ନୂଆଦିଲ୍ଲୀ ୧୭।୨: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ମାର୍ଚ୍ଚ ମଝି ସପ୍ତାହ ବେଳକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ନିର୍ବାଚନ ଆୟୋଗଙ୍କ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସୁତ୍ର ଅନୁସାରେ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କରେ ମତଦାନ ଏପ୍ରିଲ ମାସର ବିଭିନ୍ନ ତାରିଖରେ ହେବାର ସମ୍ଭାବନା ରହିଛି। ଏଣୁ ନିର୍ବାଚନ ଆୟୋଗ ଏକକାଳୀନ ୫ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବାକୁ ଯୋଜନା କରୁଛନ୍ତି। ତେବେ ଭୋଟ ଗ୍ରହଣ ବିଭିନ୍ନ ପର୍ଯ୍ୟାୟରେ ହେବ।

ଏହି ସବୁ ବିଧାନସଭାଙ୍କ କାର୍ଯ୍ୟକାଳ ମେ ଓ ଜୁନ ମାସରେ ଅଲଗା ଅଲଗା ସମାପ୍ତ ହେବ। ଏଥିରେ ପୁଡୁଚେରୀ ବିଧାନସଭା କାର୍ଯ୍ୟକାଳ ୧୫ ଜୁନରେ ସମାପ୍ତ ହେଉଥିବା ବେଳେ ଆସାମର ୨୦ ମେ, କେରଳର ୨୩ ମେ, ତାମିଲନାଡୁର ୧୦ ମେ ଓ ପଶ୍ଚିମବଙ୍ଗର ୭ ମେରେ ସମାପ୍ତ ହେବ। ଏଥି ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଓ ଏଥି ପାଇଁ ରାଜ୍ୟ ଗସ୍ତ କରୁଛନ୍ତି। ଏବେ ନିର୍ବାଚନ ଆୟୋଗଙ୍କ ଏକ ଟିମ୍ ଆସାମରେ ନିର୍ବାଚନୀ ପ୍ରସ୍ତୁତିର ମୂଲ୍ୟାୟନ କରୁଛନ୍ତି।

ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା, ଯାହା ସବୁ ରାଜ୍ୟଙ୍କ ତୁଳନାରେ ସବୁଠୁ ଅଧିକ ଥିଲା। ସେହିପରି ଆସାମରେ ୨ଟି ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ମତଦାନ ହୋଇଥିଲା। ନିର୍ବାଚନ ପ୍ରସ୍ତୁତିରେ ଏବେ ଭୋଟର ଲିଷ୍ଟ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ସୂଚୀ ପ୍ରକାଶ କରାଯାଉଛି। ବିଶେଷ ଗହନ ପୁନରୀକ୍ଷଣ (ଏସଆଇଆର) ରେ ପୁଡୁଚେରୀ ଫେବୃଆରୀ ୧୪ ତାରିଖରେ ଚୂଡ଼ାନ୍ତ ଭୋଟର ଲିଷ୍ଟ ପ୍ରକାଶନରେ ପ୍ରଥମ ରାଜ୍ୟ ପାଲଟିଛି।

ଏଥିରେ ତାମିଲନାଡୁରେ ଏସଆଇଆର ପରେ ଫେବୃଆରୀ ୧୭ ତାରିଖରେ ଚୂଡ଼ାନ୍ତ ଭୋଟର ଲିଷ୍ଟ ପ୍ରକାଶ କରିଥିବା ବେଳେ କେରଳ ଫେବୃଆରୀ ୨୧ ତାରିଖରେ ଚୂଡ଼ାନ୍ତ ସୂଚୀ ପ୍ରକାଶନ କରିବ। ଏଥିରେ ପଶ୍ଚିମବଙ୍ଗର ଚୂଡ଼ାନ୍ତ ଭୋଟର ଲିଷ୍ଟ ଫେବୃଆରୀ ୨୮ରେ ପ୍ରକାଶ ପାଇବ। ଏହା ପୂର୍ବରୁ ଫେବୃଆରୀ ୧୦ ତାରିଖରେ ଆସାମର ଚୂଡାନ୍ତ ଭୋଟର ଲିଷ୍ଟ ପ୍ରକାଶିତ ହୋଇଛି।

ଏହା ବି ପଢନ୍ତୁ:-ତେଲେଙ୍ଗାନା ନଗରନିଗମ ଓ ପାଳିକା ନିର୍ବାଚନ ଫଳାଫଳରେ ରାହୁଲ ଗଦଗଦ, କହିଲେ-କଂଗ୍ରେସର କଲ୍ୟାଣକାରୀ ମଡେଲକୁ ଜନାଦେଶ