପ୍ରଭାବ ପକାଇବ, ସେନେଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରାଯାଉଛି।