ନୂଆଦିଲ୍ଲୀ: ଚୀନର ଏକ ଷ୍ଟାର୍ଟ-ଅପ୍ କମ୍ପାନୀ ମଣିଷ ବସି ପାରୁଥିବା ଫ୍ଲାଇଂ ସସର୍ ବା ଏକ ସ୍ୱତନ୍ତ୍ର eVTOL (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ) ବିମାନ ବିକ୍ରି ଆରମ୍ଭ କରିଛି। ଚୀନ୍‌ର ଜେଜିଆଙ୍ଗ ପ୍ରଦେଶସ୍ଥିତ 'ୟିୱୁ ଗ୍ଲୋବାଲ୍ ଡିଜିଟାଲ୍ ଟ୍ରେଡ୍ ସେଣ୍ଟର'ରେ ଏହି UFO ଶୈଳୀର ବିମାନକୁ ପ୍ରଦର୍ଶନ ପାଇଁ ରଖାଯାଇଛି, ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି।

ଏହି ବିମାନଟିକୁ SMD ଶେନଜେନ୍ ସ୍ମାର୍ଟ ଡ୍ରୋନ୍ UAV କମ୍ପାନୀ ଦ୍ୱାରା ବିକଶିତ କରାଯାଇଛି। ଏହାର ଆକାର ଥାଳି ଭଳି ହୋଇଥିବା ବେଳେ ଏଥିରେ ୩୬୦-ଡିଗ୍ରୀ ଦୃଶ୍ୟ ଦେଖାଯାଉଥିବା ଏକ କାଚର ଗୋଲାକାର କ୍ୟାବିନ୍ ରହିଛି। ଏହାକୁ ତିଆରି କରିବାରେ ଫାଇବରଗ୍ଲାସ୍, କାର୍ବନ୍ ଫାଇବର, ଆଲୁମିନିୟମ୍ ଏଲୟ ଏବଂ ଏଭିଏସନ୍ ଗ୍ରେଡ୍ ଲାମିନେଟ୍ ବ୍ୟବହାର କରାଯାଇଛି। ଏଥିରେ କେବଳ ୨ ଜଣ ଯାତ୍ରୀ ବସିପାରିବେ।

ଏଥିରେ ୬ଟି ରୋଟର୍ ଥିବା ଏକ 'ଡକ୍ଟେଡ୍ ଡିଜାଇନ୍' ବ୍ୟବହାର କରାଯାଇଛି, ଯାହା ବିମାନର ପ୍ରୋପେଲରଗୁଡ଼ିକୁ ଭିତରେ ଲୁଚାଇ ରଖିଥାଏ। ଏହି ବିମାନ ସିଧାସଳଖ ଉପରକୁ ଉଠିପାରିବ ଏବଂ ଓହ୍ଲାଇପାରିବ, ଏଥିପାଇଁ କୌଣସି ରନୱେର ଆବଶ୍ୟକତା ନାହିଁ। ଏହା ସ୍ଥଳଭାଗ ସହ ପାଣି ଉପରେ ମଧ୍ୟ ସହଜରେ ଓହ୍ଲାଇପାରିବ ଏବଂ ଉଡ଼ାଣ ଭରିପାରିବ। ଏହା ସମୁଦ୍ରର 'ଫୋର୍ସ ୫' ପବନ ବେଗକୁ ସହ୍ୟ କରିବାରେ ସକ୍ଷମ।

ଏହା ଅଧିକ ଉଚ୍ଚତାରେ ଉଡ଼ିପାରିବ ନାହିଁ, ଏହାର ସର୍ବାଧିକ ଉଚ୍ଚତା ପ୍ରାୟ ୧୦୦ ଫୁଟ୍। ଏହା ଆକାଶରେ ୧୫ ମିନିଟ୍ ପର୍ଯ୍ୟନ୍ତ ରହିପାରିବ, ଯାହା କମ୍ ଉଚ୍ଚତାରେ ପର୍ଯ୍ୟଟନ ଏବଂ ଆକାଶମାର୍ଗରୁ ଦୃଶ୍ୟଉପଭୋଗ ପାଇଁ ଉପଯୁକ୍ତ। ଏହି ଉଡ଼ନ୍ତା ଥାଳିଆ ମୂଲ୍ୟ ୮,୦୦,୦୦୦ ୟୁଆନ୍ (ଭାରତୀୟ ମୁଦ୍ରାରେ ୧.୧ କୋଟି ଟଙ୍କା) ରଖାଯାଇଛି। 'ସିଭିଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଅଫ୍ ଚାଇନା' ପକ୍ଷରୁ ଏହାକୁ ସ୍ୱତନ୍ତ୍ର ଉଡ଼ାଣ ଅନୁମତି ମିଳିସାରିଛି।

୨୦୨୬ ମସିହାରେ କମ୍ପାନୀ ଏହାର ଶୋ'ରୁମ୍‌କୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରିବା ପରେ ଦେଶ ଓ ବିଦେଶରୁ ପ୍ରତିଦିନ ୧୦ରୁ ଅଧିକ ବ୍ୟବସାୟୀ ଦଳ ଏହାକୁ ଦେଖିବାକୁ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା କମ୍ପାନୀ ପାଖରେ ପ୍ରାୟ ୧୨୦ ମିଲିୟନ୍ ୟୁଆନ୍‌ର ଅର୍ଡର ମିଳିସାରିଥିବା ରିପୋର୍ଟରୁ ଜଣାପଡ଼ିଛି ।