ନୂଆଦିଲ୍ଲୀ ୮।୨: ଜେଫରୀ ଏପଷ୍ଟିନ ସମ୍ପର୍କିତ ଫାଇଲ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଫାଇଲ ମାନଙ୍କରେ ବିଶ୍ୱର ଅନେକ ପ୍ରସିଦ୍ଧ ଲୋକଙ୍କ ନାମ ସାମ୍ନାକୁ ଆସିଛି। ଏପଷ୍ଟିନ ଫାଇଲସ୍ ରେ ତୀଦ୍ଦତର ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କ ନାମ ସାମ୍ନାକୁ ଆସିଥିବାର ଦାବି କରାଯାଉଛି, ଏହା ପରେ ଦଲାଇ ଲାମାଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ସ୍ପଷ୍ଟିକରଣ ଜାରି କରାଯାଇଛି। ଏହି ଅଧିକାରୀକ ବୟାନରେ ଦଲାଇ ଲାମା ଓ ଯୌନ ଅପରାଧୀ ଏପଷ୍ଟିନ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ଦାବିକୁ ଅଗ୍ରାହ୍ୟ କରିଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ କେତେକ ଗଣମାଧ୍ୟମ ରିପୋର୍ଟରେ ଆମେରିକାର ନ୍ୟାୟ ବିଭାଗ (ଡିଓଜେ) ଫାଇଲର ଉଦାହରଣ ଦେଇ କହିଥିଲା ଯେ ଦଲାଇ ଲାମାଙ୍କ ନାମ ଜେଫରୀ ଏପଷ୍ଟିନ ସମ୍ପର୍କିତ ଫାଇଲରେ ୧୬୯ ଥର ଆସିଛି। କେତେକ ରିପୋର୍ଟସରେ ଏହା ବି କୁହାଯାଇଛି ଯେ ବୌଦ୍ଧ ଧର୍ମଗୁରୁଙ୍କ ନାମ କଥିତ ରୂପେ କେତେକ ପ୍ରାଇଭେଟ ଇ-ମେଲ ଓ ମସାଜ ଫର ଡମିଜ ନାମକ ବହିର ଇଣ୍ଡେକ୍ସରେ ଆସିଥିଲା। ଯାହାକୁ ଏପଷ୍ଟିନ କେସ୍ ରେକର୍ଡର ଅଂଶ ଭାବେ ପ୍ରଥମେ ଜାରି କରାଯାଇଥିବା ଫାଇଲର ସ୍କାନ କରାଯାଇଥିବା ଡକ୍ୟୁମେଣ୍ଟ ରୂପେ ସାମିଲ କରାଯାଇଥିଲା।

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ନେଇ କରାଯାଉଥିବା ଦାବି ଚର୍ଚ୍ଚା ହେବା ପରେ ତାଙ୍କ ଅଫିସ ପକ୍ଷରୁ ଅଧିକାରୀକ ରୂପେ ଏକ ବୟାନ ଜାରି କରାଯାଇଛି। ଏଥିରେ ଦଲାଇ ଲାମାଙ୍କ ଅଫିସ କୌଣସି କଥିତ ଲିଂକକୁ ସ୍ପଷ୍ଟ ରୂପେ ଖାରଜ କରିଛି ଓ କୁହାଯାଇଛି ଏପଷ୍ଟିନ ଫାଇଲ ସମ୍ପର୍କିତ କେତେକ ମିଡିଆ ରିପୋର୍ଟ ଓ ସୋସିଆଲ ମିଡିଆ ପୋଷ୍ଟ ଦଲାଇ ଲାମାଙ୍କୁ ଏପଷ୍ଟିନ ସହ ଯୋଡିବାକୁ ଉଦ୍ୟମ କରିଛି। ତେବେ ଆମେ ସ୍ପଷ୍ଟ କରୁଛୁ ଯେ ଲାମା କୌଣସି ଏପଷ୍ଟିନକୁ ନିଜେ ଭେଟିଛନ୍ତି ନା କାହାରିକୁ ତାଙ୍କ ସହ ଭେଟି କଥାବାର୍ତ୍ତା ହେବାକୁ ଅନୁମତି ଦେଇଛନ୍ତି।

କିପରି ଆସୁଛି ଦଲାଇ ଲାମାଙ୍କ ନାମ?
କେତେକ ରିପୋର୍ଟରେ ୨୦୧୨ ମସିହା ଅକ୍ଟୋବର ମାସର ଇ-ମେଲର ଉଲ୍ଲେଖ କରାଯାଇଛି। ଏଥିରେ କଥିତ ରୂପେ ତୀଦ୍ଦତୀୟ ଧର୍ମଗୁରୁ ଦଲାଇଲାମା ଓ ଏପଷ୍ଟିନଙ୍କ ସାକ୍ଷାତର ଉଲ୍ଲେଖ ଥିଲା। ଏହା ସହିତ ଏଥିରେ ଏକଥା ମଧ୍ୟ ଇସାରା କରାଯାଇଛି ଯେ ଦଲାଇ ଲାମା ଏପଷ୍ଟିନଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ମଧ୍ୟ ଆଶା କରାଯାଉଥିଲା। ଏଥିରେ ୟୁରୋପର ଏକ ଟେଲିଭିଜନ ଚ୍ୟାନେଲ ନେକ୍ସଟା ଟିଭି ଦାବି କରିଛି ଯେ ଦଲାଇ ଲାମାଙ୍କ ଅନୁଗାମୀ ଦାବି କରୁଥିବା ଲୋକେ ଏପଷ୍ଟିନକୁ ଭେଟିଥାଇପାରନ୍ତି। ଏଣୁ ଏବେ ଅପ୍ରତ୍ୟକ୍ଷ ଲିଂକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।